ଶ୍ରୀମନ୍ଦିରରେ ଚପଲ ପିନ୍ଧି ପଶିଲେ ଭକ୍ତ

ପୁରୀ :‌ ଆଜି ଜଣେ ଭକ୍ତ ଶ୍ରୀମନ୍ଦିରରେ ଚପଲ ପିନ୍ଧି ପଶିବା ଚର୍ଚ୍ଚାର ବିଷୟ ହୋଇଛି। ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ଥିବା ଦୁର୍ବଳ ବ୍ୟବସ୍ଥାକୁ ଏହା ପ୍ରମାଣିତ କରୁଥିବା ବେଳେ ଆଗକୁ ଏ ଦିଗ ପ୍ରତି ସତର୍କ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି। ମିଳିଥିବା ସୂଚନା ମୁତାବକ, ଆଜି ସକାଳ ପ୍ରାୟ ସାଢ଼େ ୮ଟାରେ ଜନୈକ ଭକ୍ତ ଚପଲ ପିନ୍ଧି ଶ୍ରୀମନ୍ଦିରରେ ପଶି ଯାଇଥିଲେ। ସୁରକ୍ଷା ଦାୟିତ୍ବରେ ମାଳ ମାଳ ପୁଲିସ ସିଂହଦ୍ବାରରେ ଜଗି ରହିଥିଲେ ବି କାହାରି ନଜରରେ ଏହା ପଡ଼ିନଥିଲା। ଭକ୍ତ ଜଣକ ଶ୍ରୀମନ୍ଦିର ଭିତର ବେଢ଼ା ବୁଲିବା ପରେ ମହାଲକ୍ଷ୍ମୀଙ୍କ ମନ୍ଦିରକୁ ଦର୍ଶନ ପାଇଁ ଯାଉଥିଲେ। ଏହି ସମୟରେ ଅନ୍ୟ ଜଣେ ଭକ୍ତଙ୍କ ନଜରରେ ଏହା ପଡ଼ିଥିଲା। ପରେ ହୋହଲ୍ଲା ହେବାରୁ ସେବାୟତ ଓ ଅନ୍ୟମାନେ ସଂପୃକ୍ତ ଭକ୍ତଙ୍କୁ ଘେରି ଯାଇଥିଲେ। ଶେଷରେ ଭକ୍ତଜଣଙ୍କୁ ଶ୍ରୀମନ୍ଦିର ବାହାରକୁ ତଡ଼ାଯାଇଥିଲା। ପାଦରେ ନପିନ୍ଧି ହାତରେ ଚପଲ ଧରି ବାହାରକୁ ଯିବାକୁ କୁହାଯାଇଥିଲା। ଶ୍ରୀମନ୍ଦିର ବାହାରକୁ ଭକ୍ତ ଜଣକ ଆସିବା ପରେ କିଛି ସମୟ ଅଟକ ରଖି ଛାଡ଼ି ଦିଆଯାଇଥିଲା।

ସମ୍ବନ୍ଧିତ ଖବର