ସ୍ବତ୍ବଲିପି ଶ୍ରୀମନ୍ଦିରର ସମ୍ବିଧାନ ନୁହେଁ: ଶଙ୍କରାଚାର୍ଯ୍ୟ

ଧାର୍ମିକ ସମ୍ବିଧାନ ବିନା ଶୃଙ୍ଖଳା ଆସିବନି

ପୁରୀ : ପ୍ରଚଳିତ ସ୍ବତ୍ବଲିପି (ଆର୍‌ଓଆର୍‌) ଶ୍ରୀମନ୍ଦିରର ସମ୍ବିଧାନ ନୁହେଁ। ଏହାକୁ ନେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରୀତିନୀତି, ସେବା ପୂଜା କରାଯିବା ଧାର୍ମିକ ଦୃଷ୍ଟିରୁ ଗ୍ରହଣୀୟ ନୁହେଁ। ଶ୍ରୀମନ୍ଦିରର ଶୃଙ୍ଖଳିତ ପରିଚାଳନା ପାଇଁ ସ୍ବତନ୍ତ୍ର ଧାର୍ମିକ ସମ୍ବିଧାନର ଆବଶ୍ୟକତା ରହିଛି। ବହୁଭାଷୀ ସମ୍ବିଧାନ ପ୍ରସ୍ତୁତ କରି ସେହି ଅନୁଯାୟୀ ଶ୍ରୀମନ୍ଦିର ରୀତିନୀତି କରାଗଲେ ମନ୍ଦିରରେ ଶୃଙ୍ଖଳା ଆସିବ ବୋଲି କହିଛନ୍ତି ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ।

ଶ୍ରୀମନ୍ଦିର ପରିଚାଳନାରେ ସମନ୍ବୟ ଆଣିବାକୁ ଅଣ୍ଟା ଭିଡ଼ିଥିବା ଶଙ୍କରାଚାର୍ଯ୍ୟ ଆଜି ଶ୍ରୀମନ୍ଦିର ପ୍ରସଙ୍ଗରେ ଅତି ଗହନ କଥା କହିଛନ୍ତି। ତାଙ୍କ ମତରେ, ବର୍ତ୍ତମାନ ଶ୍ରୀମନ୍ଦିର ଏକ ସ୍ବତ୍ବଲିପିକୁ ଆଧାର କରି ଚାଲିଛି। ପ୍ରତିଟି ରୀତିନୀତି ସ୍ବତ୍ବଲିପିକୁ ଭିତ୍ତି କରି କରାଯାଉଛି। ହେଲେ ଏହାର ବୈଧତା କ’ଣ? ସ୍ବତ୍ବଲିପି ଲକ୍ଷ୍ମଣ ମିଶ୍ର ଲେଖିଥିଲେ। ସେଥିରେ ସେ ଦର୍ଶାଇଛନ୍ତି ଯେ, ‘ଯେତିକି ବୁଝିଲି, ସେତିକି ଲେଖିଲି’। ଏହା ସମ୍ପୂର୍ଣ୍ଣ ନୁହେଁ। ବୁଝି ଲେଖା ଯାଇଥିବା ଏକ ପୁସ୍ତିକାକୁ ସମ୍ବିଧାନ ଭାବେ ଗ୍ରହଣ କରାଯାଇପାରିବ କି? ଏହା କେବଳ ଏକ ସଂକଳନ। ଶ୍ରୀମନ୍ଦିର ପାଇଁ ସମ୍ବିଧାନ କରିବାକୁ ପଡ଼ିବ। ସ୍କନ୍ଦ ପୁରାଣ, ପଦ୍ମ ପୁରାଣ, ଈଶ୍ବର ସଂହିତା, ନିଳାଦ୍ରୀ ‌ମହୋଦୟ ଓ ବିମର୍ଶକୁ ଭିତ୍ତି କରି ଏହି ସମ୍ବିଧାନ ପ୍ରସ୍ତୁତ ହେବା ଆବଶ୍ୟକ। ହିନ୍ଦୀ, ଓଡ଼ିଆ, ଇଂରାଜୀରେ ଏହି ସମ୍ବିଧାନ ପ୍ରସ୍ତୁତ କରି ସେହି ଅନୁଯାୟୀ ଠାକୁରଙ୍କ ରୀତିନୀତି କରାଯିବା ଉଚିତ ବୋଲି କହିଥିଲେ ଗୁରୁଜୀ।

ସେ କହିଲେ, ହୋଟେଲରେ ଖାଇବା ରନ୍ଧାଯାଉଛି, ଶ୍ରୀମନ୍ଦିରରେ ବି ପ୍ରସାଦ ରନ୍ଧାଯାଉଛି। ଦୁଇଟି ରୋଷେଇର ମାର୍ଗ କିନ୍ତୁ ଭିନ୍ନ। ହୋଟେଲରେ ଧର୍ମନିରପେକ୍ଷତା ରହୁଥିବା ବେଳେ ଶ୍ରୀମନ୍ଦିରରେ ଏହା ଧାର୍ମିକ ବିଧି ବ୍ୟବସ୍ଥାରେ ସଂପନ୍ନ ହେଉଛି। ଶ୍ରୀଜଗନ୍ନାଥଙ୍କ ପ୍ରତିଟି ରୀତିନୀତି ଧର୍ମୀୟ ବିଧି ବ୍ୟବସ୍ଥା ସହିତ ଜଡ଼ିତ। ହେଲେ ଏଥିରେ ଅଜ୍ଞାନୀଙ୍କ ହସ୍ତକ୍ଷେପ ହିଁ କରୁଛି ବିଭ୍ରାଟ। ଶ୍ରୀମନ୍ଦିରର ବ୍ୟବସ୍ଥା ଧାର୍ମିକ ଭିତ୍ତିରେ ହେବା କଥା। ମାତ୍ର ଏହାକୁ ସରକାରଙ୍କ ଧର୍ମନିରପେକ୍ଷ ଅଧିକାରୀମାନେ କାର୍ଯ୍ୟକାରୀ କରୁଛନ୍ତି। ସେମାନେ ମନଇଚ୍ଛା ଧାର୍ମିକ ବ୍ୟବସ୍ଥା ପରିବର୍ତ୍ତନ କରିବା ଫଳରେ ବିଭିନ୍ନ ସମୟରେ ବିଭ୍ରାଟ ପରିସ୍ଥିତି ଉପୁଜୁଛି। ଯାହାକୁ ସମ୍ଭାଳିବା କଷ୍ଟକର ହୋଇପଡ଼ୁଛି। ଶ୍ରୀମନ୍ଦିର ପରିଚାଳନା ଦାୟିତ୍ବ ଶଙ୍କରାଚାର୍ଯ୍ୟ ନେଇପାରିବେ କି ବୋଲି ସୁପ୍ରିମକୋର୍ଟ ଯେଉଁ ପ୍ରଶ୍ନ କରିଛନ୍ତି, ସେଥିରେ ପ୍ରତିକ୍ରିୟା ରଖି ଜଗତ୍‌ଗୁର କହିଛନ୍ତି ମଠ ଏଥି ପାଇଁ ପ୍ରସ୍ତୁତ। ତେବେ ଶଙ୍କରାଚାର୍ଯ୍ୟ କେବଳ ଧାର୍ମିକ ବିଧି ବ୍ୟବସ୍ଥା ପରିଚାଳନା କରିବେ। ଠାକୁରଙ୍କ ରୀତିନୀତି, ପୂଜାପାଠ ନିର୍ଦ୍ଧାରଣ କରିବେ। ସେବକମାନେ ତାଙ୍କ କାମ କରିବେ ଓ ପ୍ରଶାସନ ମଧ୍ୟ ତାର କାର୍ଯ୍ୟ କରିବ। ପ୍ରଶାସନ କୌଣସି ଧାର୍ମିକ ପ୍ରସଙ୍ଗରେ ହସ୍ତକ୍ଷେପ କରିବ ନାହିଁ। ଏହା ହେଲେ ହିଁ ଶୃଙ୍ଖଳା ଆସିବ ବୋଲି ଗୁରୁଜୀ କହିଛନ୍ତି।

ସମ୍ବନ୍ଧିତ ଖବର