ପୁରୀ : ଆଜି ଥିଲା ପବିତ୍ର ନୃସିଂହ ଚତୁର୍ଦ୍ଦଶୀ। ରଥ ସଂହିତା ଅନୁଯାୟୀ ଆଜିର ଦିନରେ ତିନି ରଥର କୋଣଗୁଜ ଅନୁକୂଳ ହୋଇଥାଏ। ରୂପକାର ସେବକମାନେ ରଥକାଠରେ ପ୍ରଭୁ ନୃସିଂହଙ୍କ ଚିତ୍ର ଆଙ୍କି କାମ ଅନୁକୂଳ କରିଥାନ୍ତି। ଏହି ଶହ ଶହ ବର୍ଷର ପରମ୍ପରା ଆଜି ଭାଙ୍ଗିଯାଇଛି। ରୂପକାର ସେବକମାନେ ରଥଖଳାକୁ ଆସି ଦିନତମାମ ଅପେକ୍ଷା କରି ଫେରିଛନ୍ତି। ସେପଟେ ମୁଖ୍ୟ ବିଶ୍ବକର୍ମାମାନେ ରଥ ନିର୍ମାଣକୁ ନେଇ ଅସନ୍ତୋଷ ବାଢ଼ିଛନ୍ତି। ଯେଉଁ ସମୟ ହାତରେ ରହିଛି, ‌ସେ ସମୟ ଭିତରେ ରଥ ନିର୍ମାଣ ଅସମ୍ଭବ। ଯେହେତୁ ମହାପ୍ରଭୁଙ୍କ କଥା କଷ୍ଟେମଷ୍ଟେ କରିବାକୁ ଚେଷ୍ଟା କରିବୁ, କିନ୍ତୁ କୌଣସି ପରିସ୍ଥିତିରେ ବିଧି ରକ୍ଷା ହୋଇପାରିବନି ବୋଲି ମୁଖ୍ୟ ବିଶ୍ବକର୍ମାମାନେ ମତ ଦେଇଛନ୍ତି। ଫଳରେ ରଥ ନିର୍ମାଣ ଓ ରଥଯାତ୍ରା ଅନିଶ୍ଚିତତା ଭିତରକୁ ଚାଲିଯାଇଛି।

Advertisment

ଗତ ୪ ତାରିଖରେ ରଥ ନିର୍ମାଣ ପାଇଁ ପରିଚାଳନା କମିଟି ରାଜ୍ୟ ସରକାରଙ୍କୁ ସୁପାରିସ ପରେ ରଥଯାତ୍ରାର ଆଶା ଉଜ୍ଜ୍ବଳ ‌ହୋଇଥିଲା। କଟକଣାରେ ଧାର୍ମିକ ପର୍ବ ଅନ୍ତର୍ଭୁକ୍ତ ନଥିବାରୁ ରଥ ନିର୍ମାଣ ଆରମ୍ଭ ହେବ ବୋଲି ଗଜପତି ମହାରାଜଙ୍କ ସମେତ ପରିଚାଳନା କମିଟି ଆଶା ଦେଖାଇଥିଲେ। ଅଗଣିତ ଭକ୍ତ ବି ଏହା ଶୁଣି ଖୁସି ପ୍ରକଟ କରିଥିଲେ। କିନ୍ତୁ ରାଜ୍ୟ ସରକାର ଏ ଉପରେ ଆଜି ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଉତ୍ତର ରଖିନାହାନ୍ତି। କେନ୍ଦ୍ର ସରକାରଙ୍କୁ ଅନୁମତି ମଗାଯାଇଛି କହି ରଥ ନିର୍ମାଣ ପ୍ରସଙ୍ଗକୁ ଝୁଲାଇ ରଖିଛନ୍ତି। ଏଭଳି ସ୍ଥିତିରେ ଆଜି ଦ୍ବିତୀୟ ଦିନରେ ବି ରଥ ନିର୍ମାଣ ଆରମ୍ଭ ହୋଇପାରିନି। ଗତକାଲି ତିନି ରଥର ମୁଖ୍ୟ ବିଶ୍ବକର୍ମାମାନେ ରଥଖଳାରେ ଅନୁମତିକୁ ଅପେକ୍ଷା କରି କରି ଫେରିଥିଲେ। ଆଜି ରୂପକାର ସେବକମାନେ ରଥଖଳାରେ ଅପେକ୍ଷା କରି ଫେରିଛନ୍ତି। ପରମ୍ପରା ଅନୁଯାୟୀ ନୃସିଂହ ଚତୁର୍ଦ୍ଦଶୀରେ ରୂପକାର ସେବକମାନେ ନଡ଼ିଆ, ମାହାର୍ଦ୍ଦ ଆଦି ଲାଗି କରି କୋଣଗୁଜ ଅନୁକୂଳ କରିଥାନ୍ତି। ଆଜି ଅନୁମତି ନ ମିଳିବାରୁ ରୂପକାର ସେବକମାନେ ନିରାଶ ହୋଇ ଫେରିଛନ୍ତି।

ଏ ସଂପର୍କରେ ରୂପକାର ସେବକ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ଗତକାଲି ଯଦି ମହାରଣା ସେବକମାନେ କୋଣଗୁଜଗୁଡ଼ିକ ନିର୍ମାଣ କରିଥାନ୍ତେ, ତେବେ ରୂପକାର ସେବକମାନେ ନୃସିଂହଙ୍କ ପ୍ରତୀକାତ୍ମକ ବିଗ୍ରହ ସିଂହ ବିରାଳ ରୂପଟି ଆଙ୍କି, ନଡ଼ିଆ ବାଡ଼େଇ, ମାହାର୍ଦ୍ଦ ସମର୍ପଣ କରି କୋଣଗୁଜ ଅନୁକୂଳ କରିଥାନ୍ତେ। ଏହି ନୀତି ଶ୍ରୀମନ୍ଦିର ନୀତି ସହ ଜଡ଼ିତ। ନୃସିଂହ ଚତୁର୍ଦ୍ଦଶୀ ତିଥିରେ ଯଦି ସିଂହ ବିରାଳ ଚିତ୍ର ଅଙ୍କା ଯାଇଥାନ୍ତା, ନୃସିଂହଙ୍କ ମନ୍ତ୍ର ପାଠ କରି ଅନୁକୂଳ କାର୍ଯ୍ୟ କରାଯାଇଥାନ୍ତା। ଏହା ରଥଯାତ୍ରା ପାଇଁ ଆଶା ସଂଚାର କରିଥାନ୍ତା। କିନ୍ତୁ ‌ଆଜି ଭଳି ପବିତ୍ର ଦିନରେ ସେ ଭଳି କିଛି ହୋଇପାରିଲାନି। ଏଥିରୁ ସ୍ପଷ୍ଟ ହେଉଛି କି ସରକାର ରଥଯାତ୍ରା କରିବାକୁ ଚାହୁଁନାହାନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଏ ସଂପର୍କରେ ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ବକର୍ମା ବିଜୟ ମହାପାତ୍ର କହିଛନ୍ତି, ସରକାର ବର୍ତ୍ତମାନ ସୁଦ୍ଧା ରଥ ନିର୍ମାଣ ପାଇଁ କୌଣସି ଅନୁମତି ଦେଇନାହାନ୍ତି। ଏହି କାର୍ଯ୍ୟକୁ ଝୁଲାଇ ରଖିଛନ୍ତି। ହାତରେ ବି ସମୟ ନାହିଁ। ତଥାପି ଯଦି ରଥ ନିର୍ମାଣ କରିବାକୁ କୁହାଯାଏ, ଆମେ ନିର୍ମାଣ ପାଇଁ ପ୍ରସ୍ତୁତ ଅଛୁ, କିନ୍ତୁ କୌଣସି ପରିସ୍ଥିତିରେ ବିଧି ରକ୍ଷା କରିପାରିବୁନି। ଯେଉଁ ବିଧିରେ ଚକଡେରା ହେବା କଥା କି ଅନ୍ୟ କିଛି କାମ ହେବା କଥା, ତାହା ହୋଇପାରିବନି ବୋଲି ସେ କହିଛନ୍ତି।