ଶ୍ରୀମନ୍ଦିରରେ ସେବକ ସଂଖ୍ୟା କମାଇବା ପ୍ରସଙ୍ଗରେ ପରିଚାଳନା କମିଟିର କ୍ଷୋଭ, ସମୂହ ଇସ୍ତଫା ଦେବାକୁ ଚେତାବନୀ

ସତ୍ୟପାଠ ନେଇ ପରିଚାଳନା କମିଟି ଅନ୍ଧାରରେ, ସେବାୟତ ସମାଜକୁ ନିନ୍ଦିତ କରିଛି ଶ୍ରୀମନ୍ଦିର ପ୍ରଶାସନ

ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସମସ୍ତ ସେବା ପୂଜା ସଂପାଦନ ପାଇଁ ମାତ୍ର ୩୬ ଜଣ ସେବକ ଆବଶ୍ୟକ। ସୁପ୍ରିମକୋର୍ଟଙ୍କ ପାଖରେ ଏପରି କିଛି ସତ୍ୟପାଠ ଦାଖଲ କରିଛି ଶ୍ରୀମନ୍ଦିର ପ୍ରଶାସନ। ପରିଚାଳନା କମିଟି ସହମତି କ୍ରମେ ଏହି ସତ୍ୟପାଠ ଦାଖଲ କରାଯାଇଥିବା ଶ୍ରୀମନ୍ଦିର ପ୍ରଶାସନ ଦର୍ଶାଇଥିବା ବେଳେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଶ୍ରୀମନ୍ଦିର ପରିଚାଳନା କମିଟି। ଏଭଳି ଏକ ସ୍ପର୍ଶକା‌ତର ପ୍ରସଙ୍ଗରେ ପରିଚାଳନା କମିଟିକୁ ନଜଣାଇ ଏବଂ ବିନା ସହମତିରେ ଏପରି ସତ୍ୟପାଠ ଦାଖଲ କରାଯାଇଥିବାରୁ ସମୂହ ଇସ୍ତଫା ଦେବାକୁ ଚେତାବନୀ ଦେଇଛି ପରିଚାଳନା କମିଟି।

ଆଜି ଭିତର ସେବାୟତ ନିଯୋଗ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ତଳୁଚ୍ଛ ନୀଳକଣ୍ଠ ମହାପାତ୍ର ଏହି ପ୍ରସଙ୍ଗରେ ପ୍ରବଳ କ୍ଷୋଭ ପ୍ରକାଶ କରିଥିଲେ। କହିଥିଲେ, ଶ୍ରୀମନ୍ଦିରରେ ସଂସ୍କାର ପାଇଁ ମାନ୍ୟବର ସୁପ୍ରିମକୋର୍ଟ ୧୨ଟି ଅନ୍ତରୀଣ ଆଦେଶ ଦେଇଛନ୍ତି। ଯେଉଁ ଆଦେଶରେ ସେବାୟତ ସଂଖ୍ୟା କମାଇବା ପ୍ରସଙ୍ଗ ବି ରହିଛି। ନିକଟରେ ଆମିକସ୍‌ କ୍ୟୁରି ଶ୍ରୀମନ୍ଦିର ପରିଦର୍ଶନରେ ଆସିବା ସମୟରେ ଏହି ପ୍ରସଙ୍ଗ ଉଠିଥିଲା। କିନ୍ତୁ ଶ୍ରୀମନ୍ଦିର ପରିଚାଳନା କମିଟି ସେବାୟତ ସଂଖ୍ୟା କମାଇବା ସପକ୍ଷରେ ନଥିଲା। ଏ ନେଇ କମିଟି ଆମିକସ୍‌ କ୍ୟୁରି ଓ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ମତ ମଧ୍ୟ ରଖିସାରିଛନ୍ତି। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ମହାପ୍ରଭୁଙ୍କ ସେବା ପୂଜା ପାଇଁ ୩୬ ଜଣ ସେବାୟତ ଆବଶ୍ୟକ ଥିବା ଦର୍ଶାଇ ପୂରା ସେବାୟତ ସମାଜକୁ ନିନ୍ଦିତ କରିଛି। ଅନ୍ୟପଟେ ଶ୍ରୀମନ୍ଦିର ପ୍ରଶାସନ ପରିଚାଳନା କମିଟିର କୌଣସି ମତ ନନେଇ ସତ୍ୟପାଠରେ ପରିଚାଳନା କମିଟି ସହମତି ଜଣାଇଥିବା କହିବା ଦୁର୍ଭାଗ୍ୟଜନକ। ସତ୍ୟପାଠ ଦାଖଲ ସଂପର୍କରେ ପରିଚାଳନା କମିଟି ଅବଗତ ନଥିବା ଶ୍ରୀ ମହାପାତ୍ର କହିଛନ୍ତି। ଏହାକୁ ପରିଚାଳନା କମିଟି ଦୃଢ଼ ବିରୋଧ କରୁଛି। ଆଗାମୀ ପରିଚାଳନା କମିଟି ବୈଠକରେ ଏହି ପ୍ରସଙ୍ଗ ଉଠାଯିବ। ଆବଶ୍ୟକ ପଡ଼ିଲେ ପରିଚାଳନା କମିଟି ସଦସ୍ୟ ସମୂହ ଇସ୍ତଫା ଦେବେ ଓ ପୂରା ସେବାୟତ ସମାଜ ଶ୍ରୀମନ୍ଦିର ପ୍ରଶାସନକୁ ଅସହଯୋଗ କରିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ି, ମାଧବ ପୂଜାପଣ୍ଡା ଓ ମାଧବ ମହାପାତ୍ର ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଦୈନିକ ଶ୍ରୀମନ୍ଦିରରେ ୨୬ ପ୍ରକାରର ସେବା ପାଇଁ ୧୨୦ ଜଣ ସେବକଙ୍କୁ ନିୟୋଜିତ କରାଯାଇଛି। ପ୍ରାୟ ୨୫ ଶହ ସେବକ ମହାପ୍ରଭୁଙ୍କ ସେବା କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ସମ୍ବନ୍ଧିତ ଖବର