ପୁରୀ : ରଥଯାତ୍ରା ପୂର୍ବରୁ ପରିଚାଳନା କମିଟିଠାରୁ ଆରମ୍ଭ କରି ଛତିଶା ନିଯୋଗ ଓ ନୀତି ସବ୍କମିଟି ବୈଠକ ବସିଲା। ରଥଯାତ୍ରା ପ୍ରସ୍ତୁତିର ଘନ ଘନ ସମୀକ୍ଷା ବି ହେଲା। ଶୃଙ୍ଖଳିତ ରଥଯାତ୍ରା ପାଇଁ ପ୍ରତିବର୍ଷ ଭଳି ବ୍ୟବସ୍ଥାବଳୀ ପ୍ରସ୍ତୁତ ହୋଇଥିବା ବେଳେ ଏହାକୁ ଉଲ୍ଲଙ୍ଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ନିର୍ଦେଶ ଜାରି କଲା। ତଥାପି ଏହି ନିୟମକୁ ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି ସେବାୟତ। ଯେଉଁଥି ପାଇଁ ଆଜି ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ଅନେକ ସେବାୟତଙ୍କ ଉପରେ ଅସନ୍ତୋଷ ବି ଝାଡ଼ିଛନ୍ତି। ସେପଟେ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ରଥ ଉପରୁ ଦାନଦକ୍ଷିଣା ଆଦାୟ ସହ ତୁଳସୀ, ନଡ଼ିଆ, ପାଣିବୋତଲ ଫିଙ୍ଗା ଯାଇଛି। ରଥ ଉପରେ ଚଢ଼ିବା ପାଇଁ ସେବାୟତଙ୍କ ସଂଖ୍ୟା ଚୂଡ଼ାନ୍ତ ହୋଇଥିଲେ ମଧ୍ୟ ଏହାଠାରୁ ଢେର ଅଧିକ ଓ ଅନେକ ଅଣସ୍ବୀକୃତ ସେବାୟତ ରଥ ଉପରେ ଚଢ଼ିଛନ୍ତି।
ବ୍ୟବସ୍ଥାବଳୀରେ ସ୍ପଷ୍ଟ ଉଲ୍ଲେଖ ରହିଥିଲା କି ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନକୁ ଅଗ୍ରାଧିକାର ଦିଆଯିବ। ଶ୍ରୀଜିଉଙ୍କ ପହଣ୍ଡି ବିଜେ ଓ ରଥାରୂଢ଼ ଚତୁର୍ଦ୍ଧା ମୂର୍ତିଙ୍କୁ ଯେପରି ବଡ଼ଦାଣ୍ଡରେ ସମବେତ ଅଗଣିତ ଭକ୍ତ ଅବାଧରେ ଦର୍ଶନ କରିପାରିବେ ସେଥିପ୍ରତି ଦଇତାପତି ନିଯୋଗ, ଚାରି ବାଡ଼ଗ୍ରାହୀ, ପୁଲିସ ଓ ଜେଟିପି (ଶ୍ରୀମନ୍ଦିର ପୁଲିସ) ଦୃଷ୍ଟି ଦେବେ। ଶ୍ରୀଜିଉଙ୍କ ସମ୍ମୁଖ ଭାଗରେ କେହି ରହିବେନି କି ରଥର ଉଭୟ ପାର୍ଶ୍ବ ବାଡ଼ରେ କେହି ବସିବେନି। ରଥ ଉପରୁ ନଡ଼ିଆ, କଦଳୀ, ଫୁଲ, ତୁଳସୀ ଫିଙ୍ଗା ଯିବନାହିଁ। ରଥ ଉପରେ ଥଣ୍ଡା ପାନୀୟ, ବୋତଲରେ ଜଳପାନ, କ୍ୟାମେରା, ମୋବାଇଲ୍ ଫୋନ୍କୁ ସଂପୂର୍ଣ୍ଣ ନିଷେଧ କରାଯାଇଥିବା ବେଳେ ଦଇତାପତି ନିଯୋଗ, ନିୟୋଜିତ ଅଧିକାରୀମାନେ ଏଥି ପ୍ରତି ଦୃଷ୍ଟି ଦେବାକୁ କୁହାଯାଇଥିଲା। କେଉଁ ରଥରେ କେତେ ଘଣ୍ଟୁଆ, ସେବାୟତ ରହିବେ ତାହା ବି ଚୂଡ଼ାନ୍ତ ହୋଇଥିଲା। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନର ଏହି ବ୍ୟବସ୍ଥାବଳୀ କେବଳ ନାମକୁ ମାତ୍ର ହୋଇ ରହିଯାଇଛି। ଆଜି ପହଣ୍ଡିଠାରୁ ଆରମ୍ଭ କରି ରଥାରୂଢ଼ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଆଗରେ ଏକାଧିକ ସେବାୟତ ଠିଆ ହୋଇ ରହିବାରୁ ଭକ୍ତମାନେ ଦୁର୍ଲ୍ଲଭ ଦର୍ଶନରୁ ବଞ୍ଚିତ ହୋଇଥିଲେ।
ଘଣ୍ଟୁଆମାନେ ବି ମହାପ୍ରଭୁଙ୍କ ଆଗରେ ରହି ଘଣ୍ଟ ବଜାଇଥିଲେ। ତାଳଧ୍ବଜ ରଥରେ ୭୦ ଜଣ, ନନ୍ଦିଘୋଷ ରଥରେ ୮୦ ଜଣ ଓ ଦର୍ପଦଳନ ରଥରେ ୬୦ ଜଣ ସେବାୟତ ରହିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଆଜି ଏହାଠାରୁ ବହୁ ଅଧିକ ସେବାୟତ ରଥ ଉପରେ ରହିଥିଲେ। ଅନେକ ଅଣ୍ବସ୍ବୀକୃତ ବି ରଥ ଉପରେ ଚଢ଼ିଥିବା ଦେଖିବାକୁ ମିଳିଥିଲା। ଖୋଲାଖୋଲି ରଥ ଆଗରେ ବସି ସେବାୟତମାନେ ତୁଳସୀ, ଶିରି କପଡ଼ା ଦେଇ ଟଙ୍କା ଆଦାୟ କରିଥିଲେ। କାହାଠୁ ୧୦୦ ଟଙ୍କା ତ କାହାଠୁ ୫୦୦ ଟଙ୍କା ଆଦାୟ ହୋଇଥିଲା। ୧୦/୨୦ ଟଙ୍କା ଦେଇଥିବା ଭକ୍ତଙ୍କୁ ଗାଳି ବି ଶୁଣିବାକୁ ପଡ଼ିଥିଲା। ସବୁଠୁ ବଡ଼ କଥା ହେଲା, ଏହି ଘଟଣା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ଘଟିଥିଲେ ମଧ୍ୟ ଏଥିରେ ଲଗାମ ଲାଗିପାରିନି। ଖାଲି ସେତିକି ନୁହେଁ, ରଥ ଉପରୁ ନଡ଼ିଆ ଫିଙ୍ଗାଫୋପଡ଼ା ସାଙ୍ଗକୁ ରଥ ଉପରେ ନଡ଼ିଆ ବି ବାଡିଆ ହୋଇଥିଲା। ସେବାୟତମାନେ ଅସୁରକ୍ଷିତ ଭାବେ ରଥ ବାଡ଼ରେ ବସି ତୁଳସୀ, ଫୁଲ ବାଣ୍ଟିଥିଲେ। ରଥ ତଳୁ ପାଣି ବୋତଲଠାରୁ ଆରମ୍ଭ କରି ଅନ୍ୟାନ୍ୟ ଖାଦ୍ୟପେୟ, ଥଣ୍ଡା ପାନୀୟ ବୋତଲ ବି ରଥ ଉପରକୁ ଫିଙ୍ଗିଥିଲେ।