ଚେତିଲା ପ୍ରଶାସନ, ମରିଚିକୋଟ ଯାଏ ଅସ୍ଥାୟୀ ସାମିଆନା
ଚାରିଦ୍ବାର ଖୋଲାଯିବାକୁ ନେଇ ପୁଣି ଚର୍ଚ୍ଚା

Advertisment

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସି ଦୋଳପୂର୍ଣ୍ଣମୀରେ ଦଳାଚକଟା ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ଭକ୍ତ। ଗତକାଲି ନୀତି ବିଳମ୍ବ ଯୋଗୁଁ ‌ଭକ୍ତମାନେ ଦୀର୍ଘ ସମୟ ଧାଡ଼ିରେ ରହିବା ପରେ ବ୍ୟାରିକେଡ୍‌ ଠେଲି ଧସେଇ ପଶିଯାଇଥିଲେ ଶହଶହ ଭକ୍ତ। ଭକ୍ତ, ସେବାୟତ ଓ ପୁଲିସ ମଧ୍ୟରେ ଠେଲାପେଲା ଯୋଗୁଁ ୩ ଜଣ ଭକ୍ତ ତଳେ ପଡ଼ି ଯାଇଥିଲେ। ତାଙ୍କୁ କିଛି ସେବାୟତ ଉଠାଇ ଦେବାରୁ ଏକ ବଡ଼ଧରଣର ଦଳାଚକଟା ସ୍ଥିତିରୁ ଭକ୍ତମାନେ ବର୍ତ୍ତିଥିଲେ। କିନ୍ତୁ ଏହାକୁ ନେଇ ତୀବ୍ର ଆଲୋଡ଼ନ ସୃ‌ଷ୍ଟି ହୋଇଛି।

ଗତକାଲି ଦୋଳପୂର୍ଣ୍ଣମୀରେ ମହାପ୍ରଭୁ ସୁନାବେଶ ତଥା ରାଜାଧିରାଜ ବେଶରେ ସଜେଇ ହୋଇଥିବା ବେଳେ ଦର୍ଶନ ପାଇଁ ହଜାର ହଜାର ଭକ୍ତ ଧାଡ଼ିବାନ୍ଧି ଅପେକ୍ଷା କରି ରହିଥିଲେ। ଦୁଇବର୍ଷ ହେଲା କୋଭିଡ୍‌ କଟକଣା ଯୋଗୁଁ ଭକ୍ତମାନେ ଏହି ଦୁର୍ଲଭ ବେଶ ଦର୍ଶନରୁ ବଞ୍ଚିତ ‌ରହିଥିଲେ। ତେଣୁ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା। ରାତି ୩ଟାରୁ ଦ୍ବାରଫିଟା ହୋଇଥିଲା। କିନ୍ତୁ ସୁନା‌ବେଶ ଦର୍ଶନକୁ ଦୃଷ୍ଟିରେ ରଖି ପ୍ରଶାସନ କୌଣସି ସ୍ବତନ୍ତ୍ର ବ୍ୟବସ୍ଥା କରି ନ ଥିଲା। ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟା ‌ବେଳେ ଭକ୍ତଙ୍କୁ ଶ୍ରୀମନ୍ଦିର ମଧ୍ୟକୁ ଯିବାକୁ ଅନୁମତି ମିଳିବାରୁ ଧାଡ଼ିରେ ଛିଡ଼ା ହୋଇଥିବା ଭକ୍ତ ମନ୍ଦିର ଅଭିମୁଖେ ଆଗେଇଥିଲେ। ତେଣୁ ସିଂହଦ୍ବାର ସମ୍ମୁଖରେ ଛିଡ଼ା ହୋଇଥିବା କିଛି ଭକ୍ତ ଲୁହା ବ୍ୟାରିକେଡ୍‌ ଠେଲି ଦେଇ ଧସେଇ ପଶିଯିବାରୁ ସାମ୍ନାରେ ଛିଡ଼ା ହୋଇଥିବା ସବୁ ଭକ୍ତ ଏହାର ଫାଇଦା ନେବାକୁ ଧସେଇ ପଶିଥିଲେ। ତେଣୁ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା।

ଏହି ଅଘଟଣ ପରେ ସିଂହଦ୍ବାର ସମ୍ମୁଖରେ ରଖାଯାଇଥିବା ଲୁହା ବାଡ଼ର କିଛି ଅଂଶ ଦୁଇଥାକିଆ କରି ବ୍ୟାରିକେଡ୍‌କୁ ବନ୍ଧା ଯାଇଛି। ଦଳାଚକଟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଦର୍ଶନ ବ୍ୟବସ୍ଥାରେ କିଛିଟା ସୁଧାର ଅଣାଯାଇଛି। ଆଜି ବ୍ୟାରିକେଡ୍‌କୁ ମରିଚିକୋଟ ଛକ ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇଛି। ଅସ୍ଥାୟୀ ସାମିଆନା ତଥା ଛାମୁଡିଆର ବ୍ୟବସ୍ଥା କରାଯାଇଛି। ତେଣୁ ମନ୍ଦିରରେ ନୀତିକାନ୍ତି ଚାଲୁଥିବା ବେଳେ ଦର୍ଶନ ବ୍ୟବସ୍ଥା ବନ୍ଦ ରହିବା ଯୋଗୁଁ ଖରାରେ ଧାଡ଼ିବାନ୍ଧି ଛିଡ଼ା ହେଉଥିବା ଭକ୍ତମାନେ ତ୍ରାହି ପାଇବେ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି।

ଅନ୍ୟପକ୍ଷରେ, ଭକ୍ତଙ୍କ ଅବାଧ ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାରେ ପ୍ରଶାସନ ବିଫଳ ହୋଇଥିବାରୁ ପୁରୀ ବିକାଶ ପରିଷଦ ପକ୍ଷରୁ ଜାତୀୟ ମାନବାଧିକାର ଆୟୋଗଙ୍କ ନିକଟରେ ମାମଲା ରୁଜୁ କରାଯାଇଛି। ପୁରୀ ବିକାଶ ପରିଷଦର ସଭାପତି ଜଗନ୍ନାଥ ବସ୍ତିଆ କହିଛନ୍ତି, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସମନ୍ବୟ ଅଭାବରୁ ଭକ୍ତମାନେ ଲମ୍ବା ଧାଡ଼ିରେ ଡହଡହ ଖରାରେ ଛିଡ଼ା ହୋଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଦର୍ଶନ ପାଇଁ ଅପେକ୍ଷା କରି ରହୁଛନ୍ତି। ଖୋଲା ବ୍ୟାରିକେଡ୍‌ରେ ଅସହ୍ୟ ଖରାରେ ୨ରୁ ୩ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରି ରହୁଥିବାରୁ ଲୋକେ କଲବଲ ହେଉଥିଲେ ହେଁ ପ୍ରଶାସନ ଚେତୁନାହିଁ।