ଅଟକିଲା ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି

ସରକାରଙ୍କ ଅନୁମତିକୁ ଅପେକ୍ଷା, ହାଇକୋର୍ଟଙ୍କୁ ସମୟ ମଗାଯିବ
ଛତିଶା ନିଯୋଗ ବୈଠକରେ ବି ହେବ ବିସ୍ତୃତ ଆଲୋଚନା
ବିଭ୍ରାନ୍ତ ନ କରିବା ଲାଗି ବିଶେଷଜ୍ଞଙ୍କୁ ପ୍ରଶାସନର ନିବେଦନ

ପୁରୀ : ଏବେ ରତ୍ନଭଣ୍ଡାର ଖୋଲିବ ନାହିଁ। ଭିତର ରତ୍ନଭଣ୍ଡାର ଖୋଲିବା ପାଇଁ ରାଜ୍ୟ ସରକାର ଅନୁମତି ଦେବା ପରେ ଯାହା କିଛି ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ରତ୍ନଭଣ୍ଡାର କେବେ ଖୋଲିବ ସେ ନେଇ ନିର୍ଦିଷ୍ଟ ତାରିଖ ମଧ୍ୟ ଧାର୍ଯ୍ୟ କରାଯିବ। ଏଥିରେ ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାଯିବ। ରତ୍ନଭଣ୍ଡାରର କୌଣସି ରତ୍ନ ଯାଞ୍ଚ୍‌ କରାଯିବ ନାହଁ, କେବଳ ଭିତ୍ତିଭୂମି ଅନୁଧ୍ୟାନ କରାଯିବ।

ରତ୍ନଭଣ୍ଡାର ଖୋଲାଯିବା ନେଇ ଆରମ୍ଭ ହୋଇଥିବା ବିବାଦରେ ପୂର୍ଣ୍ଣଛେଦ ଟାଣିବାକୁ ଯାଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏଭଳି ସୂଚନା ଦେଇଛନ୍ତି। କେବଳ ସେତିକି ନୁହେଁ, ରତ୍ନଭଣ୍ଡାର ସଂପର୍କରେ ବିଭିନ୍ନ ଗବେଷକ, ବିଶେଷଜ୍ଞ ବା ଗଣମାଧ୍ୟମରେ ଯେଉଁ କଳ୍ପନାପ୍ରସୂତ କାହାଣୀ ଉପସ୍ଥାପନ କରାଯାଉଛି, ସେଥିରୁ ସମସ୍ତେ କ୍ଷାନ୍ତ ହେବା ଲାଗି ନିବେଦନ କରାଯାଇଛି।

ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ସବ୍‌ କମିଟି ବୈଠକ ପରେ ଶ୍ରୀ ଜେନା କହିଛନ୍ତି, ହାଇକୋର୍ଟଙ୍କୁ ସତ୍ୟପାଠ ଜରିଆରେ ସମସ୍ତ ତଥ୍ୟ ଅବଗତ କରାଇ ସମୟ ମଗାଯିବ। ଖୁବଶୀଘ୍ର ଏ ସଂପର୍କରେ ବିସ୍ତୃତ ଆଲୋଚନା ପାଇଁ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ମଧ୍ୟ ଡକାଯିବ। ମୁଖ୍ୟ ପ୍ରଶାସକଙ୍କ ଏହି ସୂଚନା ପରୋକ୍ଷରେ ସୂଚାଇ ଦେଇଛି, ଶ୍ରୀମନ୍ଦିର ପ୍ରଶାସନ ଏକତରଫା ଭାବେ ରତ୍ନ ଭଣ୍ଡାର ଖୋଲିବା ପାଇଁ ଯେଭଳି ଆଗେଇଥିଲେ, ସେଥିରୁ ସେମାନେ ଏକ ପ୍ରକାର ଓହରିଯାଇଛନ୍ତି।

ଗତ ଶନିବାର ଶ୍ରୀମନ୍ଦିର ପ୍ରଶାସନ ତରବର କାହିଁକି ବୋଲି ପ୍ରଶ୍ନ ଉଠାଯାଇଥିଲା ଓ ରତ୍ନଭଣ୍ଡାର ଭଳି ସମ୍ବେଦନସ୍ଥାନରେ ଯାଞ୍ଚ ବେଳେ ସ୍ୱଚ୍ଛତା ରକ୍ଷା କରିବା ଲାଗି କୌଣସି ବି ପଦକ୍ଷେପ ନିଆଯାଇନଥିବା ଦର୍ଶାଯାଇଥିଲା।

ଏଠାରେ ପ୍ରକାଶଥାଉକି, ରତ୍ନ ଭଣ୍ଡାର ଅନୁଧ୍ୟାନ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରତ୍ନ ଭଣ୍ଡାର ସବ୍‌୍‌ କମିଟିର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଜେନା, ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଏସ୍‌ପି ଡା. ସାର୍ଥକ ଷଡଙ୍ଗୀ, ସଭ୍ୟ ରାମଚନ୍ଦ୍ର ଦାସମହାପାତ୍ର, ଅନନ୍ତ ତିଆଡି ପ୍ରମୁଖ ଉପସ୍ଥିତ ଥିଲେ।

ବୈଠକ ପରେ ମୁଖ୍ୟ ପ୍ରଶାସକ ଶ୍ରୀ ଜେନା ଗଣମାଧ୍ୟମକୁ ବୈଠକର ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ କହିଥିଲେ, ଗତ ୨୦ ତାରିଖ ଦିନ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏଏସ୍‌ଆଇ ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ପାଇଁ ଅନୁମତି ମାଗିଥିଲା। ଫଳରେ ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହାଇକୋର୍ଟଙ୍କୁ ସତ୍ୟପାଠ ଜରିଆରେ ଅବଗତ କରାଯାଇଥିଲା। ସତ୍ୟପାଠ ଅଧାରରେ ହାଇକୋର୍ଟ ଚଳିତ ମାସ ୨୬ ଓ ୨୭ ତାରିଖରେ ରତ୍ନ ଭଣ୍ଡାର ସ୍ଥିତି ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଜି ଏଏସ୍‌ଆଇ ଟିମ୍‌ ବାହାରୁ ଯାଞ୍ଚ କରିଛନ୍ତି। ଆସନ୍ତାକାଲି ମଧ୍ୟ ବାହାରୁ ଯାଞ୍ଚ କରାଯିବ। ଭିତର ଭଣ୍ଡାର ଏବେ ଯାଞ୍ଚ ହେବ ନାହିଁ । ଏଥିପାଇଁ ରାଜ୍ୟ ସରକାରଙ୍କ ଅନୁମତିର ଆବଶ୍ୟକତା ଥିବାରୁ ଅନୁମତି ମିଳିବା ପରେ ସ୍ଥିତି ଯାଞ୍ଚ କରାଯିବ।

ଅନ୍ୟପକ୍ଷରେ ରତ୍ନ ଭଣ୍ଡାର ପ୍ରଥମ ଥର ଖୋଲୁ ନାହିଁ ବୋଲି ସ୍ପଷ୍ଟ କରି ଶ୍ରୀ ଜେନା କହିଛନ୍ତି, ପୂର୍ବରୁ ୧୯୨୬ ଓ ୧୯୭୮ରେ ରତ୍ନ ଭଣ୍ଡାର ଖୋଲାଯାଇ ଭିତରେ ଥିବା ଅଳଙ୍କାରଗୁଡ଼ିକର ଆକଳନ କରାଯାଇ ସାରିଛି। ଯାହା ୧୯୨୬ରେ ରେକର୍ଡ ଅଫ୍‌ ରାଇଟ୍‌ସର ଅଂଶ ବିଶେଷ। ୧୨୪ ପୃଷ୍ଠାର ବହିରେ କଣ ଅଳଙ୍କାର ରହିଛି ତାର ସଂପୂର୍ଣ୍ଣ ହିସାବ ମଧ୍ୟ ରହିଛି। ସତ୍ୟବାଦୀ ପ୍ରେସରେ ଏହା ଛପାଯାଇଥିଲା। ହେଲେ ଏବେ ଯଦି ସରକାର ଅନୁମତି ଦିଅନ୍ତି, ତେବେ ଭିତର ରତ୍ନ ଭଣ୍ଡାର ଅନୁଧ୍ୟାନ ବେଳେ କୌଣସି ରତ୍ନ ଯାଞ୍ଚ୍‌ ହେବ ନାହିଁ। ଏଣୁ ଏ ନେଇ କାହା ମନରେ ଦ୍ୱନ୍ଦ୍ୱ ରହିବା ଉଚିତ୍‌ ନୁହେଁ।

ସେପଟେ ରତ୍ନ ଭଣ୍ଡାର ଅନୁଧ୍ୟାନ ପାଇଁ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆଜି ଅପରାହ୍ଣରେ ଆମିକସ୍‌କ୍ୟୁରି ଏନ୍‌.କେ ମହାନ୍ତିଙ୍କ ସମେତ ଏଏସ୍‌ଆଇର ଅବସରପ୍ରାପ୍ତ ଉପନିର୍ଦ୍ଦେଶକ ଏସ୍‌.ବି ହୋତା, ଏ.କେ. ପଟେଲ, ଜୀବନ ପଟ୍ଟନାୟକ, ବି.କେ. ରଥ ଓ ଜି.ସି ମିତ୍ରଙ୍କ ଭଳି ବହୁ ପ୍ରତ୍ନତତ୍ତ୍ଵ ବିଶେଷଜ୍ଞ ଶ୍ରୀମନ୍ଦିରକୁ ଯାଇ ରତ୍ନ ଭଣ୍ଡାରର ପ୍ରାରମ୍ଭିକ ଯାଞ୍ଚ କାମ ଆରମ୍ଭ କରିଥିଲେ। ବିଶେଷଜ୍ଞ ଦଳକୁ ଭଣ୍ଡାର ଭିତରକୁ ଯିବାକୁ ଅନୁମତି ନ ଥିବାରୁ ସେମାନେ ବାହାର ଭଣ୍ଡାର ନିକଟରୁ ଭଣ୍ଡାରର କାନ୍ଥ ଯାଞ୍ଚ୍‌ କରିଥିଲେ। କାଠରେ ଆଘାତ ଦେଇ କାନ୍ଥର ପ୍ଲାଷ୍ଟର ସ୍ଥିିତି ପରଖିଥିଲେ। ବାହାର ପଟୁ ରତ୍ନଭଣ୍ଡାର କାନ୍ଥ ଠିକ୍‌ ଥିବା ସେମାନେ କହିଛନ୍ତି। ତେବେ ବାହାର କାନ୍ଥରୁ ରତ୍ନ ଭଣ୍ଡାରର ଭିତର ସ୍ଥିତି ଅନୁଧ୍ୟାନ କରିବା ଆଦୌ ସମ୍ଭବ ନୁହେଁ । ଏଥିପାଇଁ ରତ୍ନ ଭଣ୍ଡାର ଖୋଲିବା ଜରୁରି । ସେମାନେ ଆସନ୍ତାକାଲି ପୁଣି ଆସିବେ, ଶ୍ରୀମନ୍ଦିର ପ୍ରଶାସନ ଓ ସରକାର ଅନୁମତି ଦେଲେ ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ କରିବେ ବୋଲି ଏହି ଦଳ ସୂଚନା ଦେଇଛନ୍ତି।

ହାଇକୋର୍ଟ ୨୬ ଓ ୨୭ ତାରିଖରେ ରତ୍ନ ଭଣ୍ଡାର ସ୍ଥିତି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ଆସିବା ପରେ ପୁରୀରେ ସେବାୟତ ଓ ଭକ୍ତଙ୍କ ପକ୍ଷରୁ ପ୍ରବଳ ବିରୋଧ ହୋଇଥିଲା। ତରବରିଆ ଭାବେ କୌଣସି ନିଷ୍ପତ୍ତି ନ ନେବାକୁ ସେବାୟତ ଦାବି କରିଥିଲେ। ଏହାକୁ ନେଇ ଜଣେ ସେବାୟତ ନରସିଂହ ପୂଜାପଣ୍ଡା ପ୍ରତିବାଦରେ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଥିଲେ। ଏଭଳି ସ୍ଥିତିରେ ଶ୍ରୀମନ୍ଦିର ପ୍ରଶାସନ ରତ୍ନଭଣ୍ଡାର ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ଅନୁମତି ଲୋଡିଥିଲେ ହେଁ ଏହା ଅଦ୍ୟାବଧି ମିଳିପାରିନାହିଁ। ଅନ୍ୟପକ୍ଷରେ ଏଏସ୍‌ଆଇ ରତ୍ନ ଭଣ୍ଡାର ଖୋଲିବା ଜରୁରି ବୋଲି କହିବା ପରେ ସରକାର କି ପଦକ୍ଷେପ ନେବେ ତାହା ଖୁବଶୀଘ୍ର ସ୍ପଷ୍ଟ ହେବ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର