ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଅନୁଧ୍ୟାନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ରଥଯାତ୍ରା ପରେ ଜଗମୋହନ ଖୋଲିବା ପାଇଁ ପରିଚାଳନା କମିଟିର ପ୍ରସ୍ତାବ

କଟକ : ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାରର ସ୍ଥିତି ଅନୁଧ୍ୟାନ କରାଯିବ। ମାର୍ଚ୍ଚ ୨୬ ଓ ୨୭ ତାରିଖରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଅଧିକାରୀ ଓ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ)ର ବିଶେଷଜ୍ଞମାନେ ଜଗମୋହନ ଭିତରେ ଥିବା ଶ୍ରୀଜୀଉଙ୍କ ରତ୍ନ ଭଣ୍ଡାର ଅନୁଧ୍ୟାନ କରିବେ। ମାମଲାର ଶୁଣାଣି ବେଳେ ଆଜି ହାଇକୋର୍ଟ ଏ ପ୍ରକାର ନିର୍ଦ୍ଦେଶ ଦେଇଛନ୍ତି। ରତ୍ନ ଭଣ୍ଡାର ସଂରକ୍ଷଣ ଓ ସୁରକ୍ଷା ଦୃଷ୍ଟିରୁ କ’ଣ ମରାମତି ଆବଶ୍ୟକ ସେ ନେଇ ଅନୁଧ୍ୟାନ ପରେ ସ୍ଥିତି ସ୍ପଷ୍ଟ ହେବ। ରତ୍ନ ଭଣ୍ଡାରର ସାନି ସ୍ଥିତି ସଂପର୍କରେ ଏଏସ୍‌ଆଇ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପରବର୍ତ୍ତୀ ଶୁଣାଣି ସମୟରେ ସତ୍ୟପାଠ ମାଧ୍ୟମରେ ଅବଗତ କରାଯିବ। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀମନ୍ଦିର ମରାମତି ସଂପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଆଜି ମାମଲାର ଶୁଣାଣି ସମୟରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନାଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଥିଲା ଯେ ୨୦୧୮, ମାର୍ଚ୍ଚ ୧୫ରେ ମନ୍ଦିର ପରିଚାଳନା କମିଟିର ୧୦ ଜଣ ସଦସ୍ୟଙ୍କ ନାମ ପ୍ରକାଶ କରି ଆଇନ ବିଭାଗ ତରଫରୁ ଗେଜେଟ ନୋଟିଫିକେସନ୍‌ ପ୍ରକାଶ କରାଯାଇଥିଲା। ଗତ ମାର୍ଚ୍ଚ ୨୦ ତାରିଖ ଦିନ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସିଥିଲା ଓ ବିଭିନ୍ନ ପ୍ରସଂଗ ସହିତ ଭକ୍ତମାନଙ୍କ ଦର୍ଶନ ପାଇଁ ଜଗମୋହନ ଖୋଲିବା ସଂପର୍କରେ ଆଲୋଚନା କରାଯାଇଥିଲା। ଜଗମୋହନ ଭିତରେ ଥିବା ରତ୍ନ ଭଣ୍ଡାରରେ ଶ୍ରୀଜୀଉଙ୍କ ମୂଲ୍ୟବାନ ଗହଣା ରହିଛି। ସେହି ରତ୍ନ ଭଣ୍ଡାର ସ୍ଥିତି ଅନୁଧ୍ୟାନ ପାଇଁ ଏଏସଆଇକୁ ଅନୁରୋଧ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ୧୯୮୪ରେ ଶେଷ ଥର ଲାଗି ରତ୍ନ ଭଣ୍ଡାରର ସ୍ଥିତି ଅନୁଧ୍ୟାନ କରାଯାଇଥିଲା। ଏପରି ପରିସ୍ଥିତିରେ ଏବେ ରତ୍ନ ଭଣ୍ଡାରର ସ୍ଥିତି କଣ ରହିଛି ତାହା ଯାଞ୍ଚ କରାଯିବା ଆବଶ୍ୟକ। ଯାଞ୍ଚ ପରେ ଯଦି ମରାମତି ଆବଶ୍ୟକ ଥାଏ ତେବେ ଏଥି ପାଇଁ ଏଏସଆଇ ପଦକ୍ଷେପ ଗ୍ରହଣ କରିବ। ରତ୍ନ ଭଣ୍ଡାରର ସଂରକ୍ଷଣ ଓ ମରାମତି କାର୍ଯ୍ୟ ସଂପାଦନ ପରେ ଜଗମୋହନ ଦେଇ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା କରାଯିବ ଓ ନାଟମଣ୍ଡପ ସଂରକ୍ଷଣ କାର୍ଯ୍ୟ ହେବ। ଏଥି ସହିତ ଏଏସଆଇ ନିକଟରୁ ଜଗମୋହନ ସୁରକ୍ଷା ସଂପର୍କିତ ପ୍ରମାଣପତ୍ର(ସେଫ୍‌ଟି ସାର୍ଟିଫିକେଟ୍‌) ମିଳିବା ପରେ ଭକ୍ତିଙ୍କ ପାଇଁ ଜଗମୋହନ ଭିତରୁ ଶ୍ରୀଜୀଉଙ୍କ ଦର୍ଶନ ବ୍ୟବସ୍ଥା କରାଯିବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ନାଟମଣ୍ଡପ ମରାମତି ପ୍ରସଂଗରେ ସତ୍ୟପାଠରେ ଦର୍ଶାଯାଇଥିଲା ଯେ ରଥଯାତ୍ରା ସଂପର୍କୀତ ନୀତି ଏପ୍ରିଲ ୧୮ରୁ ଆରମ୍ଭ ହେଉଥିବା ବେଳେ ନାଟମଣ୍ଡପ ୯୦ ଦିନ ପାଇଁ ଏଏସ୍‌ଆଇକୁ ହସ୍ତାନ୍ତର ସମ୍ଭବ ନୁହେଁ। ରଥଯାତ୍ରା ପରେ ନାଟମଣ୍ଡପ ଏଏସଆଇକୁ ମରାମତି ପାଇଁ ହସ୍ତାନ୍ତର କରାଯିବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ବୋଲି ମୁଖ୍ୟ ପ୍ରଶାସକଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା। ଅନ୍ୟପକ୍ଷରେ ମରାମତି ପରେ ଜଗମୋହନକୁ ଏଏସଆଇ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରି ସାରିଛି। ଜଗମୋହନ ଖୋଲିବା ପରେ ଚିନ୍ତାଜନକ ଅବସ୍ଥାରେ ଥିବା ନାଟ ମଣ୍ଡପର ମରାମତି ସମ୍ଭବ ହେବ। କେବେ ଜଗମୋହନ ଖୋଲିବ ସେ ନେଇ ସାନି ସତ୍ୟପାଠ ଦାଖଲ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨୯ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀ ଅଭିଷେକ ଦାସଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର, ସୂର୍ଯ୍ୟ ପ୍ରକାଶ ଆର୍ତ୍ତ ବିଦ୍ୟାଧର ମଙ୍ଗରାଜ, ଚିତ୍ରସେନ ପରିଡା, ତ୍ରିଲୋଚନ ଦାଶ, ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ସୂର୍ଯ୍ୟ ପ୍ରସାଦ ମିଶ୍ର, ଜିଏ ରମାକାନ୍ତ ମହାପାତ୍ର ଓ ଏଏସଆଇ ପକ୍ଷରୁ ସିଜିସି ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର