ପୁରୀ : ପୁରୀ ସ୍ବର୍ଗଦ୍ବାର ଆଧୁନିକୀକରଣ ପାଇଁ ଗତକାଲି ଠାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ପୁଲିସ ସୁରକ୍ଷାରେ ବୁଲ୍ଡୋଜର୍ ଲଗାଯାଇ ଗତକାଲି ସ୍ବର୍ଗଦ୍ବାର ପରିସରରେ ଥିବା ପଥ ଶ୍ରାଦ୍ଧ ଗୃହ ଭଙ୍ଗାଯାଇଛି। ତେବେ ଉଚ୍ଛେଦ ଚାଲିଥିବା କାରଣରