ଶ୍ରୀମନ୍ଦିରରେ ସେବାୟତଙ୍କ ପୋଷ୍ଟର : ମୁଖ୍ୟମନ୍ତ୍ରୀଙ୍କ ବୈଠକ ବର୍ଜନ ପାଇଁ ଆହ୍ଵାନ

ପୁରୀ : ପୁରୀ ଜିଲ୍ଲାପାଳଙ୍କ ସେବାୟତ ବିରୋଧୀ ମନୋଭାବ ଓ ଦମନମୂଳକ ନୀତି ପ୍ରତିବାଦରେ ଆଜି ଶ୍ରୀଜଗନ୍ନାଥ ସେବାୟତ ସମ୍ମିଳନୀ ପକ୍ଷରୁ ଶ୍ରୀମନ୍ଦିରର ଚାରିଦ୍ଵାରରେ ପ୍ରତିବାଦ ପୋଷ୍ଟର ଲଗାଯାଇଛି। ଏ ପରିପ୍ରେକ୍ଷୀରେ ଆସନ୍ତା ୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରାର ଚତୁର୍ଥ ତଥା ଶେଷ ସମନ୍ଵୟ ବୈଠକକୁ ବର୍ଜନ କରିବା ଲାଗି ସମସ୍ତ ସେବାୟତ ଆହ୍ଵାନ ଦେଇଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକକୁ ଘୁଞ୍ଚାଇ ଦିଆଯାଇଥିବା ଜଣାପଡିଛି। ଏହି ବୈଠକ ଆସନ୍ତା ୬ ତାରିଖରେ ଅନୁଷ୍ଠିତ ହେବ ବୋଲି ପୁରୀ ଏସ୍‌ପି ସାର୍ଥକ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ବୈଠକର ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଶେଷ ମୁହୂର୍ତରେ ହଠାତ୍‌ ବୈଠକ ଘୁଞ୍ଚାଇ ଦିଆଯିବା ଘଟଣାକୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି। ନିଳାଦ୍ରୀ ବିଜେଠାରୁ ଆରମ୍ଭ କରି ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ବିବାଦରେ ପୁରୀ ଜିଲ୍ଲାପାଳ କ୍ରମାଗତ ମିଥ୍ୟା ଅପବାଦ ଓ ସେବାୟତ ସମାଜ ବିରୋଧୀ ମନୋଭାବ ପୋଷଣ କରୁଥିବାରୁ ସେବାୟତ ସମ୍ମିଳନୀ ଏହାର ପ୍ରତିବାଦ କରିଛି। ପ୍ରତି ସ୍ୱାଭିମାନୀ ସେବାୟତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରଥ ସମନ୍ଵୟ ବୈଠକ ବର୍ଜନ କରିବାକୁ ଆହ୍ଵାନ ଦେଇଛନ୍ତି।

ପ୍ରକାଶଥାଉକି, ଗତ କିଛି ଦିନ ହେଲା ଶ୍ରୀମନ୍ଦିରକୁ ନେଇ ବିବାଦ ଦେଖାଦେଇଛି। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଚିଠି ନଆସି ସେବାୟତଙ୍କୁ ନିନ୍ଦିତ କରାଯାଇଛି। ନିଜର ମିଛ ଧରାପଡିବା ଓ ସେବାୟତଙ୍କୁ ବଦନାମ କରିବାକୁ ଅପଚେଷ୍ଟା କରିଥିବା ଅଧିକାରୀଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ପ୍ରତିବାଦରେ ସେବାୟତ ସମ୍ମିଳନୀ ଏ ପ୍ରକାର ନିଷ୍ପତ୍ତିି ନିଆଯାଇଥିବା ଜଣାପଡିଛି। ଏ ପରିପ୍ରେକ୍ଷୀରେ ଆସନ୍ତା ୩ ତାରିଖରେ ହେବାକୁ ଥିବା ରଥଯାତ୍ରା ସମନ୍ଵୟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରାଯିବ ବୋଲି କିଛି ସେବାୟତ ଚେତାବନୀ ଦେଇଥିଲେ। ଏଭଳି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ବୈଠକକୁ ଘୁଞ୍ଚାଇ ଦିଆଯିବା ବିଭିନ୍ନ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟବ୍ୟସ୍ତତା ଯୋଗୁ ଏହି ବୈଠକକୁ ଘୁଞ୍ଚାଇ ଦିଆଯାଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର