ପ୍ଲଟ୍‌ ନଂ ୫ ଓ ୬ରେ ରତ୍ନ ଭଣ୍ଡାର

Advertisment

ଶ୍ରୀଜଗନ୍ନାଥ ମନ୍ଦିର ରେକର୍ଡ଼ ଅଫ୍‌ ରାଇଟ୍‌ସ ଅନୁସାରେ ପ୍ଲଟ୍‌ ନଂ ୫ ଓ ୬ରେ ରତ୍ନ ଭଣ୍ଡାର ରହିଛି। ପ୍ଲଟ୍‌ ନଂ ୫ରେ ବାହାର ଭଣ୍ଡାର ଓ ପ୍ଲଟ୍‌ ନଂ-୬ରେ ଭିତର ଭଣ୍ଡାର ଘର ରହିଛି। ସେହିଭଳି ପ୍ଲଟ୍‌ ନଂ-୧ରେ ରତ୍ନବେଦି, ପ୍ଲଟ୍‌ ନଂ-୨ରେ ଭିତର ପୋଖରିଆ, ପ୍ଲଟ୍‌ ନଂ-୩ରେ ଅଣସର ଓ ବଲ୍ଲଭପିଣ୍ଡି, ପ୍ଲଟ୍‌ ନଂ-୩(କ)ରେ ପାଣିକୁଣ୍ଡ, ପ୍ଲଟ୍‌ ନଂ- ୩(ଖ)ରେ ଲୋକନାଥ ଠାକୁର, ଦୁର୍ଗା ଠାକୁରାଣୀ, ପ୍ଲଟ୍‌ ନଂ-୪ରେ ଭିତର କାଠ ଅର୍ଗଳି, ପ୍ଲଟ୍‌ ନଂ-୪(କ)ରେ ତେଲ, ବାସନ, ପାଉଣ ରହିବା ସ୍ଥାନ ରହିଛି। ସେହିପରି ପ୍ଲଟ୍‌ ନଂ-୭(କ)ରେ ପଲଙ୍କ ଘର, ପ୍ଲଟ୍‌ ନଂ-୭(ଖ)ରେ ଚତୁର୍ମାସିଆ ଠାକୁରଙ୍କ ଶୟନ ଘର, ପ୍ଲଟ୍‌ ନଂ-୮(କ)ରେ ଠାକୁରଙ୍କ ଚାଙ୍ଗଡ଼ା ଘର, ପ୍ଲଟ୍‌ ନଂ-୮(ଖ)ରେ ଫୁଲ ତୁଳସୀ ରହିବା ସ୍ଥାନ, ପ୍ଲଟ୍‌ ନଂ-୯ରେ ଜୟବିଜୟ ଦ୍ଵାର ଓ ଦକ୍ଷିଣପାର୍ଶ୍ୱ କାନ୍ଥ, ପ୍ଲଟ୍‌ ନଂ-୯(କ)ରେ ଜୟବିଜୟ ଦ୍ଵାରର ଉତ୍ତର ପାର୍ଶ୍ୱ, ପ୍ଲଟ୍‌ ନଂ-୧୦ରେ ଜଗମୋହନ ନାଟମନ୍ଦିର ରହିଛି।

୭ଟି ଗୃହରୁ ୩ଟି ଖୋଲିଛି, ଏବେ ବି ରହସ୍ୟରେ ୪

ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ୭ଟି ଗୃହ ରହିଛି ବୋଲି ବରିଷ୍ଠ ଜଗନ୍ନାଥ ଗବେଷକ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା କହିଛନ୍ତି। ଶ୍ରୀ ରଥଶର୍ମାଙ୍କ ସୂଚନା ମୁତାବକ, ରତ୍ନ ଭଣ୍ଡାର ମହାପ୍ରଭୁଙ୍କ ରୀତିନୀତିର ଏକ ଅଂଶ। ଏହା ଭକ୍ତ ତଥା ଶ୍ରଦ୍ଧାଳୁଙ୍କ ଆବେଗ ସହିତ ଜଡ଼ିତ। ଏହାକୁ ଖୋଲିବାକୁ ହେଲେ ବିଧିବଦ୍ଧ ଆଲୋଚନାର ଆବଶ୍ୟକତା ରହିଛି। ଶୁଣାଯାଏ, ପ୍ରଚଳିତ ପ୍ରଥା ଅନୁସାରେ ଶ୍ରୀଜିଉଙ୍କ ରତ୍ନ ଭଣ୍ଡାରର ତିନୋଟି ଗୃହ ବର୍ତମାନ କାର୍ଯ୍ୟ କରୁଛି। ଯେଉଁଥିରେ ମହାପ୍ରଭୁଙ୍କ ଅଳଙ୍କାର ଗଚ୍ଛିତ ରହିଛି। ଯାହାକୁ ସୁନାବେଶ ସମୟରେ ବ୍ୟବହାର କରାଯାଉଛି। ଅବଶିଷ୍ଟ ୪ଟି ଗୃହ ସଂପର୍କରେ ସ୍ଥିତି କିଛି ସ୍ପଷ୍ଟ ନୁହେଁ। ତେବେ ୪ଟି ଗୃହରେ ମହାପ୍ରଭୁଙ୍କର ଅନ୍ୟ ଅଳଙ୍କାର ମହଜୁଦ ଥାଇପାରେ। ଏହା ଭିତରେ ମା ଲକ୍ଷ୍ମୀଙ୍କ ଏକ ସୁନା ମୂର୍ତି ପ୍ରତିଷ୍ଠା କରାଯାଇଥିବା ବି ଶୁଣିବାକୁ ମିଳେ। ପୂର୍ବରୁ ୧୯୬୪ ଓ ୧୯୮୪ ମସିହାରେ ରତ୍ନ ଭଣ୍ଡାର ଖୋଲାଯାଇଥିଲା। ଏ ଭିତରେ ତିନୋଟି ଗୃହ ଖୋଲା ସରିଥିବା ବେଳେ ୪ଟି ଗୃହ ଏପର୍ଯ୍ୟନ୍ତ ଖୋଲାଯାଇ ନାହିଁ।

ଭିତରେ ରହିଛି କ’ଣ?

ଶ୍ରୀଜିଉମାନଙ୍କର ଆବଶ୍ୟକ ବେଶ ପାଇଁ ରତ୍ନ ଭଣ୍ଡାରରେ ବହୁ ଅଳଙ୍କାର ମହଜୁଦ ହୋଇ ରହିଛି। କେବଳ ବେଶ ଦିନ ଏହି ଭଣ୍ଡାର ଖୋଲାଯାଇ ସ୍ୱତନ୍ତ୍ର ଭାବେ ଅଳଙ୍କାର ଅଣାଯାଇଥାଏ। ଶ୍ରୀମନ୍ଦିର ରେକର୍ଡ଼ ଅଫ୍‌ ରାଇଟ୍‌ସ-୪, ୧୯୫୨ ଅନୁସାରେ ବାହାର ଭଣ୍ଡାରରେ ୧୫୦ ପ୍ରକାରର ସୁନା ଅଳଙ୍କାର ରହିଛି। ଯେଉଁଥିରେ ୧୨୦ ତୋଳା ଓଜନର ତିନୋଟି ହରିଡ଼ାକାନ୍ତି ମାଳ ରହିଛି। ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କ ଶ୍ରୀଭୁଜ ୮୧୮ ତୋଳା, ଶ୍ରୀପୟର ୭୧୦ ତୋଳା ରହିଛି। ତିନି ଠାକୁରଙ୍କ ସୁନା ମୁକୁଟ ବି ରହିଛି। ଯେଉଁଥିରେ ଜଗନ୍ନାଥଙ୍କର ୬୧୦ ତୋଳା, ବଳଭଦ୍ରଙ୍କର ୪୩୪ ତୋଳା ଓ ସୁଭଦ୍ରାଙ୍କର ୨୭୫ ତୋଳା ସୁନା ମୁକୁଟ ରହିଛି। ଏହା ସହିତ ସୁନା, ରୁପାର ଅନ୍ୟାନ୍ୟ ଅଳଙ୍କାର ମହଜୁଦ୍‌ ରହିଛି। ଭିତର ଭଣ୍ଡାରରେ ୧୮୦ ପ୍ରକାରର ସୁନା, ରୁପା ଅଳଙ୍କାର ରହିଛି। ସେଥିରୁ ୭୪ ପ୍ରକାରର ସଂପୂର୍ଣ୍ଣ ଖାଣ୍ଟି ସୁନାର ଅଳଙ୍କାର ରହିଛି, ଯାହାର ଓଜନ ୧୦୦ ତୋଳାରୁ ଅଧିକ। ଏହା ସହିତ ହୀରା, ମୋତି, ମାଣିକ୍ୟ ସମେତ ୧୪୫ ପ୍ରକାରର ରୁପା ଅଳଙ୍କାର ରହିଛି, ଯାହାର ଓଜର ୫୦୦ ତୋଳାରୁ ଅଧିକ ହେବ। ତେବେ ଏହି ରତ୍ନଭଣ୍ଡାରରେ ଆହୁରି ବହୁ ଅଳଙ୍କାର ଥାଇପାରେ ବୋଲି ଅନୁମାନ କରାଯାଉଛି।

ମାଦଳା ପାଞ୍ଜି କ’ଣ କହେ...

ମାଦଳା ପାଞ୍ଜିରେ ବର୍ଣ୍ଣିିତ ତଥ୍ୟ ଅନୁଯାୟୀ ରାଜା ଅନଙ୍ଗଭୀମଦେବ ୨,୫୦,୦୦୦ ମଢ଼ା ସୁନା (୧ ମଢ଼ା=ଅଧ ତୋଳା=୫.୮୩୧୯ ଗ୍ରାମ୍‌) ଶ୍ରୀଜଗନ୍ନାଥଙ୍କ ଗହଣା ପ୍ରସ୍ତୁତି ପାଇଁ ଦାନ କରିଥିଲେ। ଓଡ଼ିଶାର ସୂର୍ଯ୍ୟବଂଶୀ ଶାସକମାନେ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ମୂଲ୍ୟବାନ ସୁନା ପ୍ରଣାମୀ ସ୍ୱରୂପ ଦେଇଥିଲେ। ଜଗନ୍ନାଥ ମନ୍ଦିରରେ ଥିବା ଦିଗ୍‌ବିଜୟ ଦ୍ୱାରରେ ଖୋଦିତ ଥିବା ଲିପିରେ ବର୍ଣ୍ଣିତ ତଥ୍ୟ ଅନୁଯାୟୀ ୧୪୬୬ ଖ୍ରୀଷ୍ଟାବ୍ଦରେ ଗଜପତି କପିଳେନ୍ଦ୍ର ଦେବ ବିପୂଳ ସୁନା ଓ ଗହଣା ଅଳଙ୍କାର ଶ୍ରୀଜଗନ୍ନାଥଙ୍କୁ ସମର୍ପିତ କରିଥିଲେ। ପ୍ରଖ୍ୟାତ ଐତିହାସିକ ଆର୍‌ ଡି ବାନାର୍ଜୀ ତାଙ୍କର ପୁସ୍ତକ ‘ଓଡ଼ିଶା ଇତିହାସ’ରେ ଲେଖିଛନ୍ତି ଯେ ୧୪୬୬ରେ ରାଜା କପିଳେନ୍ଦ୍ର ଦେବ ମନ୍ଦିରକୁ ପ୍ରଦାନ କରିଥିବା ଅଳଙ୍କାର ମଧ୍ୟରୁ ଅଧିକାଂଶ ୧୮୯୩ ମସିହା ପର୍ଯ୍ୟନ୍ତ ବ୍ୟବହୃତ ହେଉଥିଲା। ଗଜପତି ମୁକୁନ୍ଦ ଦେବଙ୍କ ମୃତ୍ୟୁ ପରେ ତାଙ୍କ ପାଳିତ ପୁତ୍ର ଲାଲମୋହନ ଦେବ ୧୯୨୬ରେ ଗଜପତି ରାମଚନ୍ଦ୍ର ଦେବ ଭାବେ ଅଭିଷିକ୍ତ ହୋଇଥିଲେ। ଏହି ସମୟରେ ରତ୍ନ ଭଣ୍ଡାରରେ ଥିବା ମୂଲ୍ୟବାନ ଅଳଙ୍କାର ଓ ସଂପତ୍ତିର ଏକ ତାଲିକା ପ୍ରସ୍ତୁତ କରିଥିଲେ।  ତାଲିକାଟି ପୁରୀ କଲେକ୍ଟରେଟ୍‌ ରେକର୍ଡ ରୁମ୍‌ରେ ରଖାଯାଇଥିଲା।

ଆଗରୁ କେବେ ଖୋଲିଥିଲା?

ଶେଷ ଥର ପାଇଁ ୧୯୮୪ ମସିହାରେ ରତ୍ନଭଣ୍ଡାର ଖୋଲିବାକୁ ଚେଷ୍ଟା କରାଯାଇଥିଲା। ଶୁଣିବାକୁ ମିଳେ, ପ୍ରତ୍ନତତ୍ତ୍ଵ ବିଭାଗ ବହୁଦ୍ଵାର ବିଶିଷ୍ଟ ମହାପ୍ରଭୁଙ୍କ ଏହି ରତ୍ନଭଣ୍ଡାର ଖୋଲିବା ସମୟରେ ବହୁ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇଥିଲା। ଗୋଟିଏ କି ଦୁଇଟି ଦ୍ଵାର ଖୋଲିବା ପରେ ରତ୍ନ ଭଣ୍ଡାର ଭିତରୁ ବିଷଧର ସାପମାନଙ୍କ ଗର୍ଜନ ଶୁଣିବାକୁ ମିଳିଥିଲା। ଗର୍ଜନ ଏତେ ଭୟଙ୍କର ଥିଲା ଯେ ପ୍ରତ୍ନତତ୍ତ୍ଵ ବିଭାଗ ସେହିଠାରୁ ପଛଘୁଞ୍ଚା ଦେଇଥିଲା। ସେହିଠାରେ ହିଁ ରତ୍ନଭଣ୍ଡାର ଖୋଲିବା ବନ୍ଦ ହୋଇଯାଇଥିଲା।

କାହା ପାଖରେ ଚାବି?

ଶ୍ରୀମନ୍ଦିରରେ ଥିବା ରତ୍ନ ଭଣ୍ଡାରରେ ଅଳଙ୍କାର କାଢ଼ିବା ଓ ରଖିବାକୁ ନେଇ ସ୍ୱତନ୍ତ୍ର କଟକଣା ରହିଛି। ତେବେ ରତ୍ନ ଭଣ୍ଡାରର ଚାବି ତିନି ଜଣଙ୍କ ପାଖରେ ରହିଥାଏ। ଗୋଟିଏ ପୁରୀ ଗଜପତି ମହାରାଜଙ୍କ ପାଖରେ ରହୁଥିବାବେଳେ ବାକି ଦୁଇଟି ଶ୍ରୀମନ୍ଦିର ପ୍ରଶାସନ ଓ ଭଣ୍ଡାର ମେକାପଙ୍କ ପାଖରେ ରହିଥାଏ। ନୀତିକାନ୍ତି ବେଳେ ଶ୍ରୀମନ୍ଦିର କମାଣ୍ଡର ନୋଟିସ୍‌ କରିଥାନ୍ତି। ନୋଟିସ୍‌ କରିବା ପରେ ସମସ୍ତଙ୍କ ଉପସ୍ଥିତିରେ ଗଜପତିଙ୍କ ପ୍ରତିନିଧି, ଶ୍ରୀମନ୍ଦିର ପ୍ରଶାସନ ପ୍ରତିନିଧିଙ୍କ ଉପସ୍ଥିତିରେ ଅଳଙ୍କାର କଢ଼ାଯାଏ ଓ ପୁଣି ପୂର୍ବ ସ୍ଥାନରେ ରଖି ଦିଆଯାଏ।

ଖୋଲିଲେ ଭୟଙ୍କର ବିପତ୍ତି!

ରତ୍ନ ଭଣ୍ଡାର ଜଗତର ନାଥ ଜଗନ୍ନାଥଙ୍କର। ଏହାକୁ ଆଜି ପର୍ଯ୍ୟନ୍ତ କେହି ବି ଦେଖିନାହାନ୍ତି। କାରଣ ଏହା ପଛରେ ରହିଛି ଅନେକ ରହସ୍ୟ। ଏହି ରହସ୍ୟମୟ ରତ୍ନ ଭଣ୍ଡାରକୁ ଖୋଲିବା ମହାପାପ। ସ୍ୱୟଂ ଜଗନ୍ନାଥ ଏଥିପାଇଁ କାହାକୁ କ୍ଷମା ଦେବେନି। ରତ୍ନ ଭଣ୍ଡାର ଖୋଲିଲେ ମହାବିପତ୍ତି ମାଡ଼ି ଆସିବ। ଏଭଳି ଚେତାଇ ଦେଇଛନ୍ତି ୪୫ ବର୍ଷ ଧରି ଶ୍ରୀମନ୍ଦିର ସହ ଓତଃପ୍ରୋତ ଭାବେ ଜଡ଼ିତ ୬୫ ବର୍ଷୀୟ ନରସିଂହ ପୂଜାପଣ୍ଡା। ହାଇକୋର୍ଟଙ୍କ ଖଣ୍ଡପୀଠ ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୨୬ ତାରିଖରେ ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ ପାଇଁ ଦିନ ଧାର୍ଯ୍ୟ ହୋଇଛି। ଯଦି ରତ୍ନ ଭଣ୍ଡାର ଖୋଲାଯାଏ, ମହାବିପତ୍ତି ଦେଖିବା ଆଗରୁ ସିଂହଦ୍ଵାର ଆଗରେ ସେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି।