ଶ୍ରୀମନ୍ଦିରଐତିହ୍ୟ ବିକାଶକୁ କେନ୍ଦ୍ରୀୟ ଝଟ୍‌କା: ଶ୍ରୀମନ୍ଦିର ପାଇଁ ହେବ ସ୍ବତନ୍ତ୍ର ବାଇ-ଲ, ୩୦୦ ମିଟର ପାଇଁ ଲାଗିବ କଟକଣା

ଭୁବନେଶ୍ବରର ୩ ପ୍ରକଳ୍ପ ସାମିଲ୍‌, ମନ୍ଦିର ପ୍ରଶାସନ, ପୌରସଂସ୍ଥା, ପିକେଡିଏ ଆପତ୍ତି ଜଣାଇଲେ

ଭୁବନେଶ୍ବର: ଶ୍ରୀମନ୍ଦିର ଚାରିପଟେ ୭୫ମିଟର ପରିଧି ଅଞ୍ଚଳକୁ ଐତିହ୍ୟ କରିଡ଼ରରେ ପରିଣତ କରିବା ଲାଗି ରାଜ୍ୟ ସରକାର ଜୋରଦାର ଉଦ୍ୟମ ଚଳାଇଛନ୍ତି। କୋଠା ହଟାଯାଇଛି, ବିକାଶ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ପ୍ରକଳ୍ପକୁ ନେଇ ସରକାରଙ୍କ ସ୍ବପ୍ନ କାହିଁରେ କେତେ। ଠିକ୍ ଏହି ସମୟରେ କେନ୍ଦ୍ର ସରକାର ଏକ ଜବରଦସ୍ତ ଝଟ୍‌କା ଦେଇଛନ୍ତି। କେନ୍ଦ୍ରର ଏକ ବଡ଼ ନିଷ୍ପତ୍ତି ସମୁଦାୟ ବିକାଶ ପ୍ରକ୍ରିୟାର ତଣ୍ଟିମୋଡ଼ି ଦେବାଭଳି ପରିସ୍ଥିତି ସୃଷ୍ଟି କଲାଣି। କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଅଧୀନସ୍ଥ ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ (ଏନଏମଏ) ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ଏକ ସ୍ବତନ୍ତ୍ର ବାଇ-ଲ ବା ଉପନିୟମ ଆଣିବାକୁ ଯାଉଛନ୍ତି। ଏହି ବାଇ-ଲରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଶ୍ରୀଜଗନ୍ନାଥ ମନ୍ଦିର ଚାରିପଟେ ୩୦୦ ମିଟର ଅଞ୍ଚଳ ପାଇଁ କଟକଣା ଜାରି ହେବ। ପ୍ରଥମ ୧୦୦ ମିଟର ପୂରା ନିଷିଦ୍ଧ ଅଞ୍ଚଳ ଭାବେ ଘୋଷଣା ହେବ। ଏହି ଅଞ୍ଚଳରେ କୌଣସି ପ୍ରକାର ସରକାରୀ କିମ୍ବା ଘରୋଇ ନିର୍ମାଣକୁ ଅନୁମତି ଦିଆଯିବ ନାହିଁ। ମନ୍ଦିରର ଚାରିପଟେ ୨୦୦ ମିଟର ପରିମିତ ଅଞ୍ଚଳକୁ ନିୟନ୍ତ୍ରିତ ଅଞ୍ଚଳ ଭାବେ ଘୋଷଣା କରାଯିବ। ଏହି ଅଞ୍ଚଳରେ ନିର୍ମାଣ କାର୍ଯ୍ୟକୁ ଯଦିଓ ନିଷିଦ୍ଧ କରାଯିବ ନାହିଁ ତଥାପି ନିର୍ମାଣ ପାଇଁ ଏନଏମଏର ମଞ୍ଜୁରି ନିଶ୍ଚିତ ଆବଶ୍ୟକ।

ଶ୍ରୀମନ୍ଦିରର ୯.୭ ଏକର ଅଞ୍ଚଳକୁ ସୁରକ୍ଷିତ ଅଞ୍ଚଳ ହୋଇଥିବା ବେଳେ ମନ୍ଦିରର ମେଘନାଦ ପାଚେରି ଚାରିପଟେ ୩୭.୦୬୧ ଏକର ଅଞ୍ଚଳରେ ନିର୍ମାଣକୁ ନିଷିଦ୍ଧ କରାଯିବ। ସେହିଭଳି ମନ୍ଦିର ଚାରିପଟେ ୧୩୮.୩୮୫ ଏକର ସ୍ଥାନରେ ନିର୍ମାଣକୁ ନିୟନ୍ତ୍ରିତ କରାଯିବ। ବର୍ତ୍ତମାନ ମନ୍ଦିର ଚାରିପଟେ ଏସବୁ ଅଞ୍ଚଳ ମୁଖ୍ୟତଃ ବାଣିଜ୍ୟିକ ଏବଂ ଆବାସିକ କାର୍ଯ୍ୟଲାଗି ଉପଯୋଗ କରାଯାଇଛି। କିଛି ସ୍ଥାନରେ ଛୋଟ ଛୋଟ ମନ୍ଦିର ଓ ବଜାର ରହିଛି। ଆଉ କିଛି ଅଞ୍ଚଳ ରହିଛି, ଯେଉଁଠି ସିଟି ରୋ଼ଡ୍ ଯାଇଛି ଏବଂ ଟାଇଲ୍ ବିଛା ରାସ୍ତା, ମନ୍ଦିର କଂପ୍ଲେକ୍ସ, ପୁରୀ ସମୁଦ୍ର ରହିଛି।
ନିୟନ୍ତ୍ରିତ ଅଞ୍ଚଳ ବାହାରେ ଯେଉଁ ନିର୍ମାଣ ହେବ ତାହାର ଉଚ୍ଚତା ଉପରେ ମଧ୍ୟ କଟକଣା ରହିବ। ନିଷିଦ୍ଧ ଅଞ୍ଚଳ ମଧ୍ୟରେ ୭ମିଟର ଉଚ୍ଚ ନିର୍ମାଣକୁ ଅନୁମତି ଦିଆଯିବ ନାହିଁ। କୋଠା ବା ନିର୍ମାଣଗୁଡ଼ିକ ଦ୍ବାରା ଦୂରରୁ ଶ୍ରୀମନ୍ଦିର ଦର୍ଶନ ଯେଭଳି ବାଧାପ୍ରାପ୍ତ ନହୁଏ ତାହା ପ୍ରତି ଧ୍ୟାନ ଦିଆଯିବ।
କେବଳ ସେତିକି ନୁହେଁ, ଏହି ଅଞ୍ଚଳରେ ଏଲ୍ଇଡି କିମ୍ବା ଅନ୍ୟ ଉଚ୍ଚ ପ୍ରତିଫଳନ ଯୁକ୍ତ ସିନ୍ଥେଟିକ ସାମଗ୍ରୀର ବ୍ୟବହାର ବଡ଼ଦାଣ୍ଡକୁ ସଜ୍ଜିତ କରିବା ଲାଗି ବ୍ୟବହାର କରାଯିବ ନାହିଁ। ରଥଯାତ୍ରା ଭଳି ସ୍ବତନ୍ତ୍ର ଉତ୍ସବରେ ବ୍ୟାନର ଲଗାଇବାକୁ ଅନୁମତି ମିଳିବ। କିନ୍ତୁ ଏହା ତିନିଦିନରୁ ଅଧିକ ହେବନାହିଁ। ଏଥିସହିତ ନିଷିଦ୍ଧାଞ୍ଚଳ ଓ ନିୟନ୍ତ୍ରିତ ଅଞ୍ଚଳକୁ ପ୍ଲାଷ୍ଟିକମୁକ୍ତ ଏବଂ ହକର ଓ ଭିକାରିମୁକ୍ତ କରିବାକୁ ହେବ।

ବର୍ତ୍ତମାନ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଐତିହ୍ୟ ଅଞ୍ଚଳ ଅଧୀନରେ ଆସୁଛି। ଶ୍ରୀମନ୍ଦିର ସ‌ହିତ ପୁରୀର ଅନ୍ୟ ୮ଟି ମନ୍ଦିର ଓ ସ୍ଥାନକୁ ଚିହ୍ନଟ କରାଯାଇଛି। ସେଗୁଡ଼ିକ ହେଲା ଶଙ୍ଖଚକ୍ର ମନ୍ଦିର, ମହାବୀର ମନ୍ଦିର, ତିମେଇ ମଠ, ତ୍ରିନାଥ ମନ୍ଦିର, ଶ୍ବେତ ଗଙ୍ଗା ପୁଷ୍କରିଣୀ ଏବଂ ମା ଆଚାମୁଣ୍ଡା ମନ୍ଦିର। ପୂରାତନ କୀର୍ତ୍ତିରାଜି ଏବଂ ପ୍ରତ୍ନତାତ୍ତ୍ବିକ ଅଞ୍ଚଳ (ସଂଶୋଧନ ଏବଂ ବୈଧୀକରଣ) ଆଇନ ବା ଏଏମଏଏସଆର-୨୦୧୦ ଅଧୀନରେ ଏନଏମଏ ଉକ୍ତ ଚିଠା ବାଇ-ଲକୁ ପ୍ରକାଶ କରିଛି। ଏହି ବାଇ-ଲ ଉପରେ ସର୍ବସାଧାମ ମତାମତ ଲୋଡ଼ାଯାଇଛି ଓ ଫେବ୍ରୁଆରି ୧୮ ତାରିଖ ଦିନ ସୁଦ୍ଧା ମତାମତ ଓ ପରାମର୍ଶକୁ ଆଧାର କରି କର୍ତ୍ତୃପକ୍ଷ ଆଗକୁ ବଢ଼ିବେ। କେନ୍ଦ୍ର ସରକାରଙ୍କ ଏଭଳି ଯୋଜନା ସଂପର୍କରେ ଜଣାପଡ଼ିବା ପରେ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି, ଏହା ଉପରେ ବିଭାଗ ନଜର ରଖୁଛି। କିନ୍ତୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଏବଂ ଆଇନ ବିଭାଗ ଆବଶ୍ୟକ ପଦକ୍ଷେପ ନେବେ।
ସେପଟେ ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ପୁରୀ ପୌରସଂସ୍ଥା ଓ ପିକେଡିଏ ଆଜି ଏକ ଜରୁରୀ ବୈଠକ ଡାକି ଏ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି। ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାରଙ୍କ ନେତୃତ୍ବରେ ଏହି ବୈଠକ ଡକାଯାଇଥିଲା। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏହି ବାଇ ଲ ଯଦି କାର୍ଯ୍ୟକାରୀ ହୁଏ, ଏହି ପରିସୀମା ମଧ୍ୟରେ ଥିବା ଅନେକ ସେବାୟତଙ୍କ ଘର, କାର୍ଯ୍ୟାଳୟ ଆଦିର ସାଧାରଣ ମରାମତି ପାଇଁ ମଧ୍ୟ ଅନୁମତି ନେବାକୁ ହେବ। ଦ୍ବିତୀୟତଃ, ଏତେବଡ଼ ନିଷ୍ପତ୍ତି ନେବା ପୂର୍ବରୁ ଜାତୀୟ କୀର୍ତିରାଜି କର୍ତ୍ତୃପକ୍ଷ ରାଜ୍ୟ ସରକାର ବା ଶ୍ରୀମନ୍ଦିର ପ୍ରଶାସନ ସହିତ ସାମାନ୍ୟତମ ଆଲୋଚନା କରିନାହାନ୍ତି। ଏହାଦ୍ବାରା ସେବକ ଓ ସ୍ଥାନୀୟ ଅଞ୍ଚଳ ଲୋକମାନେ ଢେର୍ ପ୍ରଭାବିତ ହେବେ।

ଆଜି ବୈଠକରେ ନିଷ୍ପତ୍ତି ହୋଇଛି, ଶ୍ରୀମନ୍ଦିର ପ୍ରଶାସନ, ପିକେଡିଏ, ପୌରସଂସ୍ଥା ପୃଥକ୍ ପୃଥକ୍ ଭାବେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଆପତ୍ତି ଜଣାଇବେ। ଏ ନେଇ ବିନା ମତାମତରେ ପଦକ୍ଷେପ ନେବାକୁ ବିରୋଧ କରାଯିବ। ଦିନେ ଦୁଇଦିନ ମଧ୍ୟରେ ଏହି ଚିଠି ଲେଖାଯିବ। ଆବଶ୍ୟକ ପଡ଼ିଲେ ଅଧିକ ସମସ୍ୟା ମଗାଯିବ ବୋଲି ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ, ଏଭଳି ନିୟମ କରାଗଲେ,ରାଜ୍ୟ ସରକାରଙ୍କ ଐତିହ୍ୟ କରିଡ଼ର ମଧ୍ୟ ପ୍ରଭାବିତ ହେବ। ଏ ସଂକ୍ରାନ୍ତରେ ଯାହା ବି ପଦକ୍ଷେପ ନିଆଯିବ, ସେଥିଲାଗି କୀର୍ତ୍ତିରାଜି କର୍ତ୍ତୃପକ୍ଷଙ୍କର ଅନୁମତି ନେବାକୁ ହେବ। କିଛି ଯୋଜନା ସରକାରଙ୍କର ବନ୍ଦ ରଖିବାକୁ ପଡ଼ିପାରେ।

ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରସଙ୍ଗରେ ତୁରନ୍ତ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ପଟେଲଙ୍କ ସହିତ କଥା ହୋଇଥିବା ଟ୍ବିଟ୍ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ଚିଠା ବାଇ-ଲ ଓଡ଼ିଆରେ ପ୍ରକାଶ କରିବାକୁ ସଂସ୍କୃତି ମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିଲା। ଶ୍ରୀ ପଟେଲ୍ ଏହାକୁ ଗ୍ରହଣ କରିଛନ୍ତି। କେବଳ ସେତିକି ନୁହେଁ, କେନ୍ଦ୍ରମନ୍ତ୍ରୀ ଏକଥା ବି ପ୍ରତିଶ୍ରୁତି ଦେଇଛନ୍ତି ଯେ କେନ୍ଦ୍ର ସରକାର ଶ୍ରୀଜଗନ୍ନାଥ ମନ୍ଦିର ବିକାଶ କାର୍ଯ୍ୟ ପ୍ରଭାବିତ ହେବା ଭଳି ବା ସ୍ଥାନୀୟ ଲୋକଙ୍କ ଭାବାବେଗକୁ କ୍ଷତି ପହଞ୍ଚାଇବା ଭଳି କୌଣସି ପଦକ୍ଷେପ ନେବେ ନାହିଁ।
ଉଲ୍ଲେଖଥାଉକି, ଶ୍ରୀ ଜଗନ୍ନାଥ ମନ୍ଦିର ଓ ଏହା ସହ ଜଡ଼ିତ ପୀଠଗୁଡ଼ିକ ପାଇଁ ଉକ୍ତ ବାଇ-ଲ କରାଯାଇଛି। ପାରିପାର୍ଶ୍ବିକ ଅଞ୍ଚଳର ବିକାଶ ଏବଂ ସେଗୁଡ଼ିକର ସଂରକ୍ଷଣ ପାଇଁ ଏଥିରେ ଅଞ୍ଚଳଗୁଡ଼ିକର ସଂଜ୍ଞା ନିରୂପଣ କରାଯାଇଛି। ଏଏମଏଏସଆର ଆଇନ ଅଧୀନରେ କେନ୍ଦ୍ର ଦ୍ବାରା ସୁରକ୍ଷିତ ୩୭୮୬ଟି କୀର୍ତ୍ତିରାଜିକୁ ସୁରକ୍ଷା ଦେବା ସମ୍ଭବ ନୁହେଁ। ଏହାକୁ ଦୃଷ୍ଟିରେ ରଖି ଶ୍ରୀଜଗନ୍ନାଥ ମନ୍ଦିର ପୁରୀ ପାଇଁ ସ୍ବତନ୍ତ୍ର ବାଇ-ଲ ପ୍ରସ୍ତୁତ ପରିପ୍ରେକ୍ଷୀରେ ଏହି କଟକଣା ହେବ। ଇନଟାକ୍‌ ସମେତ ଏକ ଐତିହ୍ୟ ବିଶେଷଜ୍ଞ କମିଟି ପକ୍ଷରୁ ଏହି ବାଇ-ଲ ଚିଠା ପ୍ରସ୍ତୁତ ହୋଇଥିବା କୁହାଯାଉଛି।

୧୯୯୨ ମସିହା ଜୁନ ୧୬ ତାରିଖ ପୂର୍ବରୁ ନିଷିଦ୍ଧାଞ୍ଚଳରେ ଯେଉଁ କୋଠା ବା ଢାଞ୍ଚାର ନିର୍ମାଣ ହୋଇଛି କିମ୍ବା ପରବର୍ତ୍ତୀ ପର୍ଯ୍ୟାୟରେ ଏଏସଆଇ ମହାନିର୍ଦ୍ଦେଶକଙ୍କ ମଞ୍ଜୁରି ନେଇ ନିର୍ମାଣ ହୋଇଛି ସେସବୁ କୋଠା ବା ଢାଞ୍ଚାର ମରାମତି ଓ ନବୀକରଣ କାର୍ଯ୍ୟ ପାଇଁ ଉପଯୁକ୍ତ କର୍ତ୍ତୃପକ୍ଷ (ସଂସ୍କୃତି ବିଭାଗ ନିର୍ଦ୍ଦେଶକ)ଙ୍କ ମଞ୍ଜୁରି ନେବାକୁ ହେବ। ପୁରୀ ଶ୍ରୀମନ୍ଦିର ଭଳି ବାଇ-ଲ ଏକାମ୍ର କ୍ଷେତ୍ରର ବ୍ରହ୍ମେଶ୍ବର ଏବଂ ଅନନ୍ତ ବାସୁଦେବ ମନ୍ଦିର ପାଇଁ ମଧ୍ୟ ଏନଏମଏ ପକ୍ଷରୁ ପ୍ରସ୍ତୁତ କରାଯାଇଛି।

ସମ୍ବନ୍ଧିତ ଖବର