ସେବକଙ୍କ ଥର୍ମାଲ ସ୍କ୍ରିନିଂ, ଆଜିଠାରୁ ସଂଗରୋଧ

ତିନି ଭକ୍ତ ନିବାସରେ ରହିବେ ୨୦୭ ରୁ ଅଧିକ ସେବକ, ଡାକ୍ତରୀ ଦଳ ସହ ସ୍ବତନ୍ତ୍ର ବ୍ୟବସ୍ଥା

ପୁରୀ : ରଥ ନିର୍ମାଣ ପାଇଁ ଅନୁମତି ପରେ ରଥଖଳାରେ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ଏଭଳି ପରିସ୍ଥିତିରେ କରୋନାକୁ ନେଇ ରାଜ୍ୟରେ ଭୟଙ୍କର ସ୍ଥିତି ଦେଖାଦେଲାଣି। ପ୍ରବାସୀ ଓଡ଼ିଆ ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଲେଣି। ଏହାକୁ ନଜରରେ ରଖି ରଥଖଳାରେ କରୋନା କଟକଣାକୁ କଡ଼ାକଡ଼ି କରି ଦିଆଯାଇଛି। ରଥ ନିର୍ମାଣରେ ସଂପୃକ୍ତ ସେବକଙ୍କ ଥର୍ମାଲ୍‌ ସ୍କ୍ରିନିଂ ସହ ସ୍ବାସ୍ଥ୍ୟ ପରୀକ୍ଷା ପ୍ରକ୍ରିୟା ଆରମ୍ଭ ହୋଇଛି। ବଡ଼ କଥା ହେଲା, ଶ୍ରୀମନ୍ଦିର ପ୍ରଶାସନ ସଂପୃକ୍ତ ସେବକଙ୍କୁ ସଂଗରୋଧରେ ରଖିବାକୁ ନିଷ୍ପତ୍ତି ନେଇଛି। ରଥଯାତ୍ରା ସହ ସେବକ ଓ ସେମାନଙ୍କ ପରିବାରକୁ ସୁରକ୍ଷିତ ରଖିବା ଲକ୍ଷ୍ୟରେ ଆଜି ଠାରୁ ସମସ୍ତଙ୍କୁ ସଂଗରୋଧରେ ରଖାଯାଇଛି।

ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନାଙ୍କ ସୂଚନା ମୁତାବକ, କରୋନା ସଂକ୍ରମଣକୁ ରୋକିବା ପାଇଁ ଦୈନିକ ‌ରଥ ନିର୍ମାଣରେ ନିୟୋଜିତ ସେବକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଓ ସଚେତନତା ସୃଷ୍ଟି କରାଯାଉଛି। ଥର୍ମାଲ୍‌ ସ୍କ୍ରିନିଂ ବ୍ୟବସ୍ଥା କରାଯାଇଛି। ଗତକାଲି ୯୨ ଜଣଙ୍କ ଥର୍ମାଲ୍ ସ୍କ୍ରିନିଂ କରାଯାଇଥିଲା। ଆଜି ୧୪୦ ଜଣଙ୍କୁ ଥର୍ମାଲ୍‌ ସ୍କ୍ରିନିଂ କରାଯାଇଛି। କରୋନା ଲକ୍ଷଣ ଉପରେ ବି ନଜର ରଖାଯାଇଛି। ଯଦି କାହା ପାଖରେ ଥଣ୍ଡା, କାଶ ଆଦିର ଲକ୍ଷଣ ଦେଖାଯାଏ, ତୁରନ୍ତ ସ୍ବାସ୍ଥ୍ୟ ପରୀକ୍ଷାର ବ୍ୟବସ୍ଥା କରାଯାଇଛି। ଆଜିଠାରୁ ରଥ ନିର୍ମାଣରେ ନିୟୋଜିତ ମହାରଣା ସେବକ, ରୂପକାର ସେବକ, ଭୋଇ ସେବକ ଏବଂ ଓଝା ସେବକଙ୍କୁ ସଂଗରୋଧରେ ରଖିବା ପାଇଁ ତିନି ଭକ୍ତ ନିବାସରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ନୀଳାଚଳ ଭକ୍ତ ନିବାସ, ନୀଳାଦ୍ରି ଭକ୍ତ ନିବାସ ଓ ଶ୍ରୀଗୁଣ୍ଡିଚା ଭକ୍ତ ନିବାସରେ ୨୦୭ ଜଣ ସେବକଙ୍କ ରହିବାର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ରୁମ୍‌ ଦିଆଯାଇଛି। ଅଲଗା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସହ ମାସ୍କ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି। ଦୈନିକ ଯାଆସ ପାଇଁ ବ୍ୟାଟେରି ଚାଳିତ ଗାଡ଼ିର ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ ପ୍ରତିଦିନ ସ୍ବାସ୍ଥ୍ୟ ସଚେତନତା ସୃଷ୍ଟି କରାଯାଉଛି। ଆଜି ରଥଖଳାରେ ଡାକ୍ତରୀ ଟିମ ସେବକଙ୍କୁ ହାତ ସଫା ସହ କରୋନାରୁ ଦୂରେଇ ରହିବା ପାଇଁ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର