ଉଜୁଡି ଗଲାଣି ସ୍ବଣ୍ଣିର୍ମ ବେଳାଭୂମି: ସମୁଦ୍ରରେ ମିଶୁଛି ନାଳ ପାଣି

ବେଲାଭୂମିରେ ଆବର୍ଜବାରେ ଆସ୍ତରଣ

ପୁରୀ: ପୁରୀ ସହର ସ୍ବର୍ଣ୍ଣିମ ବେଳାଭୂମିର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଗୋଟିଏ ପଟେ ସରକାର ଯୋଜନା କରୁଥିବା ବେଳେ ଅନ୍ୟ ପଟେ ବେଳାଭୂମିକୁ ଉଜାଡ଼ି ଦେବାକୁ ଖୋଲା ଛାଡ଼ି ଦେଇଛନ୍ତି। ଅବ୍ୟବସ୍ଥିତ ସ୍ବେରେଜ୍‌ ବ୍ୟବସ୍ଥା ଯୋଗୁଁ ବେଳାଭୂମି ଏବେ ପ୍ରଦୂଷିତ ହେବାରେ ଲାଗିଛି। ବର୍ଷା ‌ହେବା ମାତ୍ରେ ସହରର ଉଦ୍‌ବୃତ୍ତ ବର୍ଷା ଜଳ ଓ ନଳା ପାଣି ସମୁଦ୍ର ମୁହାଁ ‌ହେଉଛି। ପରିସ୍ଥିତି ଏମିତି ହୋଇଛି ଯେ, ବେଳାଭୂମିରେ ଘାଇ ହେବା ସହିତ ବାଲି ଉପରେ ଆବର୍ଜନାର ଆସ୍ତରଣ ଜମିଯାଉଛି। ଯାହା ବସିବା ପାଇଁ ଅନୁପଯୋଗୀ ହେବା ସହିତ ଦୁର୍ଗନ୍ଧ ମଧ୍ୟ ହେଉଛି। ଗତ ଦୁଇ ଦିନ ବର୍ଷାରେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି। ପୁରୀ ଭିକ୍ଟୋରିଆ ହୋଟଲରୁ ସୋନାଲି ହୋଟେଲ ନିକଟ ରାସ୍ତା ଦେଇ ବର୍ଷା ଜଳ ଅତି ପ୍ରଖର ସ୍ରୋ‌ତରେ ସମୁଦ୍ରକୁ ନିଷ୍କାସିତ ହେଉଛି।

ସବୁଠୁ ଅଧିକ ଚଳ ପ୍ରଚଳ ଥିବା ଏହି ବେଳାଭୂମି ଏକ ପ୍ରକାର ଏବେ ନଷ୍ଟ ହୋଇଯାଇଛି। ବେଳାଭୂମିରେ ଜଳ ସ୍ରୋତ ଯୋଗୁଁ ଘାଇ ମଧ୍ୟ ସୃଷ୍ଟି ହେଉଛି। ବ୍ଲୁ ଫ୍ଲାଗ୍ ବିଚ୍‌ କରି ପ୍ରଶାସନ ପ୍ରଶଂସା ସାଉଁଟୁଥିବାବେଳେ ଏପଟେ ବେଳାଭୂମି ଉଜୁଡ଼ି ଯାଉଥିଲେ ବି ସେଥିପ୍ରତି ନଜର ନାହିଁ। ପୁରୀର ଐତିହ୍ୟ ବାଙ୍କୀ ମୁହାଣର ଅବସ୍ଥା ମଧ୍ୟ ସମାନ। ମହାପ୍ରଭୁଙ୍କ ଦାରୁ ଲାଗିଥିବା ଏହି ମୁହାଣ ଏବେ ଆବର୍ଜନା କୁଣ୍ଡରେ ପରିଣତ ହୋଇଛି। ସହରର ସମସ୍ତ ମୁଖ୍ୟ ଡ୍ରେନ୍‌ ବା ନଳାର ପାଣି ବାଙ୍କୀ ମୁହାଣରେ ବିଶୋଧନ ହୋଇ ସିଧା ସମୁଦ୍ରରେ ମିଶୁଛି। ଆବର୍ଜନା ଯୋଗୁଁ ବେଳାଭୂମି ନଷ୍ଟ ହୋଇଯାଇଛି। ଫଳରେ ପୁରୀର ସ୍ବର୍ଣ୍ଣିମ ବେଳାଭୂମି ଉଜୁଡ଼ି ଗଲାଣି। ମୁହାଣର ପାଣି ପୂରା ବେଳାଭୂମିକୁ ମାଡ଼ିଗଲାଣି। ଆବର୍ଜନା ପାଣି ପ୍ରଭାବରେ ବେଳାଭୂମିରେ ପଟୁ ଜମିଲାଣି। ବର୍ଷା ଦିନରେ ଏ ସ୍ଥିତି ଅଧିକ ବିଗିଡ଼ୁଛି। ଏହାକୁ ରୋକିବା ଦିଗରେ ପ୍ରଶାସନ ଉଦ୍ୟମ କରୁନଥିବା ଅଭିଯୋଗ ହୋଇଛି। ସହରର ଆବର୍ଜନା ପାଣିକୁ ବିଶୋଧନ କରିବା ପରେ ଏହାକୁ ପାଇପ ଯୋଗେ ନ ଛାଡ଼ି ପାଣିକୁ ବେଳାଭୂମିରେ ଖୋଲା ଛାଡ଼ି ଦିଆଉଥିବାରୁ ଏଭଳି ଅବସ୍ଥା ଉପୁଜିଛି। ଗୋଟିଏ ପଟେ ସେହି ଅଞ୍ଚଳର ବେଳାଭୂମିକୁ ବ୍ଲୁ ଫ୍ଲାଗ୍ ବିଚର ମାନ୍ୟତା ମିଳିଥିବା ଓ ଏହାର ଭିତ୍ତିଭୂମି ବିକାଶ ଚାଲିଥିବା ବେଳେ ବେଳାଭୂମିର ଏ ପ୍ରକାର ବିକଳ ଦୃଶ୍ୟ ପର୍ଯ୍ୟଟକଙ୍କୁ ବିମୁଖ କରୁଛି।

ସମ୍ବନ୍ଧିତ ଖବର