ସୀମା ଟପିଲା ବିଭ୍ରାଟ

ଶ୍ରୀମନ୍ଦିର ପ୍ରଶାସନ ସବୁ ଜାଣିଥିଲା
ପୁରୀ : ମହାପ୍ରଭୁଙ୍କ ନୀତିକାନ୍ତି ପାଇଁ ଗର୍ଭଗୃହକୁ ଯେଉଁ ସେବାୟତମାନେ ଯାଆନ୍ତି, ସେମାନଙ୍କ ସହ କିଛି ସହଯୋଗୀ ବି ଯାଆନ୍ତି। ଏଥିପାଇଁ ସେବକମାନେ ନିଜ ନିଜ ପରିବାରର ଲୋକଙ୍କୁ ସାଙ୍ଗରେ ନେଇ ଯାଆନ୍ତି। ଯଦ୍ଵାରା ନୀତିକାନ୍ତି ଠିକ୍‌ ସମୟରେ ହେବା ସହ ପରପିଢ଼ି ବି ସେବା ସଂପର୍କରେ ଜାଣିପାରିବେ। ଏହି ଲକ୍ଷ୍ୟରେ ସେବାୟତମାନେ ସେମାନଙ୍କ ପରିବାରର କାହାରିଙ୍କୁ ସାଙ୍ଗରେ ନେଇ ସଦାସର୍ବଦା ଯାଆନ୍ତି। ଏହା ଶ୍ରୀମନ୍ଦିର ପ୍ରଶାସନ ଆଗରୁ ଜାଣିଥିଲା। ସେହି ଅନୁସାରେ ନୀତିକାନ୍ତି କାମ ବି ଚାଲିଥିଲା। ଭକ୍ତ ଓ କିଛି ସେବାୟତଙ୍କ କହିବା ମୁତାବକ, ହାଇକୋର୍ଟଙ୍କୁ କିନ୍ତୁ ଏ ସଂପର୍କରେ ସଂପୂର୍ଣ୍ଣ ଅନ୍ଧାରରେ ରଖାଯାଇଥିଲା। ଯେଉଁଥିପାଇଁ ନିକଟରେ ମାନ୍ୟବର ହାଇକୋର୍ଟ ଗର୍ଭଗୃହ ପ୍ରବେଶ ଉପରେ କଟକଣା ଜାରି କରିଥିଲେ। କେବଳ ପାଳିଆ ସେବକ ବିନା ଅନ୍ୟ କେହି ଗର୍ଭଗୃହକୁ ଯାଇପାରିବେନି ବୋଲି ହାଇକୋର୍ଟ ନିର୍ଦେଶ ଦେଲେ। ଏହା ପରେ ବି ହାଇକୋର୍ଟଙ୍କୁ କୌଣସି ପ୍ରକାରେ ଶ୍ରୀମନ୍ଦିର ପ୍ରଶାସନ ଅବଗତ କଲାନି। ଛତିଶାନିଯୋଗ ବୈଠକରେ କେବଳ ଅସନ୍ତୁଷ୍ଟ ସେବାୟତଙ୍କୁ କୋର୍ଟରେ ପକ୍ଷ ରଖିବାକୁ କହି ନିଜ ଉପରୁ ଦୋଷ ଖସାଇ ଦେଇଥିଲା। ଯେଉଁଥିପାଇଁ ଆଜି ବିଭ୍ରାଟ ଦେଖାଦେଇଛି। ଏକାକି ସେବା ସମ୍ଭବ ନଥିବାରୁ ପାଳିଆ ସେବକମାନେ ଆଜି ନୀତିରେ ବିଳମ୍ବ କରିଥିବା ଜଣାପଡ଼ିଛି।

ନୀତି ବିଳମ୍ବ ପ୍ରସଙ୍ଗରେ ଜିଲ୍ଲାପାଳଙ୍କ ତେର୍‌ଛା ବାଣ : ‘ଜଗନ୍ନାଥ ସଦ୍‌ବୁଦ୍ଧି ଦିଅନ୍ତୁ’
ପୁରୀ : ଆଜିର ଶ୍ରୀମନ୍ଦିର ନୀତି ବିଭ୍ରାଟ ପ୍ରସଙ୍ଗରେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ସେବାୟତଙ୍କୁ ଆକ୍ଷେପ କରି ତେରଛା ବାଣ ମାରିଛନ୍ତି। ସେ ତାଙ୍କ ପ୍ରତିକ୍ରିୟାରେ ନିଜ ସ୍ୱାର୍ଥକୁ ସର୍ବଦା ଗୁରୁତ୍ଵ ନ ଦେଇ ମହାପ୍ରଭୁଙ୍କ କାମକୁ ଗୁରୁତ୍ଵ ଦେବାକୁ ପରାମର୍ଶ ଦେଇଛନ୍ତି। ଜିଲ୍ଲାପାଳ ଏ କଥା ଆଜିର ନୀତି ବିଭ୍ରାଟ ସହିତ ସଂପୃକ୍ତ ସେବକଙ୍କୁ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରି ଏଭଳି କହିଥିବା ଚର୍ଚ୍ଚା ହେଉଛି। ଏପରିକି ଜଗନ୍ନାଥ ସମସ୍ତଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ ବୋଲି କ୍ଷୋଭର ସହ କହିଥିଲେ। ତେବେ ଜିଲ୍ଲାପାଳ କେଉଁ ପ୍ରସଙ୍ଗରେ କାହାକୁ ସଦ୍‌ବୁଦ୍ଧି ଦେବାକୁ କହିଥିଲେ ତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋରଧରିଛି।

ଆଜି ନୀତି ବିଭ୍ରାଟ ଘଟଣାରେ ଜିଲ୍ଲାପାଳ ପ୍ରାୟ ୬ ଘଣ୍ଟାକାଳ ମନ୍ଦିର ଭିତରେ ରହି ନୀତିକୁ ଶୃଙ୍ଖଳିତ କରିବାକୁ ଆଲୋଚନା କରିଥିଲେ। ତେବେ ଜିଲ୍ଲାପାଳ ଆଜିର ନୀତି ବିଳମ୍ବକୁ ନେଇ ଅସନ୍ତୁଷ୍ଟ ଥିବା ଜଣାପଡିଛି। ଜିଲ୍ଲାପାଳ ଏ ପ୍ରସଙ୍ଗରେ ସେବାରେ ବିଭ୍ରାଟ କରିବାକୁ ଉସୁକାଇ ଥିବା କିଛି ସେବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ମଧ୍ୟ ଆଲୋଚନା ହେଉଛି। ଦୁଇବର୍ଷ ପରେ ଜଗମୋହନ ଖୋଲୁଥିବାରୁ ଏଭଳି ସମସ୍ୟା ଉପୁଜିଥିଲା। ଆଗକୁ ଏଭଳି ସମସ୍ୟା ରହିବ ନାହିଁ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଆଜି ଘଟଣାର ସମସ୍ତ ବିବରଣୀ ମାନ୍ୟବର ହାଇକୋର୍ଟଙ୍କୁ ଅବଗତ କରାଯିବ ବୋଲି କହିଥିଲେ।

ମିଳିଲାନି ବରାଦି ଅଭଡ଼ା
ପୁରୀ : କାହାର ଦଶାହ ତ କାହାର ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ଆଜି ବରାଦି ଅଭଡ଼ା ଥିଲା। କିନ୍ତୁ ସବୁ କିଛି ବେକାର ଯାଇଛି। ରୋଷଘରୁ ଆସି ଅଭଡ଼ା ନବାହାରି ପାରିବାରୁ ସୁଆର-ମହାସୁଆର ନିଯୋଗ ସେବାୟତମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସୁଆର-ମହାସୁଆର ନିଯୋଗ ସେବାୟତଙ୍କ ଅଭିଯୋଗ, ଆଜିର ବରାଦ ଅନୁଯାୟୀ ଶ୍ରୀମନ୍ଦିର ରୋଷଘରେ ମହାପ୍ରସାଦ ରୋଷେଇ ହୋଇଥିଲା। ମହାପ୍ରଭୁଙ୍କ ଲାଗି ହେବା ପରେ ଏହା ବରାଦିଆଙ୍କୁ ଦିଆଯାଇଥାନ୍ତା। କିନ୍ତୁ ଆଜି ମଙ୍ଗଳା ଆଳତୀଠାରୁ ନୀତିକୁ ନେଇ ମହାବିଭ୍ରାଟ ପରେ ଭୋଗମଣ୍ଡପକୁ ଭୋଗ ଯାଇପାରିନି। ଫଳରେ ଆଜି ମହାପ୍ରସାଦ ରୋଷଘରେ ପଡ଼ିରହିଛି। ଗାଁ ଗହଳିରୁ ଅଭଡ଼ା ବରାଦ ଦେଇଥିବା ବ୍ୟକ୍ତିମାନେ ନିରାଶ ହୋଇ ଫେରିଛନ୍ତି। ଅନ୍ୟପକ୍ଷରେ ବାସୀ, ଆମ୍ବିଳା ଅଭଡ଼ା ଖାଇ ଭକ୍ତମାନେ ଶ୍ରୀମନ୍ଦିରରୁ ଫେରିଛନ୍ତି। ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ସେବାୟତଙ୍କ ଅଧିକାର ଛଡ଼ାଯାଇନି: ହାଇକୋର୍ଟ ପ୍ରତିନିଧି
ପୁରୀ : ଗର୍ଭଗୃହକୁ ପାଳିଆ ସେବକଙ୍କ ପ୍ରବେଶକୁ ନେଇ ବିବାଦ ମୁଣ୍ଡ ଟେକିବା ଓ ନୀତିକାନ୍ତି ବିଳମ୍ବ ହେବା ପରେ ଶ୍ରୀମନ୍ଦିର ପ୍ରଶାସନ ସେବାୟତଙ୍କୁ ବୁଝାସୁଝା କରିଥିଲା। ୩ ଘଣ୍ଟାରୁ ଅଧିକ ସମୟ ଧରି ବୁଝାସୁଝା ପରେ ବି ସମାଧାନର ବାଟ ନବାହାରିବାରୁ ଶେଷରେ ହାଇକୋର୍ଟଙ୍କ ପ୍ରତିନିଧିଙ୍କ ଖୋଜା ପଡ଼ିଥିଲା। ଅପରାହ୍‌ଣ ପ୍ରାୟ ୪ଟାରେ ହାଇକୋର୍ଟଙ୍କ ଏକ ପ୍ରତିନିଧି ଦଳ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ। ଅଶୋକ ମହାପାତ୍ରଙ୍କ ନେତୃତ୍ଵରେ ଏକାଧିକ ସଦସ୍ୟଙ୍କ ଏହି ଦଳ ଶ୍ରୀମନ୍ଦିରରେ ସେବାୟତଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଶ୍ରୀମନ୍ଦିରରୁ ବାହାରିବା ପରେ ଶ୍ରୀ ମହାପାତ୍ର କହିଛନ୍ତି, ଜଗମୋହନରେ ଫାଟ ଥିବା ଜଣାପଡ଼ିବା ପରେ ଜନୈକ ଭକ୍ତ ଏ ନେଇ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ। ଏହାକୁ ଆଧାର କରି ହାଇକୋର୍ଟ ଜଗମୋହନ ମରାମତି ପାଇଁ ନିର୍ଦେଶ ଦେଇଥିଲେ। ହାଇକୋର୍ଟଙ୍କୁ ନିର୍ଦେଶ ମୁତାବକ ଜଗମୋହନ ମରାମତି କାମ ବି ଶେଷ ହେଲା। ସେହି ଅନୁଯାୟୀ ଆଜି ହାଇକୋର୍ଟଙ୍କ ନିର୍ଦେଶ ମୁତାବକ ଜଗମୋହନ ଖୋଲିଛି। ହାଇକୋର୍ଟ କୌଣସି ପରିସ୍ଥିତିରେ ବି ସେବାୟତଙ୍କ ଅଧିକାର କ୍ଷୂର୍ଣ୍ଣ ହେଲା ଭଳି ନିଷ୍ପତ୍ତି ନେଇନାହାନ୍ତି। ଏଣୁ ଅଯଥା ହାଇକୋର୍ଟଙ୍କ ଖଣ୍ଡପୀଠକୁ ବଦନାମ କରାନଯାଉ ବୋଲି ଶ୍ରୀ ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି।

ଆଜି ବି କଷ୍ଟ ପାଇବେ ମହାପ୍ରଭୁ!
ପୁରୀ : ଶ୍ରୀମନ୍ଦିରରେ ଆଜି ହୋଇଥିବା ନୀତି ବିଭ୍ରାଟର ପରିଣାମ ଆସନ୍ତାକାଲି ମଧ୍ୟ ମହାପ୍ରଭୁଙ୍କୁ ଭୋଗିବାକୁ ପଡ଼ିପାରେ। ଆଜିର ବିଭ୍ରାଟ ଯୋଗଁ ରୋଷଘରୁ ଅଭଡ଼ା ବାହାରି ପାରି ନାହିଁ। ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ରୋଷେଇ ହୋଇଥିବା ଅଭଡ଼ା ରୋଷ ଘରେ ସେମିତି ସାଇତା ହୋଇରହିଛି। ଆସନ୍ତାକାଲି ଏହି ଅଭଡ଼ା ପୋତାଯିବ। ତା’ ପରେ ଯାଇ ଯାହା ନୀତିକାନ୍ତି ହେବ। କିନ୍ତୁ ଏତେ ମାତ୍ରାରେ ଅଭଡ଼ା ପୋତିବା ପାଇଁ ପ୍ରାୟ ୪/୫ ଘଣ୍ଟାରୁ ଊର୍ଧ୍ୱ ସମୟ ଲାଗିବ। ତେଣୁ ଆସନ୍ତାକାଲି ମଧ୍ୟ ମହାପ୍ରଭୁଙ୍କ ନୀତି ବିଭ୍ରାଟରେ ଯେ ସୁଧାର ଆସିବ, ସେ ସମ୍ଭାବନା ମଧ୍ୟ କ୍ଷୀଣ ବୋଲି କୁହାଯାଉଛି। କେତେବେଳେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ, ଅବକାଶ ନୀତି, ଗୋପାଳ ବଲ୍ଲଭ ନୀତି ସଂପନ୍ନ ହେବ, ସେ ନେଇ ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ସୂଚନା ଦିଆଯାଇନାହିଁ। ଅପରପକ୍ଷେ ଆସନ୍ତାକାଲି ପ୍ରଶାସନ ସେବାୟତମାନଙ୍କୁ ଡାକି ଏ ସଂପର୍କରେ ଆଲୋଚନା କରିବେ। କିନ୍ତୁ ଆଲୋଚନା ଯେ ଫଳପ୍ରଦ ହେବ, ତାହା ମଧ୍ୟ ପ୍ରଶ୍ନବାଚୀ।

ପ୍ରଶାସନର ଭୁଲ୍‌ ପାଇଁ ନୀତି ବିଶୃଙ୍ଖଳା: ଶ୍ରୀଜଗନ୍ନାଥ ସେନା
ପୁରୀ : ବିଛା ମନ୍ତ୍ର ନଜାଣି ଶ୍ରୀମନ୍ଦିର ପ୍ରଶାସନ ସାପ ଗାତରେ ହାତ ପୁରାଇ ଦେଇଛି। ନୀତିକାନ୍ତି ବିଷୟରେ ସଂପୂର୍ଣ୍ଣ ନଜାଣି ହାଇକୋର୍ଟଙ୍କୁ ବିଭ୍ରାନ୍ତିକର କରିଛି। ଏପରି ଅଭିଯୋଗ ଆଣିଛି ଶ୍ରୀଜଗନ୍ନାଥ ସେନା। ଶ୍ରୀଜଗନ୍ନାଥ ସେନାର ଅଭିଯୋଗ, ଆଜି ପ୍ରଶାସନ ପକ୍ଷରୁ ହୁଇପ୍‌ ଜାରି ହୋଇଥିଲା କି ପାଳିଆ ସେବକଙ୍କ ବିନା ଅନ୍ୟ କେହି ଗର୍ଭଗୃହକୁ ଯାଇପାରିବେନି। କେବଳ ସେତିକି ନୁହେଁ, ସେବା ଦାୟିତ୍ଵରେ ଥିବା ଜଣେ ସେବାୟତଙ୍କ ଶରୀରୁ ଅସୁସ୍ଥ ହୋଇପଡ଼ିଥିଲେ ବି ତାଙ୍କ ବଦଳରେ ଅନ୍ୟ କାହାରିକୁ ଗର୍ଭଗୃହକୁ ଛଡ଼ାଗଲାନି। ଯେଉଁଥିପାଇଁ ଆଜି ନୀତିକାନ୍ତିରେ ବିଳମ୍ବ ହୋଇଛି। ଜଗମୋହନ ଖୋଲାକୁ ସଂଗଠନ ସ୍ୱାଗତ କରିବା ସହ ଗର୍ଭଗୃହ ଦର୍ଶନର ପୁନଃବିଚାର କରିବାକୁ ପ୍ରାର୍ଥନା କରିଛନ୍ତି।

ସମ୍ବନ୍ଧିତ ଖବର