ଶ୍ରୀମନ୍ଦିର ଗର୍ଭଗୃହର ସବୁ ପଥର ହେବ ପ୍ରାମାଣିକ
ମରାମତି ବେଳେ ଉପସ୍ଥିତ ରହିବେ ସେବାୟତ କମିଟି

Advertisment

ପୁରୀ : ମହାପ୍ରଭୁଙ୍କ ରତ୍ନ ସିଂହାସନ ପଛରୁ ଶାଳଗ୍ରାମ ଗାଏବ ନେଇ ‌ଉଠିଥିବା ଅଭିଯୋଗକୁ ଖଣ୍ଡନ କରିଛି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍ଆଇ)। ରତ୍ନସିଂହାସନ ପଦ୍ମପାଖୁଡ଼ାରୁ ପଥର ଗାଏବ ହେବା ଘଟଣାକୁ ନେଇ ତୁମ୍ବିତୋଫାନ ହେବା ପରେ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଓ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର ଅଧିକାରୀଙ୍କମାନଙ୍କ ସହିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା। ବୈଠକରେ ଏଏସ୍ଆଇ ଅଧିକାରୀମାନେ ଏହି ଅଭିଯୋଗକୁ ଖଣ୍ଡନ କରିବାକୁ ଯାଇ ରତ୍ନ ସିଂହାସନର ପୁରୁଣା ଫଟୋ, ବିଗତ ବର୍ଷର ଫଟୋ ଓ ଚଳିତ ବର୍ଷର ଚାରମାଳ ସମୟର ଫଟୋ ମଧ୍ୟ ଦେଖାଇଥିଲେ। ସବୁଗୁଡ଼ିକୁ ମେଳ କରାଯାଇଥିଲା। ତେବେ ଏହାର ତଦନ୍ତ ଚାଲିଛି ଏବଂ ରିପୋର୍ଟ ଆସିବା ପରେ ସବୁ ଜଣାପଡ଼ିବ ବୋଲି କହିଛନ୍ତି କ୍ରିଷନ କୁମାର।

ଆଜିର ବୈଠକରେ ଶ୍ରୀମନ୍ଦିର ଗର୍ଭଗୃହକୁ ନେଇ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯାଇଛି। ଏଣିକି ଗର୍ଭଗୃହକୁ କାହା ଭରସାରେ ଖୋଲା ଛାଡ଼ି ଦିଆଯିବ ନାହିଁ। ଗର୍ଭଗୃହରେ ଲାଗିଥିବା ପ୍ରତିଟି ପଥର ଓ ରତ୍ନସିଂହାସନର ଏକ ପ୍ରମା‌ଣିକ (ଡକ୍ୟୁମେଣ୍ଟସନ) ତଥା ଭିଡିଓଗ୍ରାଫି କରିବାକୁ ନିଷ୍ପତ୍ତି ହୋଇଛି। ତେବେ ଏହା କେଉଁ ସମୟରେ କରାଯାଇ ପାରିବ ସେ ନେଇ ସେବକଙ୍କ ସହିତ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ। ସେହିଭଳି ଏଣିକି ଗର୍ଭଗୃହ ମରାମତି ବେଳେ ଏଏସ୍ଆ‌ଇ ବୈଷୟିକ ଦଳ ଓ କର୍ମଚାରୀଙ୍କୁ ଏକୁଟିଆ ଛଡ଼ାଯିବ ନାହିଁ। ସେମାନଙ୍କ ସହିତ ସେବକଙ୍କ ଏକ ପ୍ରତିନିଧି ଦଳ ଉପସ୍ଥିତ ରହିବେ। ଏଥିପାଇଁ ଚାରି ଜଣିଆ ଏକ କମିଟି ଗଠନ କରାଯାଇ ସେମାନଙ୍କୁ ଦାୟିତ୍ବ ଦିଆଯିବ। ତେଣୁ ନିର୍ମାଣ ଓ ପଥର ପରିବର୍ତ୍ତନକୁ ନେଇ ଆଗକୁ ଆଉ କୌଣସି ସନ୍ଦେହ ରହିବ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କୁମାର କହିଛନ୍ତି।

ବୈଠକରେ ଗର୍ଭଗୃହର ପଥର ଖସିବା ଘଟଣାକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା। ଏହାକୁ ଏଏସ୍ଆ‌ଇ ଅସ୍ବୀକାର କରିଛି। ସେ ସମୟରେ ଅଣସର ଚାଲିଥିବାରୁ ଉପସ୍ଥିତ ଦଇତା ସେବକମାନେ ମଧ୍ୟ ଏହାକୁ ଅସ୍ବୀକାର କରିଛନ୍ତି।

ଇତିମଧ୍ୟରେ ରତ୍ନସିଂହାସନ ପଥର ଗାଏବକୁ ନେଇ ଅଭିଯୋଗ କରିଥିବ‌ା ଅଭିଯୋଗକାରୀ ଈପସିତ ପ୍ରତିହାରୀ ଏଏସ୍ଆ‌ଇର ଏହି କଥାକୁ ବିଶ୍ବାସକୁ ନେଇ ନାହାନ୍ତି। ଏହାକୁ ଚପାଇ ଦେବାକୁ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି । ଦରକାର ପଡ଼ିଲେ ସେ ଏହାକୁ ନେଇ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି।