ରତ୍ନସିଂହାସନ ପଦ୍ମପାଖୁଡ଼ାରୁ ପଥର ଅପସାରଣକୁ ନେଇ ବିବାଦ : ମଗାହେଲା ରତ୍ନ ସିଂହାସନର ପୁରୁଣା ଫଟୋ

୪୬ ବର୍ଷ ହେଲା ଏଏସ୍‌ଆଇ ନେଲାଣି ଶ୍ରୀମନ୍ଦିର ଦା‌ୟିତ୍ବ
ଶ୍ରୀମନ୍ଦିରରୁ ବାହାରୁଥିବା ପଥର ଓ ଦୁର୍ଲଭ ମୂର୍ତ୍ତିର ହିସାବ ନାହିଁ

ପୁରୀ : ମହାପ୍ରଭୁଙ୍କ ରତ୍ନ ସିଂହାସନର ପଦ୍ମ ପାଖୁଡ଼ାରୁ ପଥର ଅପସାରଣକୁ ନେଇ ବିବାଦ ମୁଣ୍ଡ ଟେକିଛି। ବିବାଦକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରୀଷନ କୁମାର ଆଜି ଏଏସ୍‌ଆଇକୁ ରତ୍ନ ସିଂହାସନର ପୁରୁଣା ଫଟୋ ମଗାଯାଇଛନ୍ତି। ଫଟୋ ଆସିବା ପରେ ବର୍ତ୍ତମାନର ସ୍ଥିତି ଓ ପୁରୁଣା ଫଟୋର ମେଳ ହେଉଛି କି ନାହିଁ ଯାଞ୍ଚ ହେବ। ଏହାପରେ ଏ ନେଇ ଆଲୋଚନା କରାଯିବ। ତେବେ, ମହାପ୍ରଭୁ ରତ୍ନ ସିଂହାସନକୁ ବିଜେ କରି ସାରିଥିବାରୁ ଗର୍ଭଗୃହକୁ ଯାଇ ଏଏସ୍‌ଆଇ ଏହାର ପ୍ରତ୍ୟକ୍ଷ ଯାଞ୍ଚ କରିପାରିବ ନାହିଁ।

ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଶ୍ରୀମନ୍ଦିର ସୁରକ୍ଷା ଓ ରକ୍ଷଣାବେକ୍ଷଣ ସମୟରେ ବ‌ାହାରିଥିବା ପଥର ଓ ମୂର୍ତ୍ତି ସବୁ କେଉଁଠି ରଖିଛି ଓ ପୁରୀର କେଉଁ ସ୍ଥାନରେ ଏଏସ୍‌ଆଇ ଏହାର ସଂଗ୍ରହାଳୟ କରିଛି ତା’ର ଖବର କାହା ପାଖରେ ନାହିଁ। ଏ ନେଇ ତଦନ୍ତର ଆବଶ୍ୟକତା ଥିବା ଶ୍ରୀମନ୍ଦିର ସେବକ ଈପସିତ୍ ପ୍ରତିହାରୀ ଦାବି କରିଛନ୍ତି। ଅତୀତରେ ଶ୍ରୀମନ୍ଦିର ଚୁନ ଛଡ଼ାବେଳେ ବାହାରିଥିବା ଶିବ, ନଟରାଜ, ଗଣେଶ, କାଳିମୂର୍ତ୍ତି, ବିଷ୍ଣୁଙ୍କ ୨୪ ରୂପ, ଗରୁଡସ୍ତମ୍ଭ ନିକଟରୁ ବାହାରିଥିବା ମୂର୍ତ୍ତି, ନୀଳଚକ୍ରରୁ ଶ୍ରୀମନ୍ଦିରର ବଜ୍ରପାତ ନିରୋଧ ପାଇଁ ଥିବା ପାଞ୍ଚ ଇଞ୍ଚର ମୂଲ୍ୟବ‌ାନ ଧାବତ ଆର୍ଥିଂ ତାର ଏବେ କେଉଁଠାରେ ରଖାଯାଇଛି, ଏଏସ୍‌ଆଇ ତ‌ା’ର ହିସ‌ାବ ମନ୍ଦିର ପ୍ରଶାସନକୁ ଦେଉ ବୋଲି ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି।

ଏଥିସହିତ ମେଘନାଦ ପାଚେରୀ ବେଢ଼ା ମଧ୍ୟରେ ଥିବା ୯୫ଟି ଛୋଡ ବଡ଼ ପ୍ରାଚୀନ ମନ୍ଦିରର ରକ୍ଷଣାବେକ୍ଷଣ କାମ ମଧ୍ୟ ଏଏସ୍‌ଆଇ ହାତରେ ରହିଛି। ଏଠାରୁ ବାହାରି ଥିବା କିଛି ମୂର୍ତ୍ତି ଆଉ ମିଳୁନାହିଁ ବୋଲି ଅଭିଯୋଗ ହୋଇଛି। ୧୯୫୪ ଶ୍ରୀମନ୍ଦିର ଆଇନ ବଳରେ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ପାଇଁ ୧୯୬୦ ଡିସେମ୍ବର ୧୭ ତାରିଖରେ ଏକ କମିଟି ଗଠନ କରାଯାଇଥିଲା। ତେବେ ୧୯୬୯ରେ ଶ୍ରୀମନ୍ଦିର ପ୍ରଶାସନ ମନ୍ଦିରର କିଛି କାମ କରିଥିଲା। ତେବେ ୧୯୭୩-୭୪ ମୁଖ୍ୟ ମନ୍ଦିର ଓ ମୁଖଶାଳା ସଂଯୋଗ ସ୍ଥଳରେ ଫାଟ ହୋଇଥିଲା। ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନର ଚିନ୍ତା ବଢ଼ିଥିଲା। ଶ୍ରୀମନ୍ଦିର ସୁରକ୍ଷା ପାଇଁ ଏଏସ୍‌ଆଇକୁ ଅନୁରୋଧ କରାଯାଇଥିଲା। ୧୯୭୩ରେ ଏଏସଆଇ ତତ୍କାଳୀନ ଡିଜି ଏମ୍‌ଏନ୍‌ ଦେଶ‌ପାଣ୍ଡେଙ୍କ ନେତୃତ୍ବରେ ଏକ ବୈଷୟିକ ଦଳ ଏହାର ଯାଞ୍ଚ କରିଥିଲେ। ପରେ ସେହି ବର୍ଷ ଶ୍ରୀମନ୍ଦିର ସଂରକ୍ଷଣ ଦାୟିତ୍ବ ଏଏସ୍‌ଆଇକୁ ଦିଆଯାଇଥିଲା। ୧୯୭୫ ଫେବ୍ରୁଆରି ୩ ତାରିଖରେ ଶ୍ରୀମନ୍ଦିରକୁ ଜାତୀୟ ଐତିହ୍ୟ ଘୋଷଣା କରାଯାଇଥିଲା।

ସେବେଠାରୁ ଏଏସଆଇ ଶ୍ରୀମନ୍ଦିର ଦ‌ାୟିତ୍ବରେ ଅଛି। ପରେ ୧୯୭୯ ଅଗଷ୍ଟ ୨୨ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ଏଏସ୍‌ଆଇ ମଧ୍ୟରେ ଏକ ଚୁକ୍ତି ହୋଇଥିଲା। ଚୁକ୍ତି ମୁତାବକ ମୁଖ୍ୟ ମନ୍ଦିର ସହିତ କୁର୍ମ ବେଢା ଓ ମେଘନାଦ ପାଚେରି ମଧ୍ୟରେ ଥିବା ୯୫ ପାର୍ଶ୍ବ ମନ୍ଦିରର ରକ୍ଷଣାବେକ୍ଷଣ ମଧ୍ୟ ଏଏସଆଇକୁ ଦିଆଯାଇଥିଲା। ୧୯୭୮ରେ ମୁଖ୍ୟ ମନ୍ଦିରରୁ ଚୁନ ଛଡାଇବାକୁ ନିଷ୍ପତ୍ତି ହୋଇଥିଲା। ମାତ୍ର ଏହାକୁ ନେଇ ବିବାଦ ଉଠିଥିଲା। ହାଇକୋର୍ଟରେ ମାମଲା ହୋଇ ଏହା ଉପରେ ରହିତାଦେଶ ହୋଇଥିଲା। ପରେ ୧୯୮୬ରେ ସୁପ୍ରିମକୋର୍ଟ ରହିତାଦେଶ ଉଠାଇ ଦେଇଥିଲେ। ନିଷ୍ପତ୍ତିର ସାତ ବର୍ଷ ପରେ ଶ୍ରୀମନ୍ଦିରରୁ ଚୁନ ଛଡ଼ା ଆରମ୍ଭ ହୋଇଥିଲା। ମାତ୍ର ଚୁନ ଛଡ଼ା ଚାଲିଥିଲା ବେଳେ ୧୯୯୦ ଜୁନ ୧୪ରେ ଏକ ୬ ଟନ ଓଜନର ଏକ ବିଶାଳ ପଥର ଅଁଳା ବେଢ଼ାରୁ ଖସିପଡିଥିଲା। ପରେ ୧୯୯୧ ଫେବ୍ରୁଆରି ୨୮ ତାରିଖରେ ଏହା ବଦଳରେ ଏକ ଖାଣ୍ଡୋଲାଇଟ ପଥର ଲାଗିଥିଲା। ସେହିଭଳି ୧୯୯୨ ଅଗଷ୍ଟ ୧୩ ତାରିଖରେ ଗର୍ଭଗୃହରୁ ଏକ ଟନ ଓଜନର ଦୁଇଟି ପଥର ଖସି ପଡ଼ିଥିଲା। ସ୍ବର୍ଗତ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ଏହା ଘଟିଥିଲା। ତାଙ୍କ ହସ୍ତକ୍ଷେପ ପରେ ୧୯୯୨ ନଭେମ୍ବର ୨୯ ତାରିଖରେ ବହୁ ବାଦବିବାଦର ଅନ୍ତ ଘଟାଇ ମହାପ୍ରଭୁଙ୍କ ବିଗ୍ରହଙ୍କୁ ଅନବସର ପିଣ୍ଡିରେ ରଖାଯାଇଥିଲା। ଏଏସଆଇ ୧୯୯୨ ଡିସେମ୍ବର ୧୪ରୁ କାମ ଆରମ୍ଭ କରି ୧୯୯୩ ମାସ ୩୧ ତାରିଖରେ ଗର୍ଭଗୃହ ହସ୍ତାନ୍ତର କରିଥିଲେ। ପରେ ଠାକୁରଙ୍କୁ ରତ୍ନ ସିଂହାସନକୁ ଅଣାଯାଇଥିଲା‌। ଅତୀତରେ ଅନେକ ବାଦ ବିବାଦ ସତ୍ତ୍ବେ ଏଏସଆଇ ଅନେକ ରକ୍ଷଣାବେକ୍ଷଣ କାମ କରିଛନ୍ତି। ମାତ୍ର ରକ୍ଷଣାବେକ୍ଷଣ ସମୟରେ ବାହାରୁଥିବା ମୂଲ୍ୟବାନ ତଥା ଦୁର୍ଲଭ ମୂର୍ତ୍ତି ପଥରର ସଂରକ୍ଷଣ କରାଯାଉ ନାହିଁ। ଏଏସଆଇ କୌଣସି ମ୍ୟୁଜିୟମ କରି ଏହାକୁ ରଖିନାହିଁ। ମନ୍ଦିରରୁ ବାହାରୁଥିବା ଦୁର୍ଲଭ ପ୍ରସ୍ତର ମୂର୍ତ୍ତି ଏବେ କେଉଁଠି ରହିଛି ତା’ର ଉନ୍ମୋଚନ ହେବାର ଆବଶ୍ୟକତା ରହିଛି ବୋଲି ଦାବି ଉଠିଛି।

ସମ୍ବନ୍ଧିତ ଖବର