ପୁରୀ: ଶ୍ରୀମନ୍ଦିର ନୀତିରେ ଅହେତୁକ ବିଳମ୍ବ ଯୋଗୁ ଗତକାଲି ମହାପ୍ରଭୁ ରାତି ଅନିଦ୍ରା ହୋଇଛନ୍ତି। ସଂଧ୍ୟାର ନୀତି ବିଳମ୍ବିତ ରାତିରେ ସମ୍ପନ୍ନ ହୋଇଛି। ଏହି କାରଣରୁ ରାତ୍ର ପହୁଡ଼ ଓ ଦ୍ବାରଫିଟା ନୀତି ବିନା ଆଜିର ଦୈନନ୍ଦିନ କାର୍ଯ୍ୟ ଆରମ୍ଭ ହୋଇଛି। ଏହାକୁ ନେଇ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ୨୦୧୯ ମସିହାରେ ପରିଚାଳନା କମିଟି ନିଷ୍ପତ୍ତିକ୍ରମେ ନୀତି ବିଳମ୍ବ ପାଇଁ ପାଳିଆ ପୁରସ୍କାର କାଟିବା ଅବା ସ୍ଥଗିତ ରଖିବାର ନିଷ୍ପତ୍ତି ନିଆଯାଇଥିଲା। ଏହା କିନ୍ତୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଉନି। ଫଳରେ ନୀତିରେ ଆଜି ପର୍ଯ୍ୟନ୍ତ ଶୃଙ୍ଖଳା ଆସି ପାରୁନାହିଁ।
ପ୍ରତିଦିନ ଭୋର ୪ଟାରୁ ଦ୍ବାରଫିଟା ନୀତି ଆରମ୍ଭ କରିବାକୁ ସ୍ଥିର ହୋଇଛି। ହେଲେ ପ୍ରତିଦିନ ପ୍ରାୟ ଦେଢ଼ ଘଣ୍ଟାରୁ ଦୁଇଘଣ୍ଟା ବିଳମ୍ବରେ ଦ୍ବାରଫିଟା ନୀତି ହେଉଛି। ଗତକାଲି ପ୍ରାୟ ଦୁଇ ଘଣ୍ଟା ବିଳମ୍ବ ଅର୍ଥାତ୍ ୫ଟା ୫୫ରେ ଏହି ନୀତି ଅନୁଷ୍ଠିତ ହୋଇଥିଲା। ଏହି କାରଣରୁ ମଙ୍ଗଳ ଆଳତି, ସକାଳଧୂପ ବି ବିଳମ୍ବ ହୋଇଥିଲା। ଭୋଗମଣ୍ଡପ ପ୍ରାୟ ୧ଟା ୫୦ ସୁଦ୍ଧା ଶେଷ ହୋଇଯାଇଥିଲା। ସବୁଠାରୁ ବଡ଼ କଥା ହେଲା, ରାତି ୯ଟା ୧୦ରେ ମଧ୍ୟାହ୍ନଧୂପ ପୂଜା ହୋଇଥିଲା। ଅର୍ଥାତ୍ ଦି' ପହର ଖାଇବା ରାତି ୯ଟାରେ ଠାକୁରଙ୍କୁ ଦିଆଗଲା। ଏହି କ୍ରମରେ ରାତି ୧ଟା ୪୫ରେ ସଂଧ୍ୟାଧୂପ ପୂଜା ହୋଇଥିଲା। ଏଣୁ ବଡ଼ ସିଂହାର ବେଶ ସରିବା ବେଳକୁ ଆଜି ସକାଳ ସାଢ଼େ ୫ଟା ହୋଇଯାଇଥିଲା। ଯେହେତୁ ନୀତି ବିଳମ୍ବ ହୋଇ ଯାଇଥିଲା, ସେ ଦୃଷ୍ଟିରୁ ଆଉ ଗତକାଲିର ମହାପ୍ରଭୁଙ୍କ ରାତ୍ର ପହୁଡ଼ ନ କରି ଆଜିର ନୀତିକାନ୍ତି ଆରମ୍ଭ ହୋଇଥିଲା।
ଶ୍ରୀମନ୍ଦିର ନୀତିକାନ୍ତିରେ ଆସୁନି ଶୃଙ୍ଖଳା
ମଧ୍ୟାହ୍ନ ଖାଦ୍ୟ ଠାକୁରେ ରାତିରେ ଖାଇଲେ
ମଧ୍ୟରାତ୍ରିରେ ହେଲା ସନ୍ଧ୍ୟା ଧୂପ ପୂଜା
ପହୁଡ଼ କି ଦ୍ବାରଫିଟା ନୀତି ବିନା ସେବା ଚାଲିଛି
