ନିଲମ୍ବିତ ବଡ଼ଚଣା ଥାନା ଅଧିକାରୀଙ୍କୁ ସପରିବାର ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ନେଇଥିବା ସେବାୟତ ଥାନାରେ ଅଟକ

ପୁରୀ/ ଯାଜପୁର: ନିଲମ୍ବିତ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧିକାରୀ ଦୀପକ କୁମାର ଜେନାଙ୍କୁ ସପରିବାର ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ନେଇଥିବା ସେବାୟତଙ୍କୁ ଥାନାରେ ଅଟକ ରଖିଛି ପୁଲିସ। ମିଳିଥିବା ସୂଚନା ଅନୁଯାୟୀ ସେବାୟତ ଲକ୍ଷ୍ମୀ ନାରାୟଣ ପୂଜାପଣ୍ଡା (ଶ୍ୟାମ)ଙ୍କୁ ପୁରୀର ସିଂହଦ୍ବାର ପୁଲିସ ଥାନାରେ ଅଟକ ରଖାଯାଇଛି । ତାଙ୍କୁ ପୁଲିସ ଖୋଜୁଥିବା ଜାଣି ଲକ୍ଷ୍ମୀ ନାରାୟଣ ପୂଜାପଣ୍ଡା ଆଜି ସିଂହଦ୍ବାର ପୁଲିସ ଥାନାରେ ପହଞ୍ଚିଥିଲେ। ଏହାପରେ ତାଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ନିଲମ୍ବିତ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧିକାରୀ ଦୀପକ କୁମାର ଜେନାଙ୍କୁ ସପରିବାର ଦର୍ଶନ ପାଇଁ କେଉଁ ସେବାୟତ ନେଇଥିଲେ, ତାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଥିଲା।

ଉଲ୍ଲେଖଯୋଗ୍ୟ, ଲକ୍‌ଡାଉନ୍‌ ଯୋଗୁଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ କଡ଼ା କଟକଣାକୁ ଖାତିର ନ କରି ଓ ସୁରକ୍ଷା ବଳୟକୁ ଭେଦ କରି ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧିକାରୀ ଦୀପକ କୁମାର ଜେନା ନିଜ ପରିବାର ସହ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। କଡ଼ା ପହରା ସତ୍ତ୍ବେ ଶ୍ରୀମନ୍ଦିରକୁ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ ସାରି ଫେରିଲା ବେଳେ ଦକ୍ଷିଣଦ୍ବାରରେ ମୁତୟନ ପୁଲିସ ହାତରେ ଧରା ପଡ଼ିଥିଲେ।
ପୁଲିସ କର୍ମଚାରୀର ପରିଚୟ ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ ବି ସାଧାରଣ ଲୋକଙ୍କ ଚାପରେ ସିଂହଦ୍ବାର ପୁଲିସ ଥାନା ଅଧିକାରୀ ଶ୍ରୀ ଜେନା ଓ ତାଙ୍କ ପରିବାରକୁ ଅଟକ ରଖିବା ସହ ମାମଲା ରୁଜୁ କରିବାକୁ ବାଧ୍ୟ ହୋଇଥିଲା। ଏହି ଘଟଣା ପରେ କେଉଁ ସେବାୟତ ଏହି ଅଧିକାରୀଙ୍କୁ ସପରିବାର ଦର୍ଶନ ପାଇଁ ନେଇଥିଲେ, ତାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଥିଲା।
ସିଂହଦ୍ବାର ଥାନା ଅଧିକାରୀଙ୍କ ସୂଚନା ଅନୁସାରେ, ଗତକାଲି ସଂଧ୍ୟାରେ ବଡ଼ଚଣା ଥାନା ଅଧିକାରୀ ଦୀପକ ଜେନା ତାଙ୍କ ସ୍ତ୍ରୀ ଓ ଦୁଇ ଝିଅଙ୍କ ସହ ଏକ ହଳଦିଆ ବତୀ ଲାଗିଥିବା ଧଳାଗାଡ଼ିରେ ଶ୍ରୀମନ୍ଦିର ଦକ୍ଷିଣଦ୍ବାରରେ ପହଞ୍ଚିବା ପରେ ଦର୍ଶନ ପାଇଁ ମନ୍ଦିର ଭିତରେ ପ୍ରବେଶ କରିଥିଲେ। ଏହି ଖବର ଜଣାପଡ଼ିବା ପରେ ଦର୍ଶନ ସାରି ଫେରିବା ବେଳକୁ ବଡ଼ଚଣା ଥାନା ଅଧିକାରୀ ଜେନା ଓ ତାଙ୍କ ପରିବାରକୁ ସିଂହଦ୍ବାର ପୁଲିସ ଧରିନେଇ ଥାନାରେ ଅଟକ ରଖିଥିଲା। ଏ ନେଇ ସିଂହଦ୍ବାର ଥାନାରେ ଏକ ମାମଲା ରୁଜୁ ହୋଇଥିଲା।
ଏଭଳି କାର୍ଯ୍ୟକୁ ପୁଲିସ ଡିଜି ଗମ୍ଭୀରତାର ସହ ନେଇ ବଡ଼ଚଣା ଥାନା ଅଧିକାରୀ ଦୀପକ କୁମାର ଜେନାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ।ଏଣେ ତାଙ୍କ ବିରୋଧରେ ବଡ଼ଚଣା ଥାନାରେ ମାମଲା ରୁଜୁ କରାଯାଇଛି ।

ସମ୍ବନ୍ଧିତ ଖବର