କୋଣାର୍କ : ଗତକାଲିଠାରୁ ଆରମ୍ଭ ହୋଇଥିବା ସୂର୍ଯ୍ୟ ମନ୍ଦିରରୁ ଲୁହା ପାଇପ୍ ଖୋଲା କାର୍ଯ୍ୟକୁ ଆଜି ଅସ୍ଥାୟୀ କର୍ମଚାରୀମାନେ ବନ୍ଦ କରିଦେଇଛନ୍ତି। ଦୀର୍ଘ ୧୫ ବର୍ଷରୁ ଅଧିକ ସମୟ ଧରି ମନ୍ଦିରରେ ଅସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟରତ ଥିବା ଶ୍ରମିକମାନଙ୍କୁ ଏଏସ୍ଆଇ କର୍ତ୍ତୃପକ୍ଷ ଏକ ପ୍ରକାର ଛଟେଇ କରିବା ଭଳି କାର୍ଯ୍ୟରୁ ଅନ୍ତର କରିଛନ୍ତି। ଏ ନେଇ ସର୍ବଭାରତୀୟ ପ୍ରତ୍ନତତ୍ତ୍ୱ ଶ୍ରମିକ ମହାସଂଘ ପକ୍ଷରୁ ଅଦାଲତରେ ଏକାଧିକ ମାମଲା ବିଚାରାଧୀନ ରହିଛି। ଏପରିକି ଦୀର୍ଘ ୧୫ ମାସରୁ ଅଧିକ ସମୟ ଧରି ରାଜ୍ୟର ବିଭିନ୍ନ ସ୍ଥାନରୁ ଛଟେଇ ହୋଇଥିବା ୧୨୦ ଜଣ କର୍ମଚାରୀ ପାଳି କରି ଆଜି ପର୍ଯ୍ୟନ୍ତ ଏଏସ୍ଆଇର ଭୁବନେଶ୍ବର ସର୍କଲ୍ ଅଫିସ୍ ସମ୍ମୁଖରେ ଧାରଣାରେ ବସିଛନ୍ତି। ଏଣେ ସୂର୍ଯ୍ୟ ମନ୍ଦିରରୁ ଲୁହା ପାଇପ୍ ଖୋଲିବା ପାଇଁ କାର୍ଯ୍ୟାଦେଶ ନେଇଥିବା ସଂସ୍ଥା ଅନ୍ୟସ୍ଥାନର ଅଣକୁଶଳୀ ଶ୍ରମିକଙ୍କୁ ଆଣି କାର୍ଯ୍ୟରେ ନିୟୋଜିତ କରିଛି। ଏ ସଂପର୍କରେ ସୂଚନା ପାଇବା ପରେ ଆଜି ଅସ୍ଥାୟୀ କର୍ମଚାରୀ ସଂଘର ନିରଞ୍ଜନ ଖୁଣ୍ଟିଆ, ବିଶ୍ବଜିତ ନାୟକ, ମୀନକେତେନ ଶତପଥୀ, ଦିଲୀପ ପ୍ରଧାନ, ବିରଞ୍ଚି ପାଣିଙ୍କ ସମେତ ବିଭିନ୍ନ ସ୍ଥାନର ୩୦ରୁ ଅଧିକ କର୍ମଚାରୀ କୋଣାର୍କରେ ପହଞ୍ଚି ଲୁହା ଭାରା ଖୋଲାଯିବା କାର୍ଯ୍ୟକୁ ବନ୍ଦ କରିଥିଲେ। ଏବେ ମାମଲା ଅଦାଲତରେ ବିଚାରାଧୀନ ଥିବାରୁ ଏବଂ ସେମାନଙ୍କୁ କାର୍ଯ୍ୟରେ ନିୟୋଜିତ ନକରି ଅନ୍ୟସ୍ଥାନର ଶ୍ରମିକଙ୍କୁ କାର୍ଯ୍ୟରେ ମୁତୟନ କରାଯାଇଥିବାରୁ ସେମାନେ କାର୍ଯ୍ୟ ବନ୍ଦ କରିଛନ୍ତି ବୋଲି ଅସ୍ଥାୟୀ କର୍ମଚାରୀ ସଂଘର କାର୍ଯ୍ୟକର୍ତ୍ତା କହିଛନ୍ତି।
ସୂର୍ଯ୍ୟ ମନ୍ଦିରରୁ ଲୁହା ପାଇପ୍ ଖୋଲାଯିବା ପ୍ରସଙ୍ଗ : ଲୁହା ଭାରା ଖୋଲା ବନ୍ଦ କଲେ ଅସ୍ଥାୟୀ କର୍ମଚାରୀ
/sambad/media/post_attachments/wp-content/uploads/2019/12/konark-asthai-karmachari-nka-dwara-karjiya-banada.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)