ଆଜି ବି ନୀତିରେ ବିଳମ୍ବ ଦେଖିବାକୁ ମିଳିଛି। ବିନା ଦ୍ବାରଫିଟାରେ ଆଜି ନୀତି ଆରମ୍ଭ ହୋଇଥିଲେ ବି ଦୈନନ୍ଦିନ ନୀତି ସକାଳ ୭ଟା ୨୦ରେ ଆରମ୍ଭ ହୋଇଛି। କେବଳ ସେତିକି ନୁହେଁ, ଆଜି ବି ମଧ୍ୟାହ୍ନଧୂପ ଓ ସଂଧ୍ୟାଧୂପ ବିଳମ୍ବ ହୋଇଛି। ପୂଜାପଣ୍ଡା ସେବକ କହିଛନ୍ତି, ଗତକାଲି ଜଳକ୍ରୀଡ଼ା ଏକାଦଶୀ ନୀତି ଥିଲା। ଯେହେତୁ ଦୈନନ୍ଦିନ ନୀତିକାନ୍ତି ସହ ଜଳକ୍ରୀଡ଼ା ଏକାଦଶୀର ସ୍ବତନ୍ତ୍ର ନୀତି ଥିଲା, ସେଥିପାଇଁ ବିଳମ୍ବ ହୋଇଥିଲା। ଭକ୍ତ ଦିଲୀପ କୁମାର ବରାଳ କହିଛନ୍ତି, ଯଦି ଅଧିକ ଅବା ସ୍ବତନ୍ତ୍ର ନୀତିକାନ୍ତି ଥିଲା, ଶ୍ରୀମନ୍ଦିର ପ୍ରଶାସନ ସେହି ଅନୁସାରେ ନିଜକୁ ପ୍ରସ୍ତୁତ ରଖିବା କଥା। କିନ୍ତୁ ପୂର୍ବପ୍ରସ୍ତୁତି ନ ଥାଇ ନୀତି ବଢ଼ିଲା; ଯେଉଁଥିପାଇଁ ମହାପ୍ରଭୁଙ୍କୁ ରାତି ଅନିଦ୍ରା ହେବାକୁ ପଡ଼ିଲା ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ୨୦୧୯ ମସିହାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ନିଯୋଗର ସମ୍ପାଦକମାନଙ୍କୁ ନୀତି ସମ୍ପାଦନରେ ଶୃଙ୍ଖଳା ଓ ସମୟାନୁବର୍ତ୍ତିତା ରକ୍ଷା ପାଇଁ ଚିଠି କରାଯାଇଥିଲା। ଚିଠି ଅନୁଯାୟୀ, ନୀତି ସମ୍ପୃକ୍ତ ସେବାୟତ ସେବାରେ ୧୫ ମିନିଟ୍ ବିଳମ୍ବ କଲେ ଏକ ଚତୁର୍ଥାଂଶ ପାଳିଆ ପୁରସ୍କାର ଓ ଅନ୍ୟାନ୍ୟ ପ୍ରାପ୍ୟ ପାଉଣା ସ୍ଥଗିତ ରଖାଯିବାର ବ୍ୟବସ୍ଥା କରାଯାଇଥିଲା। ଅଧଘଣ୍ଟା ବିଳମ୍ବ ହେଲେ ସେଦିନର ଅଧା ପାଳିଆ ପୁରସ୍କାର ଓ ଅନ୍ୟ ପ୍ରାପ୍ୟ ପାଉଣା ସ୍ଥଗିତ ରଖାଯିବାର ବ୍ୟବସ୍ଥା ହୋଇଥିଲା। ଘଣ୍ଟାଏ ବିଳମ୍ବ ହେଲେ ସେଦିନର ସମସ୍ତ ପାଳିଆ ପୁରସ୍କାର ଓ ପ୍ରାପ୍ୟ ପାଉଣା କାଟି ଦିଆଯିବ ନିଷ୍ପତ୍ତି ନିଆଯାଇଥିଲା। ଏହା କିନ୍ତୁ ଏବେ ବି କାଗଜପତ୍ରରେ ରହିଛି। ଶ୍ରୀମନ୍ଦିର ପ୍ରଶାସନ ମହାପ୍ରଭୁଙ୍କ ନୀତିରେ ଶୃଙ୍ଖଳା ଆଣିପାରିନାହିଁ କି କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଉନାହିଁ।