ଶ୍ରୀମନ୍ଦିରରେ ବଢ଼ିଚାଲିଛି ବିଶୃଙ୍ଖଳା

କୁଆଡ଼େ ଗଲା ନୀତି ବିଳମ୍ବ କାର୍ଯ୍ୟାନୁଷ୍ଠାନ ପଦକ୍ଷେପ, ବ‌ର୍ଷେ ତଳେ ସମସ୍ତ ନିଯୋଗକୁ ହୋଇଥିଲା ଚିଠି

ପୁରୀ :‌ ଶ୍ରୀମନ୍ଦିରରେ ନୀତି ସଂପାଦନରେ ଶୃଙ୍ଖଳା ଆଣିବା ଓ ସମୟାନୁବର୍ତ୍ତିତା ରକ୍ଷା ପାଇଁ ବର୍ଷେ ତଳେ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ନିଯୋଗକୁ ଏକ ଚିଠି କରିଥିଲେ। ଯେଉଁଥିରେ ସେବାୟତମାନେ ମହାପ୍ରଭୁଙ୍କ ସେବା କାର୍ଯ୍ୟରେ ଶୃଙ୍ଖଳିତ ହେବା ସହ ସମୟାନୁବର୍ତ୍ତିତାକୁ ମାନି ଚଳିବାକୁ ସ୍ପଷ୍ଟ ନିର୍ଦେଶନାମା ରହିଥିଲା। ଖିଲାପ କଲେ କାର୍ଯ୍ୟାନୁଷ୍ଠାନର ବି ତାଗିଦ୍‌ କରାଯାଇଥିଲା। ପାଳିଆ ପୁରସ୍କାର ସଂପୂର୍ଣ୍ଣ କାଟିଦେବାକୁ ଚେତାବନୀ ଦିଆଯାଇଥିଲା। କିନ୍ତୁ ବର୍ଷେ ତଳର ଏହି ଆଦେଶ କେବଳ ଆଦେଶରେ ସୀମିତ ରହିଯାଇଛି। ଏ ଭିତରେ ଅନେକ ଥର ଶ୍ରୀମନ୍ଦିରରେ ବିଶୃଙ୍ଖଳା ଦେଖାଦେଇଛି ଓ ନୀତିରେ ବିଳମ୍ବ ହୋଇଛି, କିନ୍ତୁ ଜଣକ ବିରୋଧରେ ବି କାର୍ଯ୍ୟାନୁଷ୍ଠାନୁ ହୋଇନି। ପରିଚାଳନା କମିଟି ନିଷ୍ପତ୍ତିକ୍ରମେ ୨୦୧୯ ଜାନୁଆରି ୩ରେ ତତ୍କାଳୀନ ନୀତି ପ୍ରଶାସକ ବିଶ୍ବଜିତ ବିଶ୍ବାଳ ଶ୍ରୀମନ୍ଦିରରେ ସେବାନୀତି ଶୃଙ୍ଖଳାର ସହ ସଂପାଦନ ପାଇଁ ସମସ୍ତ ନିଯୋଗର ସଂପାଦକମାନଙ୍କୁ ଏକ ଚିଠି (ନଂ-୮୭/୩.୧.୧୯) କରିଥିଲେ। ଯେଉଁଥିରେ ସ୍ପଷ୍ଟ ଉଲ୍ଲେଖ ରହିଥିଲା, ଶ୍ରୀଜୀଉଙ୍କ ଦୈନିକ ତଥା ପର୍ବପର୍ବାଣୀ ଦିନମାନଙ୍କରେ ଧାର୍ଯ୍ୟ ସମୟରେ ନୀତି ସଂପାଦନ କରିବାରେ କେତେକ ବିଳମ୍ବ ପରିଲକ୍ଷିତ ହେଉଛି। ଏହି ବିଳମ୍ବ ଅବଧି ତଥା ଏହାର କାରଣ କମ୍ପ୍ୟୁଟର ମାଧ୍ୟମରେ ପଞ୍ଜିକୃତ କରିବାର ବ୍ୟବସ୍ଥା ରହିଛି। ସେବକମାନେ ଧାର୍ଯ୍ୟ ସମୟରେ ଯେପରି ନୀତି ସଂପାଦନ କରିବେ, ସେ ଦିଗରେ ସମସ୍ତ ନିଯୋଗ ସେମାନଙ୍କ ସଦସ୍ୟଙ୍କୁ ଜଣାଇବାକୁ ଚିଠିରେ କୁହାଯାଇଥିଲା।

ଚିଠି ଅନୁଯାୟୀ, କୌଣସି ସେବକ ଧାର୍ଯ୍ୟ ସମୟରେ ନୀତି ସଂପାଦନ କରିବାରେ ବିଳମ୍ବ କଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ସେହିଦିନର ପାଳିଆ ପୁରସ୍କାର ଓ ଅନ୍ୟ ପ୍ରାପ୍ୟ ପାଉଣା ସ୍ଥଗିତ ରଖାଯିବ। ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେବାରେ ୧୫ ମିନିଟ୍‌ ବିଳମ୍ବ କଲେ ପାଳିଆ ପୁରସ୍କାରର ଏକ ଚତୁର୍ଥାଂଶ ଓ ଅନ୍ୟାନ୍ୟ ପ୍ରାପ୍ୟ ପାଉଣା ସ୍ଥଗିତ ରଖାଯିବ। ଅଧଘଣ୍ଟା ବିଳମ୍ବ ପାଇଁ ସେ ଦିନର ଅଧା ପାଳିଆ ପୁରସ୍କାର ସ୍ଥଗିତ ରଖାଯିବ। ଅନ୍ୟ ପ୍ରାପ୍ୟ ପାଉଣା ବି ସ୍ଥଗିତ ରହିବ। ୧ ଘଣ୍ଟାରୁ ଅଧିକ ସମୟ ବିଳମ୍ବ କଲେ ସେ ଦିନର ସମସ୍ତ ପାଳିଆ ଓ ପ୍ରାପ୍ୟ ପାଉଣା ସ୍ଥଗିତ ରଖାଯିବ। ଏହାକୁ ସମସ୍ତ ନିଯୋଗ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନି। ଏହାର ତଦାରଖ ଦାୟିତ୍ବ ନୀତି ପ୍ରଶାସକଙ୍କର। ଏହାସହ କମାଣ୍ଡର ଓ ଗାରଦର ବି ଏଥିରେ ପ୍ରମୁଖ ଭୂମିକା ରହିଛି। ମୁଖ୍ୟ ହିସାବରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି ଆଦେଶ କାର୍ଯ୍ୟକାରୀ ହେଉଛି କି ନାହିଁ, ତାର ଅନୁଧ୍ୟାନ କରିବେ। କିନ୍ତୁ ବାରମ୍ବାର ନୀତି ବିଭ୍ରାଟ ହେଉଥିଲେ ବି ଏହା ଉପରେ ସମସ୍ତେ ନିରବ ରହିବା, ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ସିଧାସଳଖ ଭକ୍ତଙ୍କୁ ପ୍ରଭାବିତ କରୁଛି। ନୀତି ବିଳମ୍ବ ଯୋଗୁଁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେବା ସହ ମହାପ୍ରସାଦ ପାଇବାରୁ ବି ବଞ୍ଚିତ ହେଉଛନ୍ତି।

ସମ୍ବନ୍ଧିତ ଖବର