ସେବାରୁ ନିଲମ୍ବିତ ପୂଜାପଣ୍ଡା ସେବକ, ବଡ଼ଚଣା ଥାନ‌ା ଅଧିକାରୀଙ୍କୁ ଶ୍ରୀମନ୍ଦିର ନେଇଥିଲେ

ପୁରୀ : ବଡ଼ଚଣା‌ ଥାନା ଅଧିକାରୀ ଦୀପକ ଜେନାଙ୍କୁ ଶ୍ରୀମନ୍ଦିର ଭିତରକୁ ନେଇଥିବା ପୂଜାପଣ୍ଡା ସେବକ ଲକ୍ଷ୍ମୀନାରାୟଣ ପୂଜାପଣ୍ଡା ସାମନ୍ତଙ୍କୁ ଆଜି ସେବାରୁ ନିଲମ୍ବିତ କରାଯାଇଛି। ପୂଜାପଣ୍ଡା ନିଯୋଗ ପକ୍ଷରୁ ତାଙ୍କର ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ନିଲମ୍ବିତ କରାଯାଇଥିବା ନିଯୋଗର ସଂପାଦକ ମାଧବ ପୂଜାପଣ୍ଡା ଜଣାଇଛନ୍ତି। ଲକ୍‌ଡାଉନ୍‌ କଟକଣା ଭଙ୍ଗ କରି ଥାନା ଅଧିକାରୀ ଶ୍ରୀ ଜେନାଙ୍କୁ ଶ୍ରୀମନ୍ଦିର ଭିତରକୁ ନେଇଥିବାରୁ ନିଯୋଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ନିଯୋଗ ଏ ନିଷ୍ପତ୍ତି ସଂପର୍କରେ ଶ୍ରୀମନ୍ଦିର ପ୍ରଶାସନ, ସଂପୃକ୍ତ ସେବକ ପୂଜାପଣ୍ଡା ସାମନ୍ତଙ୍କୁ ମଧ୍ୟ ଜଣାଇ ଦିଆଯିବ। ପରିବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ସେ ସେବାରୁ ନିବୃତ୍ତ ରହିବେ।

ଉଲ୍ଲେଖଯୋଗ୍ୟ ‌ଯେ ବଡ଼ଚଣା ଥାନା ଅଧିକାରୀ ଶ୍ରୀ ଜେନା ଲକ୍‌ଡାଉନ୍‌ କଟକଣା ଭାଙ୍ଗି ଶ୍ରୀମନ୍ଦିର ଭିତରକୁ ଦର୍ଶନ ପାଇଁ ଯାଇଥିଲେ। ଥାନା ଅଧିକାରୀ ଦର୍ଶନ କରି ଫେରିବା ବେଳେ ମନ୍ଦିର ପୁଲିସ ହାତରେ ଧରାପଡିଥିଲେ। ପରେ ତାଙ୍କ ନାମରେ ସିଂହଦ୍ବାର ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା। ଏହି ଘଟଣାକୁ ନେଇ ପୁଲିସ ଡିଜି ଥାନା ଅଧିକାରୀ ଶ୍ରୀ ଜେନାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ। ପରେ ମନ୍ଦିର ନେଇଥିବା ପୂଜାପଣ୍ଡା ‌ସେବକଙ୍କୁ ମଧ୍ୟ ସିଂହଦ୍ବାର ପୁଲିସ ଥାନାରେ ଅଟକ ରଖିଥିଲା। ତାଙ୍କୁ ଏକ ନୋଟିସ ଦେଇ ଛାଡ଼ିଥିଲା। ତେବେ ଏହା ଶୃଙ୍ଖଳା ଭଙ୍ଗ କାର୍ଯ୍ୟ ହୋଇଥିବାରୁ ନିଯୋଗ ପକ୍ଷରୁ ଏଭଳି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର