ଫେରିଲାନି ଶ୍ରୀମନ୍ଦିର ଶିରୀ : ସିଂହଦ୍ବାରରେ ଲାଗିନି ଜୟ ବିଜୟ ମୂର୍ତ୍ତି, ଲଳିତଗିରିରେ ଚାଲିଛି ନିର୍ମାଣ, ମାସେ ଲାଗିବ

ପୁରୀ, (ଗଦାଧର ପଣ୍ଡା): ପ୍ରଳୟଙ୍କରୀ ବାତ୍ୟା ‘ଫନି’କୁ ମାସେ ପୂରିଛି। ବାତ୍ୟା ମୁକାବିଲା ପାଇଁ ସରକାରଙ୍କୁ ଜାତିସଂଘ ଓ ଜାତୀୟ ନେତାଙ୍କଠୁ ଢେର ପ୍ରଶଂସା ମିଳିଛି। କ୍ଷୟକ୍ଷତି ଆକଳନ ପରେ ବିପନ୍ନଙ୍କ ପାଖରେ ତୁହାକୁତୁହା ରିଲିଫ୍ ପହଞ୍ଚିଲା। ଦିନ କେଇଟା ପରେ ସ୍ଥିତି ସଂପୂର୍ଣ୍ଣ ନ ହେଲେ ବି ଆଂଶିକ ସ୍ବାଭାବିକ ହେଲା। ମାତ୍ର ଶ୍ରୀକ୍ଷେତ୍ରରେ ମୁଖ୍ୟ ଆକର୍ଷଣ ଯାହାଙ୍କ ପାଇଁ ତାଙ୍କ ମନ୍ଦିରର ଶ୍ରୀ କିନ୍ତୁ ଫେରିଲା ନାହିଁ। ବାତ୍ୟାରେ ଶ୍ରୀହୀନ ‌ହୋଇଥିବା ଶ୍ରୀମନ୍ଦିରର ଶୀରି ଫେରାଇ ଆଣିବାରେ ସରକାର, ପ୍ରଶାସନ ଓ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଏକପ୍ରକାର ବିଫଳ ହୋଇଛନ୍ତି।

ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ନିରନ୍ତର ବ୍ୟବଧାନରେ ସମୀକ୍ଷା କରି ଶ୍ରୀମନ୍ଦିର ମରାମତିକୁ ଗୁରତ୍ବ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ମାସକ ପରେ ମଧ୍ୟ ମରାମତି କାମ ସରିଲା ନାହିଁ। ଫନି ପ୍ରଭାବରେ ଶ୍ରୀମନ୍ଦିର ସିଂହଦ୍ବାରରେ ଭାଙ୍ଗିପଡିଥିବା ଜୟ ବିଜୟ ମୂର୍ତ୍ତି ଏଯାଏ ଲାଗିନପାରିବା ଏହାକୁ ପ୍ରମାଣିତ କରୁଛି। ଅବଶ୍ୟ ମୂର୍ତ୍ତି ନିର୍ମାଣ ପ୍ରକ୍ରିୟା ଲଳିତଗିରିର ଶୁଖିଆପଡାରେ ଚାଲିଛି। ଜଣେ ପ୍ରଖ୍ୟାତ ଶିଳ୍ପୀ ଖଣ୍ଡେଲାଇଟ୍‌ ପଥରରେ ମୂର୍ତ୍ତି ନିର୍ମାଣ କରୁଛନ୍ତି। ନୂଆ ମୂର୍ତ୍ତି ସ୍ନାନପୂର୍ଣ୍ଣିମା ପୂର୍ବରୁ ଲଗାଇବା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଅଣ୍ଟା ଭିଡ଼ଥିଲେ ମଧ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ଏହା ସମ୍ଭବ ହେବ କି ନାହିଁ ତାକୁ ନେଇ ଆଶଙ୍କା ରହିଛି। ମହାପ୍ରଭୁଙ୍କ ରଥଯାତ୍ରା ମୁଣ୍ଡ ଉପରେ ଥିବାରୁ ଫନି ପରେ ଶ୍ରୀମନ୍ଦିର ମରାମତି କାର୍ଯ୍ୟକୁ ଯେଉଁଭଳି ଢଙ୍ଗରେ ତ୍ବରାନିତ୍ବ କରାଯିବା କଥା ତାହା କରାଯାଇନାହିଁ।

ଫନିରେ ଭାଙ୍ଗିଯାଇଥିବା କଳ୍ପବଟ, ବାଞ୍ଛାବଟ ଇତିମଧ୍ୟରେ ନବପଲ୍ଲବିତ ହେଲାଣି। ଧ୍ବଂସଲୀଳା ପରେ ପ୍ରକୃତି କିଛି ଫେରାଇବାକୁ ଉଦ୍ୟମ କରିଥିବା ବେଳେ ସରକାର, ପ୍ରଶାସନ କିନ୍ତୁ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ ଫେରାଇ ଆଣି ପାରିନାହାନ୍ତି। ଫନିରେ କ୍ଷତି ହୋଇଥିବା ଭୋଗମଣ୍ଡପ କଳସ ମରାମତି ଆରମ୍ଭ ‌ହୋଇଛି। ଭାରାବନ୍ଧ‌ା ହୋଇଥିବା ବେଳେ ପିତଳର ମେଣ୍ଡି କାମ ସରିଛି। ହେଲେ ଏଥି ପାଇଁ ଆହୁରି ୪/୫ ଦିନ ଲାଗିବ। ଗଳି ପଡିଥିବା ସିଂହକୁ ସେହି ନିର୍ଦିଷ୍ଟ ସ୍ଥାନରେ ଲଗା ଯାଇଥିବା ବେଳେ ନଷ୍ଟ ‌ହୋଇଥିବା ବରାହ ମନ୍ଦିର ଓ ପାଦପଦ୍ମ ମନ୍ଦିରର ମରାମତି କାମ କାମଚଳା ଢଙ୍ଗ‌ରେ କରାଯାଇଛି। ବାତ୍ୟା ପ୍ରଭାବରେ ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରେ ଥିବା ଶ୍ରୀମନ୍ଦିର ପ୍ରତିକୃତି (ମଡ଼େଲ) ଚହଲି ଯାଇଥିଲା। ପୁନଃ ସଂସ୍ଥାପନ ନାଁରେ ଏହାକୁ କେବଳ ପ୍ଲାଷ୍ଟର କରାଯାଇଛି। ସାକ୍ଷୀଗୋପାଳ, କାଞ୍ଚି ଗଣେଶ ଚାଳି ମରାମତି କରାଯାଇଛି। ରତ୍ନଭଣ୍ଡାର ପଛ, ଅମୁହାଁ ଘର ଛ‌ାଡିଥିବା ମରାମତି କାମ ସରିଛି। ହେଲେ ଆନନ୍ଦବଜାରର ଓ ବିଭିନ୍ନ ନିଯୋଗର ହୋଇଥିବା କ୍ଷୟକ୍ଷତି ଭରଣା ହୋଇନାହିଁ। ନୂଆ କରି ନିର୍ମାଣ ସରିଥିବା ଜଗମୋହନର ସ୍ଥିତି ମଧ୍ୟ ଏ ଯାଏ ଯାଞ୍ଚ ହୋଇନାହିଁ। ସବୁଠୁ ବଡ଼ କଥା ହେଲା, ଦୁଇ ଦିନରେ ସରିବାକୁ ଥିବା କାମ ମାସକ ପରେ ମଧ୍ୟ ସରିନାହିଁ। ମହାପ୍ରଭୁଙ୍କ ଶ୍ରୀମନ୍ଦିରର ଅବସ୍ଥା ଯଦି ମାସକ ପରେ ସୁଧୁରିନି ତେବେ ସାଧାରଣ ଜନତାଙ୍କ ଦୁଃଖ ଯନ୍ତ୍ରଣା କେତେ ପ୍ରଶମିତ ହୋଇଥିବ ତାହା ଏଥିରୁ ସ୍ପଷ୍ଟ ଅନୁମେୟ।

ସମ୍ବନ୍ଧିତ ଖବର