ପୁରୀ ରେଭ୍‌ ପାର୍ଟିର ଗୁମର : ଝାରସୁଗୁଡ଼ାରେ ରହିଛି ରିମୋଟ୍‌

ପୁରୀ/ଝାରସୁଗୁଡ଼ା : ପୁରୀ ରେଭ୍‌ ପାର୍ଟିରେ ଝାରସୁଗୁଡ଼ା ଲିଙ୍କ୍‌ ଧରାପଡ଼ିବା ପରେ ଏଥିରେ ଥିବା ଅନେକ ଗୁମର ଏବେ ପଦାକୁ ଆସୁଛି। ଏଭଳି ରେଭ୍‌ ପାର୍ଟି ଦୀର୍ଘ ବର୍ଷ ଧରି ବିଭିନ୍ନ ତାରକା ହୋଟେଲରେ ଚାଲି ଆସୁଥିଲା। ଏଥିରେ ଝାରସୁଗୁଡ଼ା ଅଞ୍ଚଳର ବହୁ ପ୍ରଭାବଶାଳୀ ବ୍ୟକ୍ତି ସାମିଲ ଥିବା ଜଣାପଡ଼ିଛି। ଏହାର ରିମୋଟ ଝାରସୁଗୁଡ଼ାର କିଛି ବ୍ୟବସାୟୀଙ୍କ ହାତରେ ଥିବା ଚର୍ଚ୍ଚା ହେଉଛି। କାରବାରରେ ପୁରୀ, ରାଉରକେଲା ଅଞ୍ଚଳର ମଧ୍ୟ କିଛି ହୋଟେଲ ବ୍ୟବସାୟୀ ସାମିଲ ଥିବା କୁହାଯାଉଛି। ଏହାର ମୁଖ୍ୟ କାରପଟ୍‌ଦାର ଝାରସୁଗୁଡ଼ାର ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଠାରୁ ସୂଚନା ମିଳୁଛି। ଏହି ମୁଖ୍ୟ ଝାରସୁଗୁଡ଼ା ସମେତ ଛତିଶଗଡ଼ ଓ ଝାଡ଼ଖଣ୍ଡ ଅଞ୍ଚଳର ଯୁବତୀଙ୍କୁ ଦଲାଲ ଦ୍ୱାରା ଆଣିଥାନ୍ତି। ଯୁବତୀ ମାନଙ୍କୁ ଟେଲି ପିକ୍‌ଚର ସୁଟିଂ କରାଯିବା କହି ମୋଟା ଟଙ୍କା ପ୍ରଦାନ କରିଥାନ୍ତି।

ପୂର୍ବ ପ୍ରସ୍ତୁତି ଅନୁଯାୟୀ ରେଭ୍‌ ପାର୍ଟି ଆଳରେ ଯୁବତୀଙ୍କୁ ନିଶାସକ୍ତ କରାଯାଇ ଅବାଧ ଦେହ କାରବାରରେ ସାମିଲ କରିଥାନ୍ତି ବୋଲି କୁହାଯାଉଛି। ଝାରସୁଗୁଡ଼ାର ଜଣେ ହୋଟେଲ ବ୍ୟବସାୟୀ, ସିନେମା ହଲ୍‌ ମାଲିକ ଓ ପେଟ୍ରୋଲ ପମ୍ପ ମାଲିକଙ୍କ ନାମ ପୁରୀ ଲିଙ୍କ୍‌ ସହିତ ଆସୁଥିବା ବେଳେ ଏମାନଙ୍କୁ ପୁରୀ ପୁଲିସ ଗତ ମଙ୍ଗଳବାର ଦିନ ଝାରସୁଗୁଡ଼ାରୁ ଉଠାଇ ନେଇ ଏକ ଅଜ୍ଞାତ ସ୍ଥାନରେ ଜେରା କରୁଛି। ଝାରସୁଗୁଡ଼ା ପୁଲିସ ଏ ସଂପର୍କରେ ମୁହଁ ଖୋଲୁନାହିଁ। ଝାରସୁଗୁଡ଼ାରେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠା ହେବା ପରେ ଏଠାରେ ବାହାର ରାଜ୍ୟର କିଛି ବ୍ୟକ୍ତି ରହି ବିଭିନ୍ନ ସ୍ଥାନରେ ଅବାଧ ସେକ୍ସ କାରବାର ଚଳାଇଥିବା ଅଭିଯୋଗ ହେଉଛି। ଏହି କାରବାର ସହିତ ଅନେକ ବ୍ୟକ୍ତି ସାମିଲ ଥିବା ବେଳେ ଏକ ବଡ଼ ରାକେଟ୍‌ ଏହାକୁ ଅତି ସନ୍ତର୍ପଣରେ ଚଳାଉଥିବା ସଂପର୍କରେ ପୁଲିସ୍‌ ଛାନଭିନ୍‌ ଜାରି ରଖିଛି। କିଛି ଅସାଧୁ ପୁଲିସ ଅଧିକାରୀ ଏହି କାରବାରରେ ଆଖିବୁଜା ସମର୍ଥନ କରୁଥିବା ମଧ୍ୟ ଅଭିଯୋଗ ହେଉଛି। ଏକ ଉଚ୍ଚସ୍ତରୀୟ ତଦନ୍ତ ହେଲେ ଏହି ଅନୈତିକ କାଯ୍ୟର୍ର ପର୍ଦ୍ଦାଫାସ ହେବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର