ପୁରୀ : ବିଳମ୍ବରେ ହେଲେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ସେବକଙ୍କ ଦୁଃଖ ବୁଝିଛି। ବାରମ୍ବାର ମହାପ୍ରଭୁଙ୍କ ସେବକଙ୍କୁ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଶେଷରେ ଶ୍ରୀମନ୍ଦିର ପ୍ରଶାସନ ସେବକମାନଙ୍କୁ ସହାୟତା ଦେବାକୁ ଘୋଷଣା କରିଛି। ଶ୍ରୀମନ୍ଦିର ସେବା ସହିତ ଜଡ଼ିତ ୨୧୩୦ ପରିବାରକୁ ପରିବାର ପିଛା ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯିବ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ଏ ବାବଦରେ ଶ୍ରୀମନ୍ଦିର ପ୍ରଶାସନ ଏକ କୋଟି ୬ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ କରିବ। ସେବକମାନଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଇ ଦିଆଯିବ। ପ୍ରଶାସନର ଏଭଳି ନିଷ୍ପତ୍ତିକୁ ନେଇ ସେବକମାନେ ଖୁସି ପ୍ରକଟ କରିଛନ୍ତି।
ଅନ୍ୟ କିଛି ସେବାୟତ ଏହାକୁ ସମୁଦ୍ରକୁ ଶଙ୍ଖେ ବୋଲି କହିଛନ୍ତି। ରାଜ୍ୟ ସରକାର ମଧ୍ୟ କିଛି ବ୍ୟବସ୍ଥା କରନ୍ତୁ ବୋଲି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି। କରୋନା କଟକଣା ଯୋଗୁଁ ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗିଛି। ଗତ ୨୮ ଦିନ ହେବ ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ଅନୁମତି ନାହିଁ। ଫଳରେ ଶ୍ରୀମନ୍ଦିର ସେବାପୂଜା, ଦାନଦକ୍ଷିଣା ଓ ମହାପ୍ରସାଦ ବିକ୍ରି କରି ପରିବାର ଚଳାଉଥିବା ସେବକ ପରିବାର ଦୁର୍ଦିନରେ ଦିନ କାଟୁଛନ୍ତି। ସେବକଙ୍କ ଆର୍ଥିକ ପରିସ୍ଥିତି ମଧ୍ୟ ସେତେଟା ଭଲ ନାହିଁ। ଶ୍ରୀମନ୍ଦିରରେ ସେବା ପୂଜା କରୁଥିବା ଶତକଡ଼ା ୮୦ ପ୍ରତିଶତ ସେବକ ଗରିବ ହୋଇଥିବାରୁ ସହାୟତା ପାଇଁ ବରିଷ୍ଠ ସେବକମାନେ ଆରମ୍ଭରୁ ଦାବି କରି ଆସୁଥିଲେ। ଶେଷରେ ସେମାନଙ୍କ ଦାବି ପୂରଣ ହୋଇଛି। ଏଥି ପାଇଁ ସେବାୟତମାନେ ମନ୍ଦିର ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/srimandir.jpg)