ଆରମ୍ଭ ହେଲା ସ୍ନାନମଣ୍ଡପ ମରାମତି: ବଦଳିବ ୫୦ ପ୍ରତିଶତ ପଥର, ଲାଗିବ ନୂଆ ଖାଣ୍ଡେଲାଇଟ୍‌ ପଥର

ଏସ୍‌ପି, ବରିଷ୍ଠ ପୁଲିସ ଅଧିକାରୀଙ୍କ ଅନୁଧ୍ୟାନ

ପୁରୀ: ଆଉ ମାତ୍ର ୧୫ ଦିନ ପରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଅଗଣିତ ଭକ୍ତଙ୍କୁ ଗଜବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି। ଦୁଇବର୍ଷ ଧରି କୋଭିଡ୍‌ଜନିତ କଟକଣା ପାଇଁ ଏହି ଦୁର୍ଲ୍ଲଭ ଦର୍ଶନରୁ ବଞ୍ଚିତ ଥିବା ଭକ୍ତ ଚଳିତ ବର୍ଷ ମନଭରି ଶ୍ରୀଜିଉଙ୍କ ଦର୍ଶନ କରିବେ। ଏହି ଉପଲକ୍ଷେ ପ୍ରସ୍ତୁତି ପର୍ବ ଜୋରସୋରରେ ଆଗେଇ ଚାଲିଛି। ଦେବସ୍ନାନ ପୂର୍ଣ୍ଣିମାରେ ଚତୁର୍ଦ୍ଧାମୂର୍ତ୍ତି ସ୍ନାନବେଦିକୁ ବିଜେ ହୋଇ ଭକ୍ତଜନଙ୍କୁ ଦର୍ଶନ ଦେବାର ଥିବାରୁ ଏହାର ପୂର୍ବପ୍ରସ୍ତୁତି ସ୍ବରୂପ ସ୍ନାନ ମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ପଥର ପରିବର୍ତ୍ତନ, ଚୂନ ଦେଇ ଫାଙ୍କ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ପରେ ରଙ୍ଗ ଓ ଅନ୍ୟାନ୍ୟ ସାଜସଜ୍ଜା କାର୍ଯ୍ୟ ଆରମ୍ଭ ହେବ।

ଏହି ଉପଲକ୍ଷେ ଶ୍ରୀମନ୍ଦିର ପ୍ରଶାସନ ସହ ପ୍ରତ୍ନତତ୍ତ୍ବ ବିଭାଗର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକର ନିଷ୍ପତ୍ତି ଅନୁଯାୟୀ, ନଷ୍ଟ ହୋଇଯାଇଥିବା ପୁରୁଣା ପଥର ପରିବର୍ତ୍ତନ ଆରମ୍ଭ ହୋଇଛି। ଏ ସମ୍ପର୍କରେ ପ୍ରତ୍ନତତ୍ତ୍ବ ବିଭାଗର ଜଣେ ଅଧିକାରୀ କହିଛନ୍ତି, ପ୍ରତିବର୍ଷ ସ୍ନାନପୂର୍ଣ୍ଣିମା ପୂର୍ବରୁ ସ୍ନାନବେଦିର ମରାମତି ହୋଇଥାଏ। ପ୍ରତିବର୍ଷ ଭଳି ଚଳିତବର୍ଷ ବି ସ୍ନାନବେଦିର ମରାମତି ଆରମ୍ଭ ହୋଇଛି। ସ୍ନାନବେଦିର ପ୍ରାୟ ୫୦ ପ୍ରତିଶତ ପଥର ପରିବର୍ତ୍ତନ କରାଯିବ। ଏହା ବଦଳରେ ନୂଆ ଖାଣ୍ଡେଲାଇଟ୍‌ ପଥର ଲାଗିବ। ପଥର ପ୍ୟାକିଂରେ ସ୍ବତନ୍ତ୍ର କେମିକାଲ୍‌ର ମିଶ୍ରଣ ଦିଆଯିବ। ଇତିମଧ୍ୟରେ ପଥର ପରିବର୍ତ୍ତନ ଓ ଅନ୍ୟ ମରାମତି କାମ ବି ଆରମ୍ଭ ହୋଇଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର