ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ଗଜପତି ମହାରାଜ କହିଲେ- ଶ୍ରୀମନ୍ଦିର ସଂପୂର୍ଣ୍ଣ ରୂପେ ସୁରକ୍ଷିତ ଅଛି

ପୁରୀ: ଶ୍ରୀମନ୍ଦିର ନିଶ୍ଚିତ ସୁରକ୍ଷିତ ଅଛି। ଶ୍ରୀମନ୍ଦିର ପରିକ୍ରମା ଯୋଜନା ଶ୍ରୀମନ୍ଦିର ସୁରକ୍ଷା, ଭକ୍ତଙ୍କ ସୁବିଧା, ଶ୍ରୀମନ୍ଦିର ପରିସରର ସୌନ୍ଦର୍ଯ୍ୟୀକରଣ ପାଇଁ। ମହାପ୍ରଭୁଙ୍କ ଏହି ମହାନ ପୀଠକୁ ବିଶ୍ବସ୍ତରରେ ଉତ୍ତମ ଭାବେ ଉପସ୍ଥାପନା ପାଇଁ ଏହି ଯୋଜନା ନିତାନ୍ତ ଆବଶ୍ୟକ। ଏଣୁ ଏହି ଯୋଜନା କିଭଳି ସୁନ୍ଦର ଭାବେ ଆଗେଇ ଚାଲିବ, ସେ ଦିଗରେ ସହଯୋଗ ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ନିବେଦନ କରୁଛି। କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଏହା ଉପରେ ଚିନ୍ତନ କରି କାମକୁ ଆଗେଇ ନେବା ଦରକାର। କୌଣସି ଅସୁବିଧା ଥିଲେ ମିଳିତ ବୈଠକ ଡାକି ଯଥାଶୀଘ୍ର ସମାଧାନ କରାଯାଉ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବହୁଦିନର ବାଦବିବାଦ ପରେ ଆଜି ଏଭଳି ମନ୍ତବ୍ୟ ଦେଇଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ।

ଗଜପତି କହିଛନ୍ତି ଯେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପରେ ଆଜି ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଥିଲା। ଏହି ପ୍ରକଳ୍ପ ସହ ମୂଳରୁ ଶ୍ରୀମନ୍ଦିର ପରିଚାଳନା କମିଟି ସାମିଲ୍‌ ଅଛି। ଯେତେବେଳେ ଭୂମିପୂତ୍ର ଆର୍କିଟେକ୍ଟ ଜରିଆରେ ଏହି ପ୍ରକଳ୍ପ ନକ୍ସା ପୂର୍ଣ୍ଣାଙ୍ଗ ହେଲା, ତାକୁ ପରିଚାଳନା କମିଟି ଅନୁମୋଦନ କରିଥିଲା। ଏହା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆମେ ନିବେଦନ କରୁଛୁ, ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ ଏହି ପ୍ରକଳ୍ପକୁ ଆଗେଇ ନେବେ। ମହାପ୍ରଭୁଙ୍କ କାମ ହେଉଛି ସମସ୍ତଙ୍କ କାମ। ଏହି କାମ କୌଣସି ‌ଗୋଟିଏ ବ୍ୟକ୍ତି ବା ଗୋଟିଏ ଦଳ ବା ଗୋଟିଏ ସରକାରଙ୍କର ନୁହଁ। ଏହା ସମଗ୍ର ବିଶ୍ବ ଭକ୍ତମାନଙ୍କର କାମ। ଏଥିରେ ସମସ୍ତେ ସାମିଲ୍‌ ହେବା ଓ ମିଳିମିଶି କାମ କରିବା। ମହାପ୍ରଭୁଙ୍କ କାମରେ ଯଦି କିଛି ଅସୁବିଧା ରହୁଛି, ତାକୁ ମିଳିତ ଭାବେ ସମାଧାନ କରିବା ଦରକାର। ଆନ୍ଦୋଳନ ପନ୍ଥା ବା ଏଭଳି କୌଣସି ବାଧା ମହାପ୍ରଭୁଙ୍କ କାମରେ ସୃଷ୍ଟି କରିବା ଅନୁଚିତ୍‌ ବୋଲି ଗଜପତି କହିଛନ୍ତି।

ସେପଟେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ଓ ନିର୍ମାଣକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଏହି ଖନନ ଓ ନିର୍ମାଣକୁ ‌ବେଆଇନ୍‌ ଅଭିଯୋଗ କରିବା ସହ ଶ୍ରୀମନ୍ଦିର ସୁରକ୍ଷା ଦାବି କରି ଆସନ୍ତା ୨୭ ତାରିଖରେ ‘ଶ୍ରୀମନ୍ଦିର ବଞ୍ଚାଅ ଆନ୍ଦୋଳନ’ ସଂଗଠନ ନେତୃତ୍ବରେ ସାରା ରାଜ୍ୟର ଭକ୍ତ, ଶ୍ରୀ‌ଜଗନ୍ନାଥପ୍ରେମୀ, ରାଜନେତା ଏକାଠି ହୋଇ ଶାନ୍ତିପୂର୍ଣ୍ଣ ପଦଯାତ୍ରା କରିବାର ଆହ୍ବାନ ଦେଇଛନ୍ତି। ଏଥିପାଇଁ ଭକ୍ତ, ବିଭିନ୍ନ ସଂଗଠନ ଏକାଠି ହେଉଥିବା ବେଳେ ଆଜି ଆଉ ଏକ ସଂଗଠନ ଏହା ବିରୋଧରେ ମୁଣ୍ଡ ଟେକିଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସୁରକ୍ଷା ମଞ୍ଚ ନାଁରେ ଗଢ଼ା ହୋଇଥିବା ଏହି ନବସଂଗଠନର କର୍ମକର୍ତ୍ତା ଆଜି ଜିଲ୍ଲାପାଳଙ୍କୁ ଭେଟିଛନ୍ତି। ଆସନ୍ତା ୨୭ ତାରିଖରେ ଯେଉଁ ଆନ୍ଦୋଳନ ହେଉଛି, ତାର ପ୍ରତିବାଦ ସ୍ବରୂପ ବଡ଼ଦାଣ୍ଡ ମାର୍କେଟ୍‌ ଛକରେ ଗଣଧାରଣା ଦେବାକୁ ଅନୁମତି ମାଗିଛନ୍ତି। ଯେଉଁଥିରେ ୨ହଜାରରୁ ଅଧିକ ଲୋକ ଏକାଠି ହେବେ ବୋଲି ସଂଗଠନ ପକ୍ଷରୁ ପ୍ରଶାସନକୁ ଅବଗତ କରାଯାଇଛି।

ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ଓ ନିର୍ମାଣରେ ପଶିଲା ରାଜନୀତି
ଶ୍ରୀମନ୍ଦିର ବଞ୍ଚାଅ ଆନ୍ଦୋଳନ ବିରୋଧରେ ଶ୍ରୀମନ୍ଦିର ପରିକ୍ରମା ସୁରକ୍ଷା ମଞ୍ଚ
୨୭ ତାରିଖ ପଦଯାତ୍ରାକୁ ଓକିଲ ସଂଘର ସମର୍ଥନ
ଆନ୍ଦୋଳନ ବିରୋଧରେ ଗଜପତିଙ୍କୁ ସେବାୟତଙ୍କ ଦାବିପତ୍ର

ଅନ୍ୟପଟେ ପୁରୀ ଓକିଲ ସଂଘ ଆସନ୍ତା ୨୭ ତାରିଖରେ ଶ୍ରୀମନ୍ଦିର ବଞ୍ଚାଅ ଆନ୍ଦୋଳନ ପଦଯାତ୍ରାରେ ସାମିଲ୍‌ ହେବ ବୋଲି ଆଜି ସ୍ପଷ୍ଟ କରିଛି। ପୁରୀ ଓକିଲ ସଂଘ ସଂପାଦକ ବିଭୂତି ଶଙ୍କର ତ୍ରିପାଠୀ କହିଛନ୍ତି ଯେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଯେଉଁ ବେଆଇନ୍‌ କାର୍ଯ୍ୟ ଚାଲିଛି, ତାକୁ ଘୋର ବିରୋଧ କରୁଛୁ। ଏହା ବିରୋଧରେ ଆମେ ଆଇନର ଆଶ୍ରୟ ନେଇଛୁ। ଆସନ୍ତା ୨୭ ତାରିଖ ପଦଯାତ୍ରାକୁ ଆମେ ଅନ୍ତରର ସହ ସମର୍ଥନ ଜଣାଉଛୁ। ସମସ୍ତ ଆଇନଜୀବୀ ଓ ପୁରୀବାସୀଙ୍କୁ ଏହି ପଦଯାତ୍ରାରେ ବହୁସଂଖ୍ୟାରେ ଯୋଗଦେବାକୁ ଅନୁରୋଧ କରିଛୁ। ଯେଉଁ ଆଇନଜୀବୀମାନେ ଏହି ପଦଯାତ୍ରାରେ ସାମିଲ୍‌ ହେବାକୁ ଯାଉଛନ୍ତି, ସେମାନେ ସ୍ବତଃସ୍ଫୃତ ସାମିଲ୍‌ ହୋଇପାରିବେ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

ସେପଟେ ଶ୍ରୀମନ୍ଦିର ବଞ୍ଚାଅ ଆନ୍ଦୋଳନ ବ୍ୟାନରରେ ଯେଉଁ ପଦଯାତ୍ରା ୨୭ ତାରିଖ ସକାଳ ୯ଟାରେ ରହିଛି, ତା ଉପରେ ପ୍ରଶାସନକୁ ଅନୁମତି ମଗାଯାଇଥିଲେ ବି ଆଜି ସଂଧ୍ୟା ସୁଦ୍ଧା ଏହାକୁ ଅନୁମତି ମିଳିନଥିବା ଜଣାପଡ଼ିଛି। ଏହି ପଦଯାତ୍ରା ବିରୋଧରେ ମୁଣ୍ଡ ଟେକିଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସୁରକ୍ଷା ମଞ୍ଚ ପକ୍ଷରୁ ଆବାହକ ତଥା ବିଜେଡି ନଗର ସଭାପତି ସବ୍ୟସାଚୀ ମହାପାତ୍ର କହିଛନ୍ତି ଯେ ଆସନ୍ତା ୨୭ ତାରିଖରେ ଯେଉଁ ଆନ୍ଦୋଳନ ହେଉଛି, ତାହା ଶ୍ରୀଜଗନ୍ନାଥ ପ୍ରେମୀ ତଥା ଦେଶ ବିଦେଶରେ ଶ୍ରୀଜଗନ୍ନାଥଙ୍କ ଗରିମା କ୍ଷୁଣ୍ଣ କରୁଛି। ଏହାର ପ୍ରତିବାଦ ସ୍ବରୂପ ଆମେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସୁରକ୍ଷା ମଞ୍ଚ ବ୍ୟାନରରେ ଗଣଧାରଣା ଦେବୁ। ୨ହଜାରରୁ ଅଧିକ ଲୋକଙ୍କୁ ନେଇ ହେଉଥିବା ଏହି ସମାବେଶ ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ମଗାଯାଇଛି। ଅପର‌ପକ୍ଷେ ଗତକାଲି ଯେଉଁ ସେବାୟତମାନେ ଜିଲ୍ଲାପାଳଙ୍କୁ ଭେଟି ପରିକ୍ରମା ପ୍ରକଳ୍ପ ସପକ୍ଷରେ ଦାବିପତ୍ର ପ୍ରଦାନ କରିଥିଲେ ଓ ଆସନ୍ତା ୨୭ ତାରିଖ‌ ଆନ୍ଦୋଳନକୁ ଅନୁମତି ନ ଦେବାକୁ ଦାବି କରିଥିଲେ, ସେମାନେ ଗଜପତି ମହାରାଜଙ୍କୁ ଆଜି ପୁଣିଥରେ ସେ ନେଇ ଦାବିପତ୍ର ପ୍ରଦାନ କରିଛନ୍ତି। ଶ୍ରୀଜଗନ୍ନାଥ ଭକ୍ତ ପରିଷଦ କିନ୍ତୁ ୨୭ ତାରିଖ ଆନ୍ଦୋଳନକୁ ସମର୍ଥନ କରିଛି। ସରକାର ଯେଉଁ ବେଆଇନ୍‌ ଖନନ ଜାରି ରଖିଛନ୍ତି, ତାକୁ ପୂର୍ଣ୍ଣରୂପ ଦେବା ପାଇଁ କିଛି ସଂଗଠନ, ସେବାୟତଙ୍କୁ ଢ଼ାଲ କରିଛନ୍ତି ବୋଲି ଶ୍ରୀଜଗନ୍ନାଥ ଭକ୍ତ ପରିଷଦର ଆବାହକ ସୂର୍ଯ୍ୟନାରାୟଣ ରଥ କହିଛନ୍ତି।

ସମ୍ବନ୍ଧିତ ଖବର