ତିନିରଥରେ ଶେଷ ସ୍ପର୍ଶ

ରଥଯାତ୍ରାକୁ ନେଇ ଆଶଙ୍କାର ପାହାଡ଼ ଠିଆ ହୋଇଛି। ଆଉ ଦିନକ ପରେ ରଥଯାତ୍ରା ପଡ଼ୁଥିଲେ ବି ମହାପ୍ରଭୁ ରଥାରୁଢ଼ ହେବେ କି ନାହିଁ, ତାକୁ ନେଇ ଏବେ ବି ଅନିଶ୍ଚିତତା ଲାଗିରହିଛି। ହେଲେ ରଥ ନିର୍ମାଣ କାର୍ଯ୍ୟ ଶେଷ ପରେ ସେବକମାନେ ତିନି ରଥକୁ ଶେଷସ୍ପର୍ଶ ଦେବାରେ ଲାଗିଛନ୍ତି। ଦରଜୀ ସେବକମାନେ ତିନି ରଥ ପାଇଁ କପଡ଼ା ତିଆରି କରିବା ପରେ ଏହାକୁ ତିନିରଥରେ ଲଗାଯାଇ ‌ସୁଶୋଭିତ କରାଯାଉଛି। ଆଜି ସକାଳୁ ଏଥିପାଇଁ ତିନି ରଥରେ ଭିନ୍ନ ଭିନ୍ନ ସେବକମାନେ ଏହି କାର୍ଯ୍ୟ ସମ୍ପାଦନ କରୁଛନ୍ତି।

ନାଲି ଓ ହଳଦିଆ ରଙ୍ଗର କପଡ଼ାରେ ସଜେଇ ହେଲେ ନନ୍ଦିଘୋଷ
ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ନିର୍ମାଣ ଓ ରଙ୍ଗ କାର୍ଯ୍ୟ ଶେଷ ପରେ ଗତକାଲିଠାରୁ କପଡ଼ା ଲଗାଯିବା କାର୍ଯ୍ୟ ଆରମ୍ଭ ହୋଇଛି। ନାଲି ଓ ହଳଦିଆ ରଙ୍ଗର କପଡ଼ାରେ ନନ୍ଦିଘୋଷ ରଥକୁ ସୁସଜ୍ଜିତ କରାଯାଉଛି। ମଝିରେ ମଝିରେ ଲେସ୍‌ ଏହି କପଡ଼ାକୁ ଆହୁରି ଆକର୍ଷଣୀୟ କରି ଦେଇଛି। ଏହା ସାଙ୍ଗକୁ ଦରଜୀ ସେବକଙ୍କ ଦ୍ବାରା ପ୍ରସ୍ତୁତ ଚନ୍ଦସାଳି, ସମ୍ପଫୁଲ, ପୋଟଳ, କନକମୁଣ୍ଡି, ମେଣ୍ଢା ମୁଣ୍ଡିଆ, ଉଡ଼ା ଚାନ୍ଦୁଆ ଆଦି ବି ଆହୁରି ଆକର୍ଷଣୀୟ ହୋଇଛି। ଗତକାଲି ଦୁଆରବେଢ଼ାରେ କପଡ଼ା ଲାଗିବା ପରେ ଆଜି ରଥଘେର ଓ ଅନ୍ୟାନ୍ୟ କପଡ଼ା କପଡ଼ା ଲଗାଯାଇଛି। ପୂରା ରଥକୁ କପଡ଼ାରେ ଢ଼ାଙ୍କି ଦିଆଯାଇ ପୂର୍ଣ୍ଣ ପ୍ରସ୍ତୁତ କରାଯାଇଛି।

ନାଲି ଓ ସବୁଜ କପଡ଼ାରେ ସୁସଜ୍ଜିତ ହେଲେ ତାଳଧ୍ବଜ
ନନ୍ଦିଘୋଷ ରଥ ଭଳି ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ ବି ସଜେଇ ହୋଇଛି। ବଡ଼ଠାକୁରଙ୍କ ତାଳଧ୍ବଜ ରଥ ନାଲି ଓ ସବୁଜ ରଙ୍ଗର କପଡ଼ାରେ ସଜେଇ ହୋଇଛି। ଦରଜୀ ସେବକମାନେ ଆଜି ଏହାକୁ ରଥରେ ଲାଗି କରିଛନ୍ତି। ଗତକାଲି କେବଳ ଦୁଆରବେଢ଼ାରେ କପଡ଼ା ଲାଗି କରାଯାଇଥିଲା। ଆଜି ସମ୍ପୂର୍ଣ୍ଣ ରଥକୁ କପଡ଼ା ଲଗାଯାଇ ସଜାଯାଇଛି।

ନାଲି ଓ କଳା କପଡ଼ାରେ ସଜେଇ ହେଲେ ଦର୍ପଦଳନ
ନନ୍ଦିଘୋଷ ଓ ତାଳଧ୍ବଜ ରଥ ଭଳି ଶେଷରେ ମା’ ସୁଭଦ୍ରାଙ୍କ ଦର୍ପଦଳନ ବା ଦେବଦଳନ ରଥ ବି ସଜେଇ ହୋଇଛି। ନାଲି ଓ କଳା ରଙ୍ଗର କପଡ଼ାରେ ଦର୍ପଦଳନ ରଥକୁ ସଜାଯାଇଛି। ଗତକାଲି ନନ୍ଦିଘୋଷ ଓ ତାଳଧ୍ବଜ ରଥରେ ଦୁଆରବେଢ଼ା କପଡ଼ା ଲାଗିଥିଲା। ଆଜି ଦର୍ପଦଳନ ରଥରେ ଦୁଆରବେଢ଼ା କପଡ଼ା ସହ ଅନ୍ୟ କପଡ଼ା ଲାଗି ହୋଇଛି।

ସମ୍ବନ୍ଧିତ ଖବର