ପୁରୀରେ ଭୟାବହ ସ୍ଥିତି: ନିରଞ୍ଜନ

ପିସିସି ଟିମ୍‌ ବୁଲିଲେ ପ୍ରଭାବିତ ଅଞ୍ଚଳ, ପ୍ରଶାସନ ପହଞ୍ଚି ପାରି ନ ଥିବାରୁ ‌େକ୍ଷାଭ ଜଣାଇଲେ

ଭୁବନେଶ୍ବର : ‘ଫନି’ ପ୍ରଭାବରେ ପୁରୀରେ ଭୟାବହ ସ୍ଥିତି ସୃଷ୍ଟି ହୋଇଛି। ଶ୍ରୀକ୍ଷେତ୍ର ଏବେ ଶ୍ରୀହୀନ ହୋଇଯାଇଛି। ପୁରୀର ଆଭ୍ୟନ୍ତରୀଣ ଅଞ୍ଚଳ ଦୂରର କଥା, ସହର ଉପରେ ବି ପ୍ରଶାସନ ପହଞ୍ଚି ପାରିନି। ଖାଦ୍ୟ, ପାଣି, ଆଲୋକ ଅଭାବରୁ ପୁରୀ ଏବେ ଅସମ୍ଭାଳ ସ୍ଥିତି ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ଆଜି ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ବରେ କଂଗ୍ରେସର ବରିଷ୍ଠ ନେତା ରାମଚନ୍ଦ୍ର ଖୁଣ୍ଟିଆ ଓ ଅନ୍ୟ କଂଗ୍ରେସ ନେତୃବୃନ୍ଦ ପୁରୀର ‘ଫନି’ ପ୍ରଭାବିତ ଅଞ୍ଚଳ ଗସ୍ତ କରିଥିଲେ। ଏହି ଟିମ୍ ପେଣ୍ଠକଟା ଓ ଚନ୍ଦନପୁର ଯାଇଥିଲେ। ସେଠାରୁ ଫେରିଲା ପରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ବାତ୍ୟା ପୂର୍ବରୁ ସଚେତନତା ସୃଷ୍ଟି କରି କାଜୁଆଲିଟି କମାଇଛନ୍ତି ବୋଲି ସରକାର ‌େଶ୍ରୟ ନେବାକୁ ବିକଳ ହେଉଛନ୍ତି। କିନ୍ତୁ ବାତ୍ୟା ପରେ ସ୍ଥିତିକୁ ସୁଧାରିପାରୁ ନାହାନ୍ତି। କେଉଁଠି ବି ଆଖିଦୃଶିଆ ପଦକ୍ଷେପ ନିଆଯାଉଥିବା ଦେଖିବାକୁ ମିଳୁନି। ସବୁଆଡ଼େ ଚରମ ଅବ୍ୟବସ୍ଥା। ବର୍ତ୍ତମାନ ସୁଦ୍ଧା କେବଳ ପୁରୀରେ ୨୪ରୁ ଅଧିକ ଲୋକ ମଲେଣି। ଏହି ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି। ପୁରୀର ଆଭ୍ୟନ୍ତରୀଣ ଅଞ୍ଚଳ ଖବର ସରକାରଙ୍କ ପାଖରେ ଆଦୌ ନାହିଁ। ବାତ୍ୟାର ଦୁଇ ଦିନ ପରେ ଆଜି ସନ୍ଧ୍ୟାରେ ପେଣ୍ଠକଟାରେ ରିଲିଫ୍ ପହଞ୍ଚିଥିଲା। କିନ୍ତୁ ସେଠାରେ ରିଲିଫ୍ ନେବାକୁ ଏପରି ଗଣ୍ଡଗୋଳ ହୋଇଥିଲା ଯେ ପୁଲିସ୍‌କୁ ଲାଠିମାଡ଼ କରିବାକୁ ପଡ଼ିଥିଲା। ପୁଣି ଚାଉଳର ମାନ ଏତେ ଖରାପ ଥିଲା ଯେ ତାହା ଗନ୍ଧାଉଥିଲା ଓ ଲୋକେ ତାହାକୁ ଫିଙ୍ଗି ଦେଇଥିଲେ।

୧୫ ଦିନ ରନ୍ଧା ଖାଦ୍ୟ ଯୋଗାଣ ନେଇ ଶ୍ରୀ ପଟ୍ଟନାୟକ କହିଛନ୍ତି, ଏହା କେବଳ ସରକାରଙ୍କ ପ୍ରଚାର ପାଇଁ ଉଦ୍ଦିଷ୍ଟ। କେଉଁଠି ରୋଷେଇ ହେଉଛି ଓ କେଉଁଠି ରନ୍ଧା ଖାଦ୍ୟ ଲୋକ ଖାଉଛନ୍ତି, ତାହାର ହିସାବ ସରକାର ଦିଅନ୍ତୁ। କେବଳ ଗଣମାଧ୍ୟମରେ ଘୋଷଣା କରିଦେଲେ ହେବ ନାହିଁ। ପୁରୀ ସହରକୁ ଏ ଯାଏ ପାଣି ଯୋଗାଣ ହୋଇପାରି ନାହିଁ। ବାତ୍ୟା ପରବର୍ତ୍ତୀ ସ୍ଥିତିକୁ ମୁକାବିଲା କରିବା ପାଇଁ ସରକାର ଆଦୌ ପ୍ରସ୍ତୁତ ନ ଥିବା ସ୍ପଷ୍ଟ ହୋଇଛି। ତୁରନ୍ତ ସ୍ଥିତିକୁ ନ ସୁଧାରିଲେ ଭୟାବହ ସ୍ବାସ୍ଥ୍ୟ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି ପିସିସି ସଭାପତି ଚେତାଇ ଦେଇଛନ୍ତି। ଏହି ପ୍ରତିନିଧି ଦଳରେ ଯୁବନେତା ଚିନ୍ମୟ ଦାସ ମଧ୍ୟ ସାମିଲ ଥିଲେ।

ସମ୍ବନ୍ଧିତ ଖବର