ତିନି ରଥରେ ରଙ୍ଗ କାମ ଆରମ୍ଭ, ତେର ପରସ୍ତ ପୋଟଳ କାମ ଶେଷ

ପୁରୀ : ରଥଖଳାରେ ଆଜି ତିନି ରଥର ଦ୍ବିତୀୟ ଓ ତୃତୀୟ ଭୂଇଁରେ କଇଁଚି ସଂଯୋଗ(କ୍ରସ୍‌ ଭଳି) କାମ ଶେଷ ହୋଇଛି। ସେପଟେ ତିନି ରଥର ସମ୍ମୁଖ ଓ ପଛ ଭାଗରେ ଦୁଇଟି ଲେଖାଏଁ କତରା ସଂଯୋଗ କରାଯାଇଛି। ଏହି କତରା ରଥ ଦଣ୍ଡା ଉପର ଗରଗରାରେ ଠେସ ହୋଇ ଖଦିଓରାରେ ପଡ଼ିବା ପରେ ଅସୁଆରି, କୋଣଗୁଜ ସହ ସଂଲଗ୍ନ ହେବ। ପରେ ଏହା ଚାରପରିଚ୍ଛା ଉପର ଦେଇ ହାତୀ ଶୁଣ୍ଢ ପରି ଅଢ଼େଇ ଫୁଟ ବାହାରକୁ ବାହାରି ରହିବ। ଏହା ଭିତର ଅଂଶକୁ ବାନ୍ଧେଣି ଭଳି କାମ ଦେବା ସହ ରଥର ସୌନ୍ଦର୍ଯ୍ୟ ବୃଦ୍ଧି କରିବ। ସେବକମାନେ ବି ସେବା ପାଇଁ ଏହା ସାହାଯ୍ୟରେ ରଥ ଉପରକୁ ଉଠିପାରିବେ। ଆଜି ତିନି ରଥର ପାରାଭାଡ଼ିକୁ ମିଶାଇ ୧୩ ପରସ୍ତ ପୋଟଳ ନିର୍ମାଣ ଶେଷ ହୋଇଛି।

ପାରାଭାଡ଼ି ରଙ୍ଗ ସହ ପାରା ଚିତ୍ର ଅଙ୍କନ ପରେ ସମସ୍ତ ପୋଟଳ ରଥ ଉପରେ ସଂଯୋଗ ହେବ। ତିନି ରଥର ବେଦି ସମ୍ମୁଖ ଭାଗରେ ଆଜି ତାଗ ପଡ଼ିଛି। ରୂପକାର ସେବକଙ୍କ ଦ୍ବାରା ତାଳଧ୍ବଜ ରଥ ଓ ଦେବଦଳନ ରଥର ସିଂହାସନରେ କୁମ୍ଭ ଡାଳି, ଲତା ଖୋଦେଇ କାମ ଶେଷ ହୋଇଛି। ନନ୍ଦିଘୋଷ ରଥର ସିଂହାସନରେ କୁମ୍ଭ ଡାଳି, ଲତା ଖୋଦେଇ ସହ ନାଟଗୋଡ଼ରେ ରାହୁରୂପ ଖୋଦେଇରେ ଶେଷ ସ୍ପର୍ଶ ଦିଆଯାଉଛି। ଆଜି ଚିତ୍ରକର ସେବକମାନେ ତିନି ରଥର ତଳ ଭାଗ ଅଂଶଗୁଡ଼ିକରେ ରଙ୍ଗ ଦେବା କାମ ଆରମ୍ଭ କରିଛନ୍ତି। ଦୋଳବେଦି କମାରଶାଳରେ ଓଝା ସେବକମାନେ ଅନ୍ଧାରି ତାଗ କଣ୍ଟା, କତାରି କଣ୍ଟା, ତାଗ କଣ୍ଟା, ଉପର କଇଁଚି କଣ୍ଟା ନିର୍ମାଣ ଶେଷ କରି ରଥ ମହାରଣା ଓ ଭୋଇ ସେବକମାନଙ୍କୁ ଯୋଗାଇ ଦେଇଛନ୍ତି। ତେରପରସ୍ତ ପୋଟଳ କଣ୍ଟା ବା ଜଂଘା କଣ୍ଟା(ପୋଟଳକୁ ବାନ୍ଧି ରଖିବା ପାଇଁ) ସାଢ଼େ ୪ ଫୁଟର ୪ଟି ଲେଖାଏଁ ୧୨ଟି କଣ୍ଟା ନିର୍ମାଣ ଶେଷ ହୋଇଛି।

ସମ୍ବନ୍ଧିତ ଖବର