ମହାମିଳନ : ଘୋଷଯାତ୍ରାରେ ଦାରୁ ଦିଅଁ, ଶ୍ରୀଗୁଣ୍ଡିଚା ମନ୍ଦିର ସାମ୍ନାରେ ବଡ଼ଠାକୁର, ଦେବୀ ସୁଭଦ୍ରା, ବଳଗଣ୍ଡିରେ ଅଟକିଲା ନନ୍ଦିଘୋଷ

ସଅଳ ନୀତି, ଦେଢ଼ ଘଣ୍ଟା ପୂର୍ବରୁ ରଥଟଣା, ବଡ଼ଦାଣ୍ଡ ଜନସମୁଦ୍ର, ୭ ଲକ୍ଷ ଭକ୍ତଙ୍କ ସମାଗମ

ପୁରୀ : ଭକ୍ତ ସହିତ ମିଳନର ଉତ୍ସୁକତା ଏତେ ବଢ଼ିଯାଇଥିଲା ଯେ ମହାପ୍ରଭୁ ସଅଳ ସଅଳ ଆସ୍ଥାନ ଛା଼ଡି ଚାଲି ଆସିଥିଲେ। ପାଖାପାଖି ଘଣ୍ଟାଏ ଆଗରୁ ଉଭା ହୋଇଥିଲେ ସାତ ପାହାଚରେ। ଦୋଳାୟମାନ ଟାହିଆରେ ମହାପ୍ରଭୁଙ୍କ ଚାଲି ଯେତିକି ଆକର୍ଷଣୀୟ ଥିଲା, ଭକ୍ତଙ୍କ ଉଦ୍ଦେଶ୍ୟରେ ଶ୍ରୀଜିଉମାନଙ୍କ ବାଙ୍କ ଚାହାଣୀରେ ସେମିତି ଉଛୁଳି ଉଠିଥିଲା ଶ୍ରୀମନ୍ଦିରରୁ ବଡ଼ଦାଣ୍ଡ। ଭାବାବେଗକୁ ରୋକିପାରିନଥିଲେ ଭକ୍ତ। ଘଣ୍ଟନାଦ, ହୁଳୁହୁଳି, ହରିବୋଲରେ କମ୍ପିଥିଲା ସମଗ୍ର ଅଞ୍ଚଳ। କେବଳ ସେତିକି ନୁହେଁ, ଏତେ କ୍ଷୀପ୍ର ଗତିରେ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ବଡ଼ଦାଣ୍ଡରେ ଚାଲିଥିଲେ ଯେ ମନେ ହେଉଥିଲା, ସନ୍ଧ୍ୟା ଆଗରୁ ଠାକୁରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିଯିବେ। ହେଲେ ଶ୍ରୀଜଗନ୍ନାଥ କପଟ କଲେ। ହଠାତ୍‌ ବଳଗଣ୍ଡି ଛକରେ ରଥ ବାମ ମୋଡ଼ ନେଲା, ଆଉ ସାମାନ୍ୟ କୃଷ୍ଣଚୂଡ଼ା ଗଛକୁ ଆଢୁଆଳ କରି ଅଟକିଗଲେ ପ୍ରଭୁ। ଆସନ୍ତାକାଲି ୯ଟାରେ ପୁଣି ଥରେ ରଥଟଣା ହେବାକୁ ନୀତି ନିର୍ଘଣ୍ଟ ହୋଇଛି।

ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ତାଳଧ୍ୱଜ ଏବଂ ଦେବଦଳନ କିନ୍ତୁ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଯାଇଛନ୍ତି। ବଡ଼ଦାଣ୍ଡରେ ଭଗବାନଙ୍କ ସହ ଏକାକାର ହୋଇଯାଇଛନ୍ତି ଭକ୍ତ।

ଆଜି ଘୋଷଯାତ୍ରାରେ ଉଭା ହୋଇଛନ୍ତି ଦାରୁଦିଅଁ। ପତିତଜନଙ୍କୁ ଉଦ୍ଧାର ପାଇଁ ରତ୍ନବେଦିରୁ ବଡ଼ଦାଣ୍ଡକୁ ଓହ୍ଲାଇଛନ୍ତି ବିଶ୍ୱ ବ୍ରହ୍ମାଣ ନିୟନ୍ତା ଚତୁର୍ଧା ମୂରତି। ଆଜିଠାରୁ ଆରମ୍ଭ ହୋଇଛିି ନବଦିନାତ୍ମକ ବିଶ୍ୱପ୍ରସିଦ୍ଧ ରଥଯାତ୍ରା।

କେତେବେଳେ ଝିପି ଝିପି ବର୍ଷା ହୋଇଥିଲା, ଆଉ କେତେବେଳେ ପାଣି ଖରା ବିଛାଡ଼ି ହୋଇ ପଡୁଥିଲା। ପୁଣି କେଉଁ ମୁହୂର୍ତରେ ମେଘ ଢାଙ୍କି ସୂର୍ଯ୍ୟଙ୍କ ତାପରୁ ଭକ୍ତଙ୍କୁ ସୁରକ୍ଷା ଦେଉଥିଲେ ପ୍ରଭୁ। ବର୍ଷା ଓ ଖରାର ଲୁଚକାଳି ଭିତରେ ବଡ଼ଦାଣ୍ଡ କିନ୍ତୁ ସକାଳ ପହରୁ ଲୋକାରଣ୍ୟ ହୋଇ ଉଠିଥିଲା। ଦେଶ ବିଦେଶରୁ ପାଖାପାଖି ୭ ଲକ୍ଷରୁ ଊଦ୍ଧ୍ଵର୍ ଭକ୍ତ ଏହି ଯାତ୍ରାରେ ସାମିଲ ହୋଇଥିବା କୁହାଯାଉଛି।

ଶ୍ରୀମନ୍ଦିର ସଂପର୍କରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ରାୟକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ରଥଯାତ୍ରାକୁ ସଫଳ କରିବା ସରକାରଙ୍କ ପାଇଁ ଏକ ଆହ୍ଵାନ ସଦୃଶ ହୋଇଥିଲା। ସେବାୟତଙ୍କ ସହଯୋଗ କ୍ରମେ ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲା ପ୍ରଶାସନ ଏଥିରେ କିଛି ପରିମାଣରେ ସଫଳ ହୋଇଛନ୍ତି। ସକଳ ବ୍ୟବସ୍ଥା ସତ୍ତ୍ୱେ ଆଜି ଶ୍ରୀମନ୍ଦିର ବ୍ୟବସ୍ଥାବଳୀରେ ବ୍ୟତିକ୍ରମ ଦେଖା ଦେଇଥିଲା। ଠାକୁରଙ୍କ ଟାହିଆ ସୁରକ୍ଷିତ ରହିନଥିଲା। କିଛି ବିଦେଶୀ ଭକ୍ତ ମଦନମୋହନ, ମା’ ସୁଭଦ୍ରାଙ୍କୁ ସ୍ପର୍ଶ କରିଥିବା ଅଭିଯୋଗ ହୋଇଛି।

ଗତକାଲି ନବଯୌବନ ପରଠାରୁ ଶ୍ରୀଜିଉମାନଙ୍କ ନୀତିରେ ଶୃଙ୍ଖଳା ଦେଖାଦେଇଥିଲା। ଆଜି ଏହାର ପ୍ରଭାବ ପଡ଼ିଥିଲା ରଥଯାତ୍ରା ନୀତିରେ। ସେବାୟତମାନେ ନୀତିକାନ୍ତିକୁ ଆହୁରି ସଅଳ ସମାପନ କରିଥିଲେ। ସକାଳ ୮ଟା୩୦ରେ ତିନି ରଥର ପ୍ରତିଷ୍ଠା କରାଯିବା ପରେ ସକାଳ ୮ଟା୫୦ରେ ଆରମ୍ଭ ହୋଇଥିଲା ପହଣ୍ଡି। ଶ୍ରୀ ସୁଦର୍ଶନ ରଥାରୁଢ଼ ହେବା ପରେ ତିନି ଠାକୁରଙ୍କ ସଅଳ ପହଣ୍ଡି ହୋଇଥିଲା। ଗୋଟିଏ ସମୟରେ ସ୍ଥିତି ଏମିତି ହୋଇଥିଲା ଯେ ସିଂହଦ୍ୱାରରୁ ବାଇଶି ପାହାଚ ମଧ୍ୟରେ ଭାଇ ଭଉଣୀ ତିନିଜଣ ଆଗପଛ ହୋଇ ରହିଯାଇଥିଲେ। କେଉଁଠି ଦୁଇରୁ ଚାରିମିନିଟ୍‌ ତ ଆଉ କେଉଁଠି ୧୫ ମିନିଟ୍‌ରୁ ଅଧଘଣ୍ଟା ଯାଏ ଅଟକି ରହି ମୁଣ୍ଡ ଉଠାଇ ଦେଖୁଥିଲେ ଭକ୍ତଙ୍କୁ। ମନେ ହେଉଥିଲା, ଯେମିତି ତାଙ୍କ ସହିତ ମିଳନ ପାଇଁ କିଏ କେତେ ବ୍ୟଗ୍ରତା ପ୍ରକାଶ କରୁଛି, ତାକୁ ପରଖିବା ଲାଗି ଚାହୁଁଥିଲେ ମହାପ୍ରଭୁ। ପୂର୍ବାହ୍ନ ୧୧ଟା ୪୫ ସୁଦ୍ଧା ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ପ୍ରକ୍ରିୟା ଶେଷ ହୋଇଥିଲା। ରଥ ଉପରେ ତିନି ଠାକୁରଙ୍କୁ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଦର୍ଶନ କରିବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ରଥରେ ଛେରାପହଁରା କାର୍ଯ୍ୟ ସଂପନ୍ନ କରିଥିଲେ। ପରେ ପରେ ତୁରନ୍ତ ଚାରମାଳ ଫିଟାଯିବା ପରେ ଘୋଡ଼ା ଯୋଖା ହୋଇ ରଥଟଣା ଆରମ୍ଭ ହୋଇଥିଲା।

ଯଦିଓ ଅପରାହ୍ନ ୪ଟାରେ ରଥଟଣା ହେବାକୁ ନୀତି ନିର୍ଘଣ୍ଟ କରାଯାଇଥିଲା, ବଡଠାକୁରଙ୍କ ତାଳଧ୍ୱଜ ରଥ ଅପରାହ୍ନ ୨ଟା ୩୫ରେ ଗଡ଼ିଥିଲା ଶ୍ରୀଗୁଣ୍ଡିଚା ମନ୍ଦିରକୁ। ଅପରାହ୍ନ ୪ଟା ୩୦ ସୁଦ୍ଧା ବଡ଼ ଭାଇ ମାଉସୀ ମା’ ମନ୍ଦିର ଅତିକ୍ରମ କରି ସନ୍ଧ୍ୟା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଯାଇଥିଲେ। ସେହିଭଳି ମା’ ସୁଭଦ୍ରାଙ୍କ ଦେବଦଳନ ରଥ ୩ଟା ୨୦ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଅପରାହ୍ନ ୪ଟା ୫ରେ ଟଣାଯାଇଥିଲା।

ଅସହ୍ୟ ଗୁଳୁଗୁଳି ଯୋଗୁ ଆଜି ବଡ଼ଦାଣ୍ଡରେ ଶତାଧିକ ଲୋକ ଅଂଶୁଘାତରେ ଆକ୍ରାନ୍ତ ହୋଇଥିଲେ। ଏହାର ପ୍ରଭାବରେ ବଡ଼ଦାଣ୍ଡରେ ଆଜି ଜଣେ ଅପରିଚିତ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଗରମରେ ଭକ୍ତମାନେ ଅସ୍ତବ୍ୟସ୍ତ ହେଉଥିବା ବେଳେ ଅପରାହ୍ନ ଗୋଟାଏ ବେଳକୁ ଆରମ୍ଭ ହୋଇଥିଲା ବର୍ଷା। ବର୍ଷାରେ ଭିଜି ଭିଜି ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ରଥକୁ ଟାଣି ନେଇଥିଲେ ଆଗକୁ।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ବିନିତ ଶରଣ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରିମଣ୍ଡଳର ସଦସ୍ୟ, ବିଧାୟକ, ରାଜନେତା ମଧ୍ୟ ବଡ଼ଦାଣ୍ଡରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ରଥଯାତ୍ରା ଅବସରରେ ଶୁଭକାମନା ଜଣାଇଥିଲେ।

ଉଲ୍ଲେଖଯୋଗ୍ୟ, ଆଜି ସକାଳ ୫.୫୦ ବେଳେ ମଙ୍ଗଳ ଆରତି, ୫ଟା ୫୫ରେ ମଇଲମ, ୬.୦୫ରେ ରୋଷ ହୋମ, ୬ଟା ୩୫ରେ ଅବକାଶ, ୬ଟା୫୫ରେ ସୂର୍ଯ୍ୟପୂଜା, ୭ଟା୧୦ରେ ଦ୍ଵାରପାଳ ପୂଜା, ୭ଟା୧୫ରେ ବେଶ ଶେଷ, ୮ଟା୧୫ରେ ଗୋପାଳବଲ୍ଲଭ, ୮ଟା ୩୦ରେ ରଥ ପ୍ରତିଷ୍ଠା ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର