ଆଇନମନ୍ତ୍ରୀ, ମୁଖ୍ୟ ସଚିବ ଆସନ୍ତୁ, ଆଲୋଚନା କରନ୍ତୁ: ଶଙ୍କରାଚାର୍ଯ୍ୟ

ଶ୍ରୀମନ୍ଦିର ପରିଚାଳନା କମିଟି ଆଜି ଭେଟିପାରନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଛତିଶାନିଯୋଗର ଚିଠି : ରିଭ୍ୟୁ ପିଟିସନ୍‌ କରନ୍ତୁ ସରକାର

ପୁରୀ : ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆସିବା ଓ ସନ୍ଧ୍ୟାରେ ରାଜ୍ୟ ସରକାର ଶ୍ରୀମନ୍ଦିର ପ୍ରଶାସନକୁ ରୀତିନୀତି ପାଇଁ ସଙ୍କେତ ଦେବା ପରେ ଆସନ୍ତାକାଲି କି କି ପଦକ୍ଷେପ ନିଆଯିବ, ତାହା ଉପରେ ସମସ୍ତଙ୍କ ନଜର ନିବଦ୍ଧ ରହିଛି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ କେତେବେଳେ ବସିବ ସେ ନେଇ କୌଣସି ସମୟ ଏଯାଏ ଜଣାପଡିନାହିଁ। ତେବେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କର ଏଥିରେ ଏକ ବଡ଼ ଭୂମିକା ରହିବ ବୋଲି ସୂଚନା ମିଳୁଛି। ସମ୍ଭବତଃ ପୂର୍ବଥର ଭଳି ଶ୍ରୀମନ୍ଦିର ପରିଚାଳନା କମିଟି ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଆଲୋଚନା କରି କଣ ଓ କିଭଳି ରଥନୀତି କରାଯିବ ସେ ରାସ୍ତା ବାହାର କରିପାରନ୍ତି। ଠିକ୍ ଏମିତି ସମୟରେ ଆଜି ପୁରୀ ଗୋବର୍ଦ୍ଧନ ପୀଠର ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ରଥ ଅନୁକୂଳ ଓ ସ୍ନାନଯାତ୍ରା ପାଇଁ ତାଙ୍କ ସହିତ ଆଲୋଚନା କରାଯାଇଥିଲା। ମାତ୍ର ରଥଯାତ୍ରା ସଂପର୍କରେ ତାଙ୍କର କୌଣସି ମତ ନିଆଯାଇନାହିଁ। ତେବେ ଆଇନମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ତାଙ୍କ ସହିତ ଆଲୋଚନା କରିବା ଦରକାର। ଉଭୟ ଆସନ୍ତୁ ବୋଲି ଶଙ୍କରାଚାର୍ଯ୍ୟ ଚାହିଁଛନ୍ତି। ଏହି ଆଲୋଚନା ପରେ ସେ ଯାହା ମତ ଦେବେ। ଜଗଦ୍‌ଗୁରୁ ଆହୁରି କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ଆଦେଶକୁ ସେ ଭଲ ଭାବେ ଅନୁଶୀଳନ କରିନାହାନ୍ତି। ଅନୁଶୀଳନ କରିବା ପରେ ଅଧିକ ମତ ରଖିବେ। ବିକଳ୍ପ ବ୍ୟବସ୍ଥା ସଂପର୍କରେ ଆସନ୍ତାକାଲି ତାଙ୍କ ସହିତ ପରିଚାଳନା କମିଟି ଆଲୋଚନା କରିବେ ବୋଲି ସେ ସୂଚାଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ଛତିଶାନିଯୋଗର ଚିଠି : ରିଭ୍ୟୁ ପିଟିସନ୍‌ କରନ୍ତୁ ସରକାର
ପୁରୀ : ଶ୍ରୀମନ୍ଦିର ଛତିଶାନିଯୋଗ ପକ୍ଷରୁ ଆଜି ରଥଯାତ୍ରା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖାଯାଇଛି। ସୁପ୍ରିମକୋର୍ଟଙ୍କ ଆଦେଶର ପୁନଃବିଚାର ପାଇଁ ରିଭ୍ୟୁ ପିଟିସନ୍‌ ଦାଖଲ କରିବାକୁ ନିଯୋଗ ପକ୍ଷରୁ ନିବେଦନ କରାଯାଇଛି। ଛତିଶାନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ଆଜି ଏହି ଚିଠି ଲେଖିଛନ୍ତି। ଶ୍ରୀ ମହାପାତ୍ର ଚିଠିରେ ଉଲ୍ଲେଖ କରିଛନ୍ତି କି ଆଜି ସୁପ୍ରିମକୋର୍ଟଙ୍କର ଏହି ରାୟ ସେବାୟତ ସମୂହଙ୍କୁ ମର୍ମାହତ କରିଛି। ସୁପ୍ରିମକୋର୍ଟଙ୍କ ରାୟରୁ ସ୍ପଷ୍ଟ ହେଉଛି କି ଶ୍ରୀମନ୍ଦିର ପ୍ରଶାସନ ବା ରାଜ୍ୟ ସରକାର ମାନ୍ୟବର କୋର୍ଟରେ ରଥଯାତ୍ରା ସଂପର୍କରେ ଆବଶ୍ୟକ ଯୁକ୍ତି ଉପସ୍ଥାପନ କରିବ‌ାରେ ଫେଲ୍‌ ମାରିଛନ୍ତି। ଯେଉଁଥିପାଇଁ ଆଜି ଏଭଳି ରାୟ ପ୍ରକାଶ ପାଇଛି। ଏହାର ପୁନଃବିଚାର ଆବଶ୍ୟକ ରହିଛି ବୋଲି ଶ୍ରୀ ମହାପାତ୍ର ଚିଠିରେ ‌ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର