ପୁରୀ ସହରରେ ସୁରକ୍ଷା କଡ଼ାକଡ଼ି, ବାହାର ଗାଡ଼ି ପ୍ରବେଶ ଉପରେ କଟକଣା

ପୁରୀ: ଲକ୍ ଡାଉନ୍ ପାଇଁ ପୁରୀ ସହରକୁ ୩ଟି ଜୋନ୍ ଏବଂ ଛଅଟି ସେକ୍ଟରରେ ବିଭକ୍ତ କରାଯାଇଛି | ଜଣେ ଡିଏସପି ପ୍ରତ୍ୟେକ ଜୋନ୍ ଦାୟିତ୍ବରେ ଅଛନ୍ତି। ଏହାଛଡ଼ା ପ୍ରତି ସେକ୍ଟର ଦାୟିତ୍ବରେ ଜଣେ ଇନ୍ସପେକ୍ଟର୍ ଥିବା ଜଣାଯାଇଛି | ପୁରୀ ପୁଲିସ୍ ପକ୍ଷରୁ ୨୬ଟି ବ୍ଲକିଂ ପଏଣ୍ଟ ଚିହ୍ନଟ କରାଯାଇଛି ଏବଂ ସେଠାରେ ପୁଲିସ ନିୟୋଜିତ ହୋଇଛି | ସହରରେ ୨୦ଟି ମୋବାଇଲ୍ ପାର୍ଟି ଗତି କରୁଛି | ବାହାର ଗାଡ଼ିଗୁଡ଼ିକୁ ପୁରୀ ସହରକୁ ଛଡ଼ା ଯାଉନାହିଁ। ତେବେ ସ୍ବର୍ଗଦ୍ବାରକୁ ଯାଉଥିବା ଗାଡ଼ିକୁ ଛଡ଼ାଯାଉଛି।
ସମସ୍ତ ଖୋଲାଥିବା ଅନାବଶ୍ୟକ ଦୋକାନଗୁଡ଼ିକୁ ବନ୍ଦ କରାଯାଉଛି| ଆଜି ପୁରୀରେ ବସ୍ ଚଳାଚଳ ପ୍ରାୟତଃ ବନ୍ଦ ରହିଥିବା ଜଣାଯାଇଛି। ତେବେ ସକାଳେ ପୁରୀର ବଡ଼ଶଙ୍ଖଠାରେ ଥିବା ପରିବା ବଜାରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।
ସୂଚନାଯୋଗ୍ୟ, ‘କରୋନା’ ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ଶ୍ରୀମନ୍ଦିରରେ ଗତ ୨୦ ତାରିଖରୁ ଭକ୍ତଙ୍କ ଦର୍ଶନ ବନ୍ଦ କରି ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ ସଂପୂର୍ଣ୍ଣ ରୋକ୍ ଲଗାଯାଇଛି। ମହପ୍ରଭୁଙ୍କ ନୀତିକାନ୍ତି କିନ୍ତୁ ଯଥାରୀତି ଚାଲିଛି। ତଥାପି ଏହି ଭୂତାଣୁ ସଂକ୍ରମଣ ଆଶଙ୍କା ଥିବାରୁ ସେବାୟତଙ୍କ ଉପରେ ବି ନଜର ପକାଇଛି ଶ୍ରୀମନ୍ଦିର ପ୍ରଶାସନ। ଏଥିପାଇଁ ଥର୍ମାଲ୍‌ ସ୍କ୍ରିନିଂ ଆରମ୍ଭ ହୋଇଛି। ପୁଲିସ ଥର୍ମାଲ୍‌ ସ୍କ୍ରିନିଂ କରି ସେବାୟତଙ୍କୁ ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି ଦେଇଛି। କେବଳ ସିଂହଦ୍ବାରରେ ଏହି ଥର୍ମାଲ୍ ସ୍କ୍ରିନିଂ ବ୍ୟବସ୍ଥା କରାଯାଇଛି।
ଗତ ୧୫ ତାରିଖରୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଇଥିଲା ଶ୍ରୀମନ୍ଦିର ପ୍ରଶାସନ।

ଭକ୍ତଙ୍କୁ ଘୋଷଣାନାମା ଦେଇ ମନ୍ଦିର ପ୍ରବେଶ ଅନୁମତି ଦେଇଥିଲା। ଅରୁଣ ସ୍ତମ୍ଭ, ଗରୁଡ଼ ସ୍ତମ୍ଭ ସ୍ପର୍ଶ ଉପରେ ବି କଟକଣା ଲଗାଯାଇଥିଲା। ଏହାର କିଛିଦିନ ପରେ ଅର୍ଥାତ୍ ମାର୍ଚ୍ଚ ୨୦ରୁ ଭକ୍ତଙ୍କ ପ୍ରବେଶ ଉପରେ ସଂପୂର୍ଣ୍ଣ କଟକଣା ଲଗାଇଛି ପ୍ରଶାସନ। କିନ୍ତୁ ସେବାୟତଙ୍କ ଉପରେ ସେଭଳି କିଛି କଟକଣା ଲଗାଯାଇ ନଥିଲା। ସେବାୟତ ଚାହିଁଲେ ମାସ୍କ ପିନ୍ଧି ଶ୍ରୀମନ୍ଦିରକୁ ଯାଇ ନୀତିକାନ୍ତି କରିପାରିବେ ବୋଲି କୁହାଯାଇଥିଲା।

ସମ୍ବନ୍ଧିତ ଖବର