ପ୍ରଶାସନର ସଫେଇ: ରତ୍ନ ଭଣ୍ଡାର ସୁରକ୍ଷିତ

ପୁରୀ : ରତ୍ନ ଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେବାପରେ ଶ୍ରୀମନ୍ଦିର ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ମହାପ୍ରଭୁଙ୍କ ସମସ୍ତ ରତ୍ନ ଅଳଙ୍କାର ରତ୍ନ ଭଣ୍ଡାରରେ ଦୃଢ ସଂରକ୍ଷଣ ବ୍ୟବସ୍ଥା ଭିତରେ ରହିଥିବା ନେଇ ଆଜି  ରାତିରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଲୋକ ସଂପର୍କ ଅଧିକାରୀ ସ୍ପଷ୍ଟ କରିଛନ୍ତି। ୧୯୮୫ରେ ଭିତର ରତ୍ନ ଭଣ୍ଡାର ଖୋଲା ଯାଇଥିଲା। କାମ ସରିବା ପରେ ସେଠାରେ ପଡ଼ିଥିବା ତିନି ତାଲା ମଧ୍ୟରୁ ଗୋଟିଏ ତାଲାରେ ଜଉ ମୁଦ ଦିଆଯାଇଥିଲା। ଯାହା ଏବେ ବି ଅକ୍ଷୁର୍ଣ୍ଣ ଅବସ୍ଥାରେ ରହିଛି। ରତ୍ନ ଭଣ୍ଡାରରେ  କୌଣସି ଅବ୍ୟବସ୍ଥା ହୋଇ ନଥିବା ଏଥିରୁ ସ୍ପଷ୍ଟ ହୋଇଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇଛି।

ଜିଲ୍ଲା ଟ୍ରେଜେରିରେ ଚାବି ନ ମିଳିବାରୁ ଏକ ଜରୁରୀ ବୈଠକ ଡକାଯାଇଥିଲା। ସେହିଦିନ ପରିଚାଳନା କମିଟି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଟ୍ରେଜେରିରେ ଚାବି ନଥିବା ଜିଲ୍ଲାପାଳ ସ୍ପଷ୍ଟ କରିଥିଲେ। ଏ ସଂପର୍କରେ  ରାଜ୍ୟ ସରକାରଙ୍କୁ ଅବଗତ କରିବାକୁ ନିଷ୍ପତ୍ତି ହୋଇଥିଲା। ନୀତି ପ୍ରଶାସକ ମନ୍ଦିରର ସମସ୍ତ ନଥିପତ୍ର କରିଥିଲେ। ଏପରିକି ୧୯୮୫ର ଦାୟିତ୍ଵରେ ଥିବା ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ ସହିତ ଆଲୋଚନା କରାଯାଇ ତଥ୍ୟ ସଂଗ୍ରହ କରାଯାଇଥିଲା। ଆଭ୍ୟନ୍ତରୀଣ ରିପୋର୍ଟ ଅନୁଧ୍ୟାନ କରାଯାଇଛି। ମହାପ୍ରଭୁଙ୍କ ରତ୍ନ ସୁରକ୍ଷିତ ରହିଥିବା ନେଇ ଶ୍ରୀମନ୍ଦିର ପ୍ରଶାସକଙ୍କ ପକ୍ଷରୁ ଲୋକସଂପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା ଜଣାଇଛନ୍ତି।

ସମ୍ବନ୍ଧିତ ଖବର