ସ୍ନାନଯାତ୍ରା ବିଶୃଙ୍ଖଳା, କ୍ଷମା ମାଗିଲେ ୨ ସେବାୟତ

ପୁରୀ : ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ବିଶୃଙ୍ଖଳା ପାଇଁ ନିଲମ୍ବିତ ହୋଇଥିବା ଦୁଇ ସେବାୟତ ସୋମନାଥ ଖୁଣ୍ଟିଆ ଓ ରାଜାରାମ ଖୁଣ୍ଟିଆ କ୍ଷମା ପ୍ରାର୍ଥନା କରିଛନ୍ତି। ଦୁହେଁ ଲିଖିତ ଆକାରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ କ୍ଷମା ପ୍ରାର୍ଥନାପତ୍ର ଦେଇଥିବା ଜଣାପଡ଼ିଛି। ଏଥିରେ ଉଭୟ ଉଲ୍ଲେଖ କରିଛନ୍ତି କି ସ୍ନାନ ପୂର୍ଣ୍ଣିମା ଦିନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କ ସହ ସ୍ନାନମଣ୍ଡପକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ଘଟଣାରେ ସେମାନଙ୍କର କୌଣସି ମନ୍ଦ ଉଦ୍ଦେଶ୍ୟ ନ ଥିଲା। ଶ୍ରୀବିଗ୍ରହଙ୍କୁ ଏହି ସମୟରେ କେହି ସ୍ପର୍ଶ କରିନାହାନ୍ତି। ତେବେ ଏହାଦ୍ବାରା ଯଦି ବ୍ୟବସ୍ଥାବଳୀରେ କୌଣସି ବାଧା ସୃଷ୍ଟି ହୋଇଛି, ସେଥିପାଇଁ ଆମେ ଦୁଃଖ ପ୍ରକାଶ କରିବା ସହ ଭବିଷ୍ୟତରେ ଏଭଳି ତ୍ରୁଟି ନକରିବା ପାଇଁ ପ୍ରତିଶ୍ରୁତି ଦେଉଛୁ। ଘଟଣାଟି ଜାଣତରେ ହୋଇନଥିବାରୁ କ୍ଷମା ପ୍ରଦାନ କରିବାକୁ ଦୁଇ ଜଣ ନିବେଦନ କରିଛନ୍ତି।

ଅନ୍ୟପକ୍ଷରେ ଲିଖିତ ପତ୍ର ଗ୍ରହଣ କରିଥିଲେ ବି ଶ୍ରୀମନ୍ଦିର ପ୍ରଶାସନ ଏହା ଉପରେ କିଛି ନିଷ୍ପତ୍ତି ନେଇନାହିଁ। ସୂଚନାଯୋଗ୍ୟ, ଗତ ୧୭ ତାରିଖରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ସମୟରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କୁ ସ୍ନାନ ମଣ୍ଡପକୁ ପାଛୋଟି ନେବା ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ସୋମନାଥ ଖୁଣ୍ଟିଆ ଓ ରାଜାରାମ ଖୁଣ୍ଟିଆଙ୍କୁ ନିଲମ୍ବନ କରିଥିଲା। ନିଲମ୍ବନ ଆଦେଶ ନ ଉଠିବା ପର୍ଯ୍ୟନ୍ତ ଦୁଇଜଣଙ୍କୁ ମହାପ୍ରଭୁଙ୍କ ସେବାରୁ ବାଦ୍ ଦିଆଯାଇଛି।

ସମ୍ବନ୍ଧିତ ଖବର