ପୁରୀ ସଦର ଅଧ୍ୟକ୍ଷ ପଦ: ଚର୍ଚ୍ଚାରେ ପ୍ରସନ୍ନ-କାଳୁ, ଏବେଠୁ ଅଜ୍ଞାତବାସରେ ସମିତି ସଭ୍ୟ

ପୁରୀ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ‌ଶେଷ ପରେ ଏବେ ରାଜନୈତିକ ଦଳମାନେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ଦଖଲ ପାଇଁ କସରତ ଆରମ୍ଭ କରି ଦେଇଛନ୍ତି। କେଉଁ ବ୍ଲକ୍‌ରେ କିଏ ରାଜୁତି କରିବ, ସେ ନେଇ କଳ, ବଳ, କୌଶଳ ଲଗାଇଦେଇଛନ୍ତି। ଏଭଳି ସ୍ଥିତିରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ପୁରୀ ସଦର ବ୍ଲକ୍‌। ବିଜେଡି, ବିଜେପି ଅବା ବିଦ୍ରୋହୀ, କେହି ବି ଏଠାରେ ବହୁମତ ପାଇନଥିବାରୁ କାହା ଭାଗରେ ଅଧ୍ୟକ୍ଷ ପଦ ପଡ଼ିବ ତାକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି। ରାଜନୀତିର ଏହି ଅଡ଼ୁଆ ଖିଅ ଭିତରେ ଅଧ୍ୟକ୍ଷ ପଦ ପାଇଁ ଅଧିକ ଚର୍ଚ୍ଚାରେ ରହିଛନ୍ତି ସମଙ୍ଗ ପଞ୍ଚାୟତରୁ ନିର୍ଦ୍ବନ୍ଦ୍ବରେ ଜିତିଥିବା ସମିତି ସଭ୍ୟ ପ୍ରସନ୍ନ କୁମାର ମିଶ୍ର ଓ ଭାଇଲିପୁର ସମିତି ସଭ୍ୟ କାର୍ତ୍ତ୍ୟାବୀର୍ଯ୍ୟ ସ୍ବାଇଁ(କାଳୁ)। ଦୁଇଜଣଙ୍କ ଭିତରୁ କିଏ ବି ଅଧ୍ୟକ୍ଷ ପଦରେ ବସି ପାରନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି।

ପୁରୀ ସଦର ବ୍ଲକ୍‌ରେ ୩୦ଟି ପଞ୍ଚାୟତ ରହିଛି। ପୁରୀ ନିର୍ବାଚନମଣ୍ଡଳୀ ଅଧୀନରେ ୧୯ଟି ପଞ୍ଚାୟତ ଥିବାବେଳେ ୧୧ଟି ପଞ୍ଚାୟତ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ଅଧୀନରେ ରହିଛି। ଯଦି ବିଜୟୀ ସମିତି ସଭ୍ୟଙ୍କ ଉପରେ ନଜର ପକାଯାଏ, ମହେଶ୍ବରଙ୍କ ୧୯ଟି ପଞ୍ଚାୟତରୁ ବିଜେପି ଅର୍ଥାତ୍‌ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ୪ଟି ସମିତି ସଭ୍ୟ ଆସନ ଛଡ଼ାଇ ନେଇଛନ୍ତି। ମହେଶ୍ବରଙ୍କ ବିରୋଧୀ ଭାବେ ଜଣାଶୁଣା ରାଜ୍ୟ ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆ ବି ୫ଟି ସମିତି ସଭ୍ୟ ଆସନରେ ନିଜ ସମର୍ଥକଙ୍କୁ ଜିତାଇବାରେ ସଫଳ ହୋଇଛନ୍ତି। ଏଣୁ ମହେଶ୍ବର ମହାନ୍ତିଙ୍କ ସମର୍ଥିତ ମାତ୍ର ୧୦ ଜଣ ସମିତି ସଭ୍ୟ ଅଛନ୍ତି। ସଂଜୟଙ୍କ ୧୧ଟି ପଞ୍ଚାୟତରୁ ବିଜେପି ଅର୍ଥାତ୍‌ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରତାପପୁରୁଷୋତ୍ତମପୁର ଓ କେରାଣ୍ଡପୁର, ଏଭଳି ୨ଟି ସମିତି ସଭ୍ୟ ଆସନ ଦଖଲ କରିବାରେ ସମର୍ଥ ହୋଇଛନ୍ତି। ବାକି ୯ଟି ପଞ୍ଚାୟତ ସଂଜୟଙ୍କ ଅଧୀନରେ ରହିଛି। ପୁରୀ ସଦର ଅଧ୍ୟକ୍ଷ ପଦ ଦଖଲ ପାଇଁ ୧୬ଜଣ ସମିତି ସଭ୍ୟଙ୍କ ସମର୍ଥନ ଆବଶ୍ୟକ ପଡ଼ୁଛି। ଏଣୁ ମହେଶ୍ବର ହୁଅନ୍ତୁ କି ଜୟନ୍ତ ଅବା ଶୁଭାଶିଷ, ସେପଟେ ସଂଜୟ ହୁଅନ୍ତୁ କି ଲଳିତେନ୍ଦୁ, କେହି ବି ବହୁମତ ପାଇନଥିବାରୁ ଅଧ୍ୟକ୍ଷ ପଦ କିଏ ଗଢ଼ିବ, ତାକୁ ନେଇ ଚର୍ଚ୍ଚା ବି ହେବା ସ୍ବାଭାବିକ। କାରଣ ଏଠାରେ କାହାରି ସମର୍ଥନ କାହାକୁ ନ ମିଳିଲେ, ଅଧ୍ୟକ୍ଷ ପଦ ଦଖଲ ଅସମ୍ଭବ। ଏଣୁ ନିଜ ନିଜ ସ୍ତରରେ ସମସ୍ତେ ସମର୍ଥନ ଯୋଗାଡ଼ରେ ଲାଗି ପଡ଼ିଛନ୍ତି। ଏପରିକି ନିଜ ସମର୍ଥିତ ବିଜୟୀ ସମିତି ସଭ୍ୟଙ୍କୁ ନେତାମାନେ ନେଇ ଅଜ୍ଞାତ ସ୍ଥାନରେ ରଖିଥିବା ଚର୍ଚ୍ଚା ହେଉଛି।

ରାଜନୀତି ସମୀକ୍ଷକମାନେ କହିଛନ୍ତି, ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ଚର୍ଚ୍ଚାରେ ଆଇନଜୀବୀ ତଥା ସମଙ୍ଗ ନିର୍ଦ୍ବନ୍ଦ୍ବ ସମିତି ସଭ୍ୟ ପ୍ରସନ୍ନ କୁମାର ମିଶ୍ର ଓ ବାଲିପଡ଼ା ସମିତି ସଭ୍ୟ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଦିବାକର ପାତ୍ରଙ୍କ ନାଁ ଆଗରେ ରହିଛି। କିନ୍ତୁ ଦୁଇ ପ୍ରାର୍ଥୀଙ୍କୁ ସମୀକ୍ଷା କଲେ, ଦିବାକର ପୂର୍ବରୁ ରାଜନୀତିର ପଶାପାଲିରେ ମହେଶ୍ବରଙ୍କୁ ଚେକ୍‌ ଦେବାକୁ ବହୁବାର ଚେଷ୍ଟା କରିଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ଦିବାକର ମହେଶ୍ବରଙ୍କ ବଦଳରେ ପୁରୀ ନିର୍ବାଚନମଣ୍ଡଳୀରୁ ବିଧାୟକ ହେବାକୁ ଲବି ଚଳାଇଥିବା ପ୍ରବଳ ଚର୍ଚ୍ଚା ବି ହୋଇଥିଲା। ଅନ୍ୟପଟେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦିବାକର ଖୋଲା ବିରୋଧ କରି ନ ଥିଲେ ବି ଅନେକ ପଞ୍ଚାୟତରେ ମହେଶ୍ବରଙ୍କ ବିରୋଧରେ ପ୍ରାର୍ଥୀ ଛିଡ଼ା କରିଥିଲେ ବୋଲି ରାଜନୀତି ସମୀକ୍ଷକମାନେ ମତ ଦେଇଛନ୍ତି। ଯେହେତୁ ଦିବାକର ପୂର୍ବରୁ ବି ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦରେ ବସି ସାରିଛନ୍ତି, ଏଣୁ ଅନେକ ପଞ୍ଚାୟତରେ ଏବେ ବି ତାଙ୍କ ସମର୍ଥିତ ରହିଛନ୍ତି। ଏଣୁ ଚଳିତ ନିର୍ବାଚନରେ ଦିବାକର ନିଜ ପସନ୍ଦର କିଛି ପ୍ରାର୍ଥୀଙ୍କୁ ଛିଡ଼ା କରିବାକୁ ଯୋଜନା କରିଥିଲେ। କିନ୍ତୁ ମହେଶ୍ବର ଅନେକ ପ୍ରାର୍ଥୀଙ୍କୁ ନାପସନ୍ଦ କରିଥିଲେ। ଏଣୁ ଦିବାକରଙ୍କ ପସନ୍ଦର ପ୍ରାର୍ଥୀଙ୍କୁ ମହେଶ୍ବର ଯେଉଁଠି ନାପସନ୍ଦ କରିଛନ୍ତି, ସେଠାରେ ଦିବାକର ସେହି ପ୍ରାର୍ଥୀଙ୍କୁ ମହେଶ୍ବରଙ୍କ ପ୍ରାର୍ଥୀ ବିରୋଧରେ ନିର୍ବାଚନକୁ ଛିଡ଼ା କରିଥିଲେ ବୋଲି ଚର୍ଚ୍ଚା ହେଉଛି। ଏଣୁ ମହେଶ୍ବରଙ୍କ ବିଶ୍ବସ୍ତ ତାଲିକାରୁ ଦିବାକର ବାଦ୍‌ ପଡ଼ିଛନ୍ତି। ତଥାପି ଦିବାକର ଅଧ୍ୟକ୍ଷ ପଦ ପାଇଁ ଜୋର୍‌ଦାର ଲବିରେ ଥିବା ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି।

ସେପଟେ ପ୍ରସନ୍ନଙ୍କ କଥା ଦେଖିଲେ, ନିକଟରେ ମହେଶ୍ବର ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ଏକ ସଭାର ଆୟୋଜନ କରି ପ୍ରସନ୍ନଙ୍କୁ ଦଳରେ ମିଶାଇଛନ୍ତି। ପ୍ରସନ୍ନଙ୍କୁ ବି ଅଧ୍ୟକ୍ଷ ପଦରେ ବସାଇବାକୁ ମହେଶ୍ବର ଅଲିଖିତ ପ୍ରତିଶ୍ରୁତି ଦେଇଛନ୍ତି। ଏହ ଲକ୍ଷ୍ୟରେ ପ୍ରସନ୍ନ ବିଜେଡିରେ ମିଶିଛନ୍ତି। ଭାଇଲିପୁର ସମିତି ସଭ୍ୟ କାର୍ତ୍ତ୍ୟାବୀର୍ଯ୍ୟ ସ୍ବାଇଁ(କାଳୁ) ବି ଅଧ୍ୟକ୍ଷ ପାଇଁ ଲବି ଜୋରଦାର କରିଛନ୍ତି। ୨୫ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ର ବିଜୟୀ ପ୍ରାର୍ଥୀ ଓ ଅନ୍ୟମାନେ କାଳୁଙ୍କ ସପକ୍ଷରେ ମତ ଲୋଡ଼ିଛନ୍ତି। ଏଣୁ ସଂଜୟ ନିଜ ୧୧ଟି ପଞ୍ଚାୟତରୁ କାଳୁଙ୍କୁ ସର୍ବାଗ୍ରେ ରଖିଥିବା ଚର୍ଚ୍ଚା ହେଉଛି। ସେ ଯାହା ହେଉ ନା କାହିଁକି, ବିଜେପି କୌଣସି ପରିସ୍ଥିତିରେ ବିଜେଡିକୁ ସମର୍ଥନ କଲା ଭଳି ଲାଗୁନି। ବିଜେଡି ସହ ବିଜେଡି ଓ ବିଦ୍ରୋହୀ ହାତ ମିଳାଇଲେ, ଅଧ୍ୟକ୍ଷ ପଦ ବିଜେଡି ହାତକୁ ଆସିବ। ଏହି ଦୃଷ୍ଟିରେ ଦେଖିଲେ ପ୍ରସନ୍ନ ସବୁଠୁ ସୁରକ୍ଷିତ ସ୍ଥାନରେ ଅଛନ୍ତି। କାରଣ ପ୍ରସନ୍ନଙ୍କୁ କେବଳ ମହେଶ୍ବରଙ୍କ ସମର୍ଥନ ନାହିଁ, ସଂଜୟ, ଶୁଭାଶିଷଙ୍କ ସମର୍ଥନ ବି ରହିଛି। ବିଜେପି ଖୋଲା ସମର୍ଥନ ଜଣାଉନଥିଲେ ବି ପ୍ରସନ୍ନଙ୍କ ପ୍ରତି କେଉଁଠି ନାଁ କେଉଁଠି ଦରଦ ରହିଛି।

ସମ୍ବନ୍ଧିତ ଖବର