ସପ୍ତାହକ ମଧ୍ୟରେ ତିନି ଥର ବ୍ୟତିକ୍ରମ : ଚିରିଗଲା ପତିତପାବନ ବାନା

ପୁରୀ : କରୋନା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ର‌ବେଶ ଉପରେ ଲାଗିଛି କଟକଣା। ମନ୍ଦିରରେ ସେବ‌ାୟତ ଓ ପୁଲିସକୁ ଛାଡ଼ିଦେଲେ ଭକ୍ତଟିଏ ନାହାନ୍ତି। ଭକ୍ତ ବିନା ମହାପ୍ରଭୁ ଏକା ରତ୍ନ ସିଂହାସନରେ ବସିଛନ୍ତି। ଏହି ସମୟ ମଧ୍ୟରେ ଶ୍ରୀମନ୍ଦିର ନୀଳଚକ୍ରରେ ଉଡୁଥିବା ପତିତପାବନ ବାନାରେ ସପ୍ତାହକ ମଧ୍ୟରେ ତିନିଥର ବ୍ୟତିକ୍ରମ ଦେଖିବାକୁ ମିଳିଲାଣି।

କଟକଣା ଆରମ୍ଭ ଦିନ ଫର ଫର ହୋଇ ଉଡୁଥିବା ବାନା ହଠାତ୍ ଗଣ୍ଠି ପଡ଼ି ଯାଇଥିଲା। ଗଣ୍ଠି ପଡ଼ିଥିବାରୁ ବାନା ଆଉ ଉଡ଼ିନଥିଲା। ତାର ଦିନକ ପରେ ପୁଣି ଦୀପ ନିଆଁରୁ ନୀଳଚକ୍ରରେ ବନ୍ଧା ହୋଇଥିବା ମାନସିକ ବାନାରେ ନିଆଁ ଲାଗିଥିଲା। ଅବଶ୍ୟ ଏହାକୁ ଚୁନରା ‌ସେବକ ଅସ୍ବୀକା‌ର କରିଥି‌ଲେ। ବାନା ନିଆଁ ଲାଗିବା ଘଟଣାକୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ଆଜି ନୀଳଚକ୍ରରେ ବନ୍ଧା ହୋଇଥିବା ବ‌ାନା ମଝିରୁ ଚିରି ଯାଇଛି। ଦିନ ସାରା ଆଜି ଶ୍ରୀମନ୍ଦିର ନୀଳଚକ୍ର‌ରେ ଏହି ଚିରା ବାନାଟି ଉଡ଼ୁଥିବା ଦେଖିବାକୁ ମିଳିଥିଲା। ତେବେ ଏହାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ଚୁନରା ସେବକ ଏହାକୁ ସ୍ବାଭାବିକ ଘଟଣା ବୋଲି କହୁଥିବା ବେଳେ ଅନ୍ୟ କିଛି ଏହାକୁ ଅଘଟଣ ଓ ଅଶୁଭର ସୂଚନା ବୋଲି ମତ‌ ଦେଇଛନ୍ତି। ତେବେ କିଛି ବିଦ୍ବାନ ଏଥିରେ ଭୟଭୀତ, ଆଶଙ୍କିତ ହେବାର କିଛି କାରଣ ନାହିଁ ବୋଲି କହିଛନ୍ତି।

ଏ ସଂପର୍କରେ ଚୁନାର ନିଯୋଗ( ବାନା ବାନ୍ଧୁଥିବା ସେବକଙ୍କ ନିଯୋଗ)ର ସଂପାଦକ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ପଚାରିବାରେ ସେ ବାନା ଚିରିବା, ଗଣ୍ଠି ପଡ଼ିବା ଏକ ସ୍ବାଭାବିକ ପ୍ରକ୍ରିୟା। ବହୁ ଉଚ୍ଚରେ ବାନା ଉଡ଼ୁଛି। କେତେବେଳେ କେମିତି ପବନର ବେଗ ଅଧିକ ହେଲେ ବାନା ଛିଡ଼ିଯାଏ। ପୂର୍ବରୁ ନୀଳଚକ୍ରରେ ଶତାଧିକ ବାନା ବନ୍ଧା ଯାଉଥିଲା, ‌‌କେତେ ଛିଡ଼ୁଥିଲା, ଗଣ୍ଠି ପଡ଼ୁଥିଲା। ତେବେ ଏହାକୁ ନେଇ କେହି ଆତଙ୍କିତ ହେବା ଉଚିତ ନୁହେଁ। ଏହା ଦେଶ ପାଇଁ ଅଶୁଭ ଏ ପ୍ରକାର ବିଶ୍ବାସ ରଖିବା ଆଦୌ ଗ୍ରହଣୀୟ ନୁହେଁ। ମହାପ୍ରଭୁ ଜଗତର ସର୍ବଦା ମଙ୍ଗଳ କରିନ୍ତି, ଅମଙ୍ଗଳ ନୁହେଁ ବୋଲି କହିଛନ୍ତି। ଏ ସଂପର୍କରେ ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ଡ.ନରେଶ ଚନ୍ଦ୍ର ଦାଶ ମଧ୍ୟ ସମାନ ମତ ରଖିଛନ୍ତି। ବାନା ଚିରିଯିବା, ଊଡ଼ିଯିବା ସ୍ବାଭାବିକ। ବାନା ଚିରିଲେ ଅଶୁଭ ଫଳ ହୁଏ ସେଭଳି କିଛି ଶାସ୍ତ୍ରୀୟ ମତ ନାହିଁ। ଏଥିପାଇଁ ଭୟଭୀତ ହେବାର କିଛି କାରଣ ନାହିଁ।

ସମ୍ବନ୍ଧିତ ଖବର