ବିକଳ୍ପ ଉପାୟରେ ଯାଞ୍ଚ ପାଇଁ ବିଚାର
ସବ୍କମିଟି ବୈଠକ ଆଜି, ସନ୍ଧ୍ୟାରେ ନିଷ୍ପତ୍ତି
ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ନେଇ ଗତ କିଛି ଦିନ ହେବ ଲାଗି ରହିଥିବା ଉତ୍ସୁକତାରେ ଆପାତତଃ ରୋକ୍ ଲାଗିପାରେ। ବିଶ୍ୱସ୍ତ ସୂତରୁ ମିଳିଥିବା ସୂଚନା ମୁତାବକ, ଶ୍ରୀମନ୍ଦିର ପ୍ରଶାସନ ଭିତର ରତ୍ନଭଣ୍ଡାର ନ ଖୋଲି ବିିକଳ୍ପ ଉପାୟରେ ସ୍ଥିତି ଯାଞ୍ଚ କରିବାକୁ ବିଚାର କରୁଛି। ସାଧାରଣ ଲୋକଙ୍କ ଭାବନାକୁ ସମ୍ମାନ ଦେଇ ନାଭିକଟା ମଣ୍ଡପରୁ ଏଏସ୍ଆଇ ବିଶେଷଜ୍ଞ ଦଳ ରତ୍ନ ଭଣ୍ଡାର ଛାତ ଯାଞ୍ଚ୍ କରିବାକୁ ଯୋଜନା ଚାଲିଛି। ଆବଶ୍ୟକସ୍ଥଳେ ବାହାର ରତ୍ନଭଣ୍ଡାରରୁ ଯାଞ୍ଚ କରାଯିବ। ଆସନ୍ତାକାଲି ଏଭଳି ଏକ ପ୍ରସ୍ତାବ ଉପରେ ମୋହର ଲଗାଇବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରତ୍ନଭଣ୍ଡାର ସବ୍ କମିଟିର ଏକ ଜରୁରି ବୈଠକ ଡକାଯାଇଛି।
ପ୍ରଶାସନ ଏହି ବୈଠକର ନିଷ୍ପତ୍ତି ଆସନ୍ତା ୨୯ ତାରିଖ ଦିନ ହାଇକୋର୍ଟଙ୍କୁ ଜଣାଇବାର ସମ୍ଭାବନା ରହିଛି।
ଉଲ୍ଲେଖଯୋଗ୍ୟ, ଆସନ୍ତା ୨୬ ଓ ୨୭ ତାରିଖରେ ରତ୍ନଭଣ୍ଡାର ଖୋଲି ଏହାର ସ୍ଥିତି ଯାଞ୍ଚ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ହାଇକୋର୍ଟ ନିର୍ଦେଶ ଦେଇଥିଲେ। ଜଗମୋହନକୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଖୋଲିବା ପୂର୍ବରୁ ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ଲାଗି ପ୍ରଶାସନ ଯେଉଁ ତଥ୍ୟ ହାଇକୋର୍ଟଙ୍କୁ ଜଣାଇଥିଲେ, ତା ଆଧାରରେ ଏଭଳି ରାୟ ମିଳିଥିଲା। କେବଳ ସେତିକି ନୁହେଁ, କୋର୍ଟ ଆମିକସ୍ କ୍ୟୁରି ଏନ୍ କେ ମହାନ୍ତିଙ୍କୁ ସ୍ଥିତି ଅନୁଧ୍ୟାନ ବେଳେ ଉପସ୍ଥିତ ରହିବାକୁ ନିର୍ଦେଶ ଦେଇଥିଲେ ଓ ପରବର୍ତୀ ତାରିଖ ଅର୍ଥାତ୍ ୨୯ ତାରିଖରେ ରତ୍ନଭଣ୍ଡାର ସ୍ଥିତି ସଂପର୍କରେ ରିପୋର୍ଟ ଦେବାକୁ କହିଥିଲେ।
ଶ୍ରୀମନ୍ଦିର ପ୍ରଶାସନ ଆଇନ ଅନୁସାରେ, ଭିତର ରତ୍ନଭଣ୍ଡାର ଖୋଲିବା ପାଇଁ ହେଲେ ରାଜ୍ୟ ସରକାରଙ୍କ ଅନୁମତି ଦରକାର। ଗତକାଲି ଶ୍ରୀମନ୍ଦିର ପ୍ରଶାସନ ସରକାରଙ୍କୁ ଜଣାଇଛନ୍ତି। ହେଲେ ଦୁଇଦିନ ସଚିବାଳୟ ଛୁଟି ଥିବା କାରଣରୁୁ ଏହା ଉପରେ ସରକାରୀ ଆଭିମୁଖ୍ୟ ଜଣାପଡିନାହିଁ। ଅନ୍ୟପକ୍ଷରେ ବ୍ରହ୍ମବିଭ୍ରାଟ ଅଡୁଆରୁ ଖସି ନଥିବା ଶ୍ରୀମନ୍ଦିର ପ୍ରଶାସନର ଭିତର ରତ୍ନଭଣ୍ଡାର ତରବରିଆ ଭାବେ ଖୋଲିବା ନିଷ୍ପତ୍ତିକୁ ନେଇ କେବଳ ପୁରୀ ବା ସେବାୟତ ନୁହେଁ, ଶ୍ରୀଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏପରିକି ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରି ଜଣେ ସେବାୟତ ନରସିଂହ ପୂଜାପଣ୍ଡା ଆଜି ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି। ଯେଉଁଭଳି ତରିକାରେ ପ୍ରଶାସନ ଏଭଳି ନିଷ୍ପତ୍ତି ନେଉଛି, ତାହା ସମସ୍ତଙ୍କ ମନରେ ସନ୍ଦେହକୁ ବଢ଼ାଇ ଦେଇଛି।
ଏଣୁ ସାଧାରଣରେ ଶ୍ରୀମନ୍ଦିର ପ୍ରଶାସନ ପ୍ରତି ସୃଷ୍ଟି ହୋଇଥିବା ସନ୍ଦେହକୁ ଦୂର କରିବା ଲାଗି ଆଜି କର୍ତ୍ତୃପକ୍ଷ ବିକଳ୍ପ ଚିନ୍ତା ଆରମ୍ଭ କରିଛନ୍ତି। ରତ୍ନଭଣ୍ଡାର ନ ଖୋଲି ଆଉ କେଉଁ ଉପାୟରେ ସେଠାକାର ସ୍ଥିତି ଯାଞ୍ଚ କରିହେବ, ସେ ନେଇ ଆଜି ବରିଷ୍ଠ ଅଧିକାରୀ, ବିଶେଷଜ୍ଞମାନଙ୍କ ସହିତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଲୋଚନା କରିଥିବା ସୂଚନା ମିଳିଛି। ଆଖିବୁଜି ଭିତର ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ତା’ର ସଂଲଗ୍ନ ନାଭିକଟା ମଣ୍ଡପ ଉପରୁ ପ୍ରଥମେ ଛାତର ସ୍ଥିତି ଅନୁଧ୍ୟାନ କରିବା ଲାଗି ପ୍ରସ୍ତାବ ଆସିଛି। କେବଳ ସେତିକି ନୁହେଁ, ବାହାର ଭଣ୍ଡାର ଘରୁ ଭିତର ଭଣ୍ଡାର ଘରକୁ ଲାଇଟ୍ ପକାଇ ତା’ର ସ୍ଥିତି ଦେଖାଯାଇପାରେ। ଯଦି ସେଭଳି କୌଣସି ସମସ୍ୟା ନଥାଏ, ତେବେ ବର୍ତ୍ତମାନ ପାଇଁ ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତିରୁ ପ୍ରଶାସନ ଓହରି ଯାଇପାରେ। ଯଦି ସମସ୍ୟା ଜଣାପଡ଼େ ତେବେ ସବୁ ପ୍ରକାର ସ୍ୱଚ୍ଛତା ରକ୍ଷା କରି ତଥା ରାଜ୍ୟ ସରକାରଙ୍କ ସହିତ ଆଲୋଚନା ଆଧାରରେ ଭିତର ରତ୍ନଭଣ୍ଡାର ଖୋଲିବା ପାଇଁ ବିଚାର କରାଯାଇପାରେ ବୋଲି ଆପାତତଃ ଯୋଜନା ହୋଇଥିବା କୁହାଯାଉଛି। ଆସନ୍ତାକାଲି ଶ୍ରୀମନ୍ଦିର ପ୍ରଶାସକ ଏହା ଉପରୁ ପରଦା ଉଠାଇ ପାରନ୍ତି।
ନୀତି ପ୍ରଶାସକ ପ୍ରଦୀପ କୁମାର ଦାସ କହିଛନ୍ତି, ରତ୍ନ ଭଣ୍ଡାର ସବ୍ କମିଟି ବୈଠକ ଆସନ୍ତାକାଲି ସନ୍ଧ୍ୟାରେ ବସିବ। ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ରତ୍ନଭଣ୍ଡାର ସବ୍ କମିଟି ସଭ୍ୟମାନେ ଉପସ୍ଥିତ ରହିବେ। ରତ୍ନଭଣ୍ଡାର ଯାଞ୍ଚ ସଂକ୍ରାନ୍ତ ହାଇକୋର୍ଟଙ୍କ ନିର୍ଦେଶ ଗତକାଲି ମନ୍ଦିର ପ୍ରଶାସନର ହସ୍ତଗତ ହୋଇଛି। ଏହା ଉପରେ ତୁରନ୍ତ ସରକାରଙ୍କ ଅନୁମତି ଲୋଡାଯାଇଛି।
ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କୋର୍ଟ ଆମିକସ୍ କ୍ୟୁରି ଏନ୍ କେ ମହାନ୍ତି ଓ ଏଏସ୍ଆଇର ଦୁଇ ଜଣ ଅଧିକାରୀ ଆସନ୍ତାକାଲି ମନ୍ଦିର ପରିଦର୍ଶନରେ ଆସିବେ। ତେବେ ଏହି ପରିଦର୍ଶନ ସମୟରେ ସେମାନେ ରତ୍ନଭଣ୍ଡାର ଯାଞ୍ଚ୍ କରିବାର କାର୍ଯ୍ୟକ୍ରମ ନ ଥିବା କୁହାଯାଉଛି।