ପୁରୀ : ସୂର୍ଯ୍ୟୋପରାଗ ପାଇଁ ପ୍ରାୟ ୧୨ ଘଣ୍ଟା ଶ୍ରୀମନ୍ଦିରରେ ନୀତି ବନ୍ଦ ରହିଥିଲା। ଆଜି ସକାଳ ୮ଟା ୨୦ ମିନିଟ୍ ୮ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ପରେ ମହାପ୍ରଭୁଙ୍କ ଗ୍ରହଣ ମହାସ୍ନାନ କରାଯାଇ ସମସ୍ତ ନୀତି ସଂପାଦନ କରାଯାଇ ଥିଲା। ଅନ୍ୟପଟେ ଆଜି ବଉଳ ଅମାବାସ୍ୟା ଥିବାରୁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁଙ୍କୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ବଉଳ ଗଇଁଠା ଲାଗି କରାଯାଇଛି।
ଆଜି ସୂର୍ଯ୍ୟୋପରାଗ ଯୋଗୁଁ ରାତି ୮ଟା ୨୦ରୁ ପାକତ୍ୟାଗ ସହ ଦେବନୀତି ନିଷେଧ କରାଯାଇଥିଲା। ଏହି ଦୃଷ୍ଟିରୁ ଶ୍ରୀମନ୍ଦିରରେ ବି ରାତି ୮ଟା ୨୦ରୁ ସମସ୍ତ ନୀତି ବନ୍ଦ ରହିଥିଲା। ଯେଉଁଥି ପାଇଁ ଶ୍ରୀମନ୍ଦିରରେ ପହୁଡ଼ ନୀତି ଅନୁଷ୍ଠିତ ହୋଇପାରିନଥିଲା। ତଡ଼ପଲାଗି ହୋଇ ମହାପ୍ରଭୁ ସାରା ରାତି ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଭକ୍ତମାନେ ବି ମହାପ୍ରଭୁଙ୍କ ଦର୍ଶନ ପାଇଁ ରାତିସାରା ଭିଡ଼ ଲଗାଇଥିଲେ। ଆଜି ପୂର୍ବାହ୍ଣ ପ୍ରାୟ ୧୦ଟା ୨୦ରେ ଗ୍ରହଣ ମହାସ୍ନାନ ପରେ ମହାପ୍ରଭୁଙ୍କ ଯଥାରୀତି ନୀତିକାନ୍ତି ଆରମ୍ଭ ହୋଇଥିଲା।
ମଧ୍ୟାହ୍ନ ୧୨ଟା ୧୫ରେ ଅବକାଶ, ଅପରାହ୍ଣ ସାଢ଼େ ଗୋଟାଏରେ ଗ୍ରହଣ ଖଇକୋରା ଭୋଗ, ଅପରାହ୍ଣ ୩ଟା ୨୦ରୁ ସାଢ଼େ ୩ଟା ଗୋପାଳବଲ୍ଲଭ ଓ ପହିଲି ଭୋଗ, ଅପରାହ୍ଣ ୪ଟା ୧୦ରୁ ୪ଟା ୫୦ ସକାଳଧୂପ, ରାତି ୭ଟାରେ ଭୋଗମଣ୍ଡପ ନୀତି ଅନୁଷ୍ଠିତ ହୋଇଥିଲା। ଅନ୍ୟପଟେ ପ୍ରତିବର୍ଷ ଭଳି ପୌଷ ମାସ ଅମାବାସ୍ୟା ତିଥିରେ ବଉଳ ଅମାବାସ୍ୟା ନୀତି ଶ୍ରୀମନ୍ଦିରରେ ପାଳିତ ହୋଇଯାଇଛି। ପ୍ରଥା ଓ ପରମ୍ପରା ଅନୁଯାୟୀ, ଆଜି ଆଳତି ବଢ଼ିବା ପରେ ଶ୍ରୀଜିଉଙ୍କୁ ଆଜ୍ଞାମାଳ ଲାଗି କରାଯାଇଥିଲା। ସକାଳ ଧୂପ ଉଠିଲା ପରେ ରୋଷଘରୁ ଏକ ତାଟରେ ଆମ୍ବ ବଉଳର ଗଇଁଠା ପିଠା ଶ୍ରୀଛାମୁକୁ ଆସି ପ୍ରସାଦ ଲାଗି ନୀତି ବଢ଼ିଥିଲା। ଷୋଡ଼ଶ ଉପଚାର ପରେ ଟେରା ଫିଟାଯାଇ ଆଳତି କରାଯାଇ ତିନି ବାଡ଼ରେ ବନ୍ଦାପନା ନୀତି ଅନୁଷ୍ଠିତ ହୋଇଥିଲା। ଏହାପରେ ଦକ୍ଷିଣଘରୁ ଶ୍ରୀନାରାୟଣ ରତ୍ନ ସିଂହାସନକୁ ବିଜେ କରିଥିଲେ। ଶ୍ରୀଜିଉଙ୍କୁ ଲାଗି ଆଜ୍ଞାମାଳ ପାଇବା ପରେ ଶ୍ରୀ ନାରାୟଣ ସାଗର ବିଜେ ପାଇଁ ପାଲିଙ୍କିରେ ବିଜେ କରିଥିଲେ। ଏହା ପରେ ଅନ୍ୟାନ୍ୟ ଦୈନନ୍ଦିନ ନୀତି ବିଦ୍ଧି ମୁତାବକ ପାଳିତ ହୋଇଥିଲା। ଅନ୍ୟପଟେ ଶ୍ରୀନାରାୟଣ ସାଗର ବିଜେ ନୀତି ସାରି ପୁନର୍ବାର ଦକ୍ଷିଣଘରକୁ ବିଜେ କରିଥିଲେ।