ପୁରୀରେ ସ୍ୱାଭାବିକ ହେଲା ସ୍ଥିତି

ଆକ୍ସନ୍‌ ମୁଡ଼୍‌ରେ ପୁଲିସ୍‌, କଠୋର କାର୍ଯ୍ୟାନୁଷ୍ଠାନର ସୂଚନା ଦେଲେ ଡିଜି, ଚା‌ଲିଛି ସିସିଟିଭି ଫୁଟେଜ୍ ଯାଞ୍ଚ୍, କାହାକୁ ଛଡ଼ା ଯିବନି

ପୁରୀ : ବୁଧବାର ବନ୍ଦ ପାଳନ ବେଳେ ଘଟିଥିବା ହିଂସାକାଣ୍ଡ ପରେ ଆଜି ପୁରୀରେ ଶାନ୍ତି ଫେରିଛି। ସବୁଦିନ ଭଳି ଭକ୍ତମାନେ ଆଜି ଶୃଙ୍ଖଳିତ ଭାବେ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି। ଅବଶ୍ୟ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ପୁଲିସ କୋହଳ କରିଛି। ସ୍ଥାନୀୟ ଲୋକମାନେ ବିଭିନ୍ନ ଦ୍ୱାରରେ ଫଟୋ ପରିଚୟପତ୍ର ଦେଖାଇ ମନ୍ଦିର ଭିତରକୁ ଯିବାର ସୁଯୋଗ ପାଇଛନ୍ତି। ସେପଟେ ହିଂସାକାଣ୍ଡ ଘଟଣାକୁ ଗରୁତ୍ବର ସହ ନେଇଛନ୍ତି ପୁଲିସ ଡିଜି। ଏହି ଘଟଣାରେ ୧୨ ଜଣଙ୍କୁ ପୁଲିସ ଗିରଫ କରିଥିବା ସେ ସୂଚନା ଦେଇଛନ୍ତି। କୌଣସି ପରିସ୍ଥିତିରେ ହିଂସାକୁ ବରଦାସ୍ତ କରାଯିବନାହିଁ। ହିଂସାକାଣ୍ଡ ଘଟାଇଥିବା ଆନ୍ଦୋଳନକାରୀ ଓ ସେମାନଙ୍କୁ ପ୍ରବର୍ତ୍ତାଇଥିବା ଆଗ ଧାଡିର ନେତୃତ୍ବଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ରୋକଠୋକ ଶୁଣାଇଛନ୍ତି।

ଗତକାଲିର ହିଂସା ଘଟଣା ପରେ ଆଜି ସ୍ଥିତି ଅନୁଧ୍ୟାନ ପାଇଁ ପୁଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ପୁରୀରେ ପହଞ୍ଚିଥିଲେ। ଏସ୍‌ପିଙ୍କ ଅଫିସରେ ପୁଲିସ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇଜି ଅମିତାଭ ଠାକୁର, ଏସ୍‌ପି  ଡା. ସାର୍ଥକ ଷଡ଼ଙ୍ଗୀଙ୍କ ସହିତ ଘଟଣା ସଂପର୍କରେ ଆଲୋଚନା କରିବା ପରେ ଶ୍ରୀମନ୍ଦିର ଯାଇ ସ୍ଥିତି ପରଖିଥିଲେ। ପୁରୀ ହିଂସା ଘଟଣାକୁ ନେଇ ଡିଜି ଶ୍ରୀ ଶର୍ମା କହିଥିଲେ ଯେ, ଶାନ୍ତିପୂର୍ଣ୍ଣ ବନ୍ଦ ନାମରେ ଯେଉଁ ଆନ୍ଦୋଳନକାରୀ ହିଂସାକାଣ୍ଡ ଭିଆଇଥିଲେ, ପୋଡ଼ାଜଳା, ଭଙ୍ଗାରୁଜା କରି ବ୍ୟାପକ ସଂପତ୍ତି ନଷ୍ଟ କରିଥିଲେ ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ।  ଗଣ୍ଡଗୋଳରେ ସଂପୃକ୍ତ ଥିବା କୌଣସି ଲୋକଙ୍କୁ ଛଡ଼ାଯିବ ନାହିଁ। ହିଂସ‌ା ସୃଷ୍ଟିକାରୀଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ପୁଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବ ବୋଲି ଡାକ୍ତର ଶର୍ମା କହିଥିଲେ।

ସୂଚନାଯୋଗ୍ୟ, ଧାଡ଼ି ଦର୍ଶନକୁ ନେଇ ବୁଧବାର ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀରେ ବନ୍ଦ ପାଳନ ବେଳେ ବଡ଼ଦାଣ୍ଡରେ ଦୀର୍ଘ ୭ ଘଣ୍ଟା ଧରି ପୋଡ଼ାଜଳା, ଭଙ୍ଗାରୁଜା ସାଙ୍ଗକୁ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ଉତ୍ତ୍ୟକ୍ତ ଜନତା ଧାଡ଼ି ଦର୍ଶନ ପାଇଁ ଲାଗିଥିବା ବ୍ୟାରିକେଡ୍‌କୁ ଉପାଡ଼ି ଫିଙ୍ଗିଦେବା ସହ ହୋର୍ଡିଂ, ପାଲ, ସୂଚନା ଫଳକରେ ନିଆଁ ଲଗାଇ ଦେଇଥିଲେ। ଶ୍ରୀମନ୍ଦିର କାର୍ଯ୍ୟାଳୟ ଭିତରେ ବ୍ୟାପକ ଭଙ୍ଗାରୁଜା କରି ଆସବାବପତ୍ର ଜାଳି ଦେଇଥିଲେ। ଆନ୍ଦୋଳନକାରୀଙ୍କ ଆକ୍ରମଣରୁ ପୁଲିସ, ଜନତା, ଭକ୍ତ କେହି ବି ବାଦ୍ ପଡ଼ିନଥିଲେ। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ରବର ବୁଲେଟ୍, ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା। ସେହିପରି ଶ୍ରୀମନ୍ଦିର ଚାରିପାଖ ସମେତ ବଡ଼ଦାଣ୍ଡ ମାର୍କେଟ୍ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଥିଲା।

ସମ୍ବନ୍ଧିତ ଖବର