ମଠ ଉଚ୍ଛେଦକୁ ଶଙ୍କରାଚାର୍ଯ୍ୟଙ୍କ ସମାଲୋଚନା : କହିଲେ ବିପି ଦାଶ କମିସନଙ୍କ ରିପୋର୍ଟ ଅବୈଧ

ଧାର୍ମିକ ବ୍ୟବସ୍ଥାକୁ ଲୋପ ପାଇଁ ଚାଲିଛି ଷଡ଼୍‌ଯନ୍ତ୍ର, ଦୋବୋତ୍ତର କମିସନ୍‌ ସ୍ଥାଣୁ, ଜବରଦଖଲରେ ମଠ ଓ ମନ୍ଦିର ଜାଗା

ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଥିବା ବିଭିନ୍ନ ମଠ ଉଚ୍ଛେଦକୁ ନେଇ ବିଷୋଦଗାର କରିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶଙ୍କରାଚାର୍ଯ୍ୟ ଶ୍ରୀମନ୍ଦିର ଓ ଏହାର ଧାର୍ମିକ ବିଧି ବ୍ୟବସ୍ଥାକୁ ଲୋପ କରିବା ଲାଗି ଜଘନ୍ୟ ଷଡ଼୍‌ଯନ୍ତ୍ର ଚାଲିଥିବା ଅଭିଯୋଗ କରିଛନ୍ତି। ଏହି ଅବସରରେ ସେ ଜଷ୍ଟିସ୍ ବିପି ଦାଶ କମିସନଙ୍କ ରିପୋର୍ଟକୁ ‌ଅବୈଧ ଦର୍ଶାଇବା ସହ ମଠ, ମନ୍ଦିରର ସୁରକ୍ଷା ପାଇଁ ଗଠିତ ଦେବୋତ୍ତର କମିସନ୍‌ ସ୍ଥାଣୁ ପାଲଟି ଯାଇଥିବା ଅଭିଯୋଗ କରିଛନ୍ତି।

ଶନିବାର ମଧ୍ୟାହ୍ନରେ ଗୋବର୍ଦ୍ଧନ ପୀଠ ପରିସରରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଶଙ୍କରାଚାର୍ଯ୍ୟ କହିଥିଲେ, ଏଣ୍ଡାଓମେଣ୍ଟ କମିସନ୍‌ ଗଠନ ପରେ ମଠ, ମନ୍ଦିର ହାତରୁ ସମସ୍ତ ଅଧିକାର ଛଡ଼ାଇ ନିଆଗଲା। ଦେବୋତ୍ତର ଅଧୀନରେ ମଠ, ମନ୍ଦିର ସବୁ ରହିଲା। ପ୍ରତିବଦଳରେ ମଠ, ମନ୍ଦିରର ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦିଆଗଲା। ଏହା ମଧ୍ୟରେ ଦେବୋତ୍ତର କମିସନ୍‌ ଗଠନ ହେବାର ବହୁ ବର୍ଷ ବିତିଗଲାଣି। କିନ୍ତୁ ମଠ, ମନ୍ଦିରର ସୁରକ୍ଷା ବଦଳରେ ମଠ, ମନ୍ଦିରର ଜାଗା ସବୁ ଅସାମାଜିକଙ୍କ କବଳକୁ ଚାଲିଗଲାଣି। ଏବେ ସରକାର ମଠ, ମନ୍ଦିରକୁ ଉଚ୍ଛେଦ କରିବା ଆରମ୍ଭ କରିଛନ୍ତି। ଦେବୋତ୍ତର କମିସନ୍‌ ଏକପ୍ରକାର ସ୍ଥାଣୁ ପାଲଟି ଯାଇଛି। ଏହି ଅବସରରେ ସେ ଗୋବର୍ଦ୍ଧନ ପୀଠର ଜମି ଜବରଦଖଲ ପ୍ରସଙ୍ଗକୁ ଉଠାଇ କହିଥିଲେ, ହିନ୍ଦୁ ଧର୍ମର ସଂସ୍ଥାପକ ହେଉଛନ୍ତି ଆଦି ଗୁରୁ ଶଙ୍କରାଚାର୍ଯ୍ୟ। ପୁରୀରେ ମହାପ୍ରଭୁଙ୍କୁ ଆଦି ଗୁରୁ ଶଙ୍କରାଚାର୍ଯ୍ୟ ହିଁ ପ୍ରତିଷ୍ଠା କରିଥିଲେ। ଇଂରେଜ ଅମଳରେ ଶଙ୍କରାଚାର୍ଯ୍ୟଙ୍କ ମଠକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦିଆଯାଇଥିଲା। କିନ୍ତୁ ରାଜ୍ୟ ସରକାର ଏହି ଧାର୍ମିକ ବ୍ୟବସ୍ଥାକୁ ହଟାଇ ଧର୍ମନିରପେକ୍ଷ ରାଷ୍ଟ୍ର ଗଠନ ପାଇଁ ଚକ୍ରାନ୍ତ ଚଳାଇଛନ୍ତି।

ଜଷ୍ଟିସ ବିପି ଦାଶ କମିସନଙ୍କ ରିପୋର୍ଟକୁ ଶଙ୍କରାଚାର୍ଯ୍ୟ ଅବୈଧ ବୋଲି କହିଥିଲେ। ଧାର୍ମିକ ବିଧିବ୍ୟବସ୍ଥାର ଜ୍ଞାନ ଧର୍ମଗୁରୁ ହିଁ ଜାଣିଥାନ୍ତି। କିନ୍ତୁ ତଦନ୍ତ ସମୟରେ ଜଷ୍ଟିସ୍ ବିପି ଦାଶ ତାଙ୍କ ସହ ଥରୁଟିଏ ବି ଆଲୋଚନା କରିନାହାନ୍ତି। ବିନା ବିଚାରବିମର୍ଶରେ ସେ ରିପୋର୍ଟ ଦେଇଛନ୍ତି। ଶ୍ରୀମନ୍ଦିର ଧାର୍ମିକ ବ୍ୟବସ୍ଥା ସଂପର୍କରେ ନ ଜାଣି କିପରି ରିପୋର୍ଟ ପ୍ରସ୍ତୁତ ହୋଇପାରିବ ବୋଲି ସେ ପ୍ରଶ୍ନ କରିଥିଲେ। ଏପରି କରି କେବଳ ଶଙ୍କରାଚାର୍ଯ୍ୟଙ୍କୁ ନୁହେଁ, ଧାର୍ମିକ ବ୍ୟବସ୍ଥାକୁ ବି ଅପମାନିତ କରାଯାଇଛି ବୋଲି ଅଭିଯୋଗ କରିଥିଲେ।

ରଥଯାତ୍ରା ସମୟରେ ଶ୍ରୀମନ୍ଦିର ପ୍ରଶାସନ ରଥ ଉପରକୁ ଯିବା ଉପରେ ଏକ ଚିଠି କରିଥିଲେ। ଯେଉଁଥିରେ ଶଙ୍କରାଚାର୍ଯ୍ୟ ଚାହିଁଲେ ରଥକୁ ଆସିପାରିବେ, କିନ୍ତୁ ଅନ୍ୟ କାହାରିକୁ ରଥ ଉପରକୁ ନେଇ ପାରିବେନି ବୋଲି ଉ‌ଲ୍ଲେଖ ରହିଥିଲା। ଏହା ମୋତେ ବହୁତ ଅପମାନିତ କରିଥିଲା ବୋଲି ଶଙ୍କରଚାର୍ଯ୍ୟ କହିଛନ୍ତି। ସୁରେଶ ମହାପାତ୍ର ପୁରୀରେ ଉଚ୍ଛେଦ ସମୟରେ ଜିଲ୍ଲାପାଳ ଥିଲେ। ସେ ସମୟରେ ଶ୍ରୀ ମହାପାତ୍ର ତାଙ୍କଠୁ କୌଣସି ପରାମର୍ଶ ନେଇଥିଲେ। ଶ୍ରୀମନ୍ଦିର କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତି ପରେ ବି ସେ ଶଙ୍କରାଚାର୍ଯ୍ୟଙ୍କ ସହ କୌଣସି ପରାମର୍ଶ କରିବାକୁ ଚାହୁଁନାହାନ୍ତି। ଏହା ତାଙ୍କର ଗର୍ବ ଅବା ଅହଙ୍କାର ହୋଇପାରେ। ମୁଁ ଏଠାରେ ଶଙ୍କରାଚାର୍ଯ୍ୟ ଭାବେ ୨୭ ବର୍ଷ ହେଲା ସେବା କରି ଆସୁଛି। ସେ ଆହୁରି କହିଛନ୍ତି ଯେ ଶଙ୍କରାଚାର୍ଯ୍ୟ ହେଉଛନ୍ତି ବିଷ୍ଣୁଙ୍କ ଅବତାର। ଶଙ୍କରାଚାର୍ଯ୍ୟଙ୍କୁ ଅପମାନ ବିଷ୍ଣୁଙ୍କ ଅପମାନ ସହ ସମାନ। ତେଣୁ ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ଅବା ନେଉଛନ୍ତି, ତାର ପୁନର୍ବିଚାର କରିବାକୁ ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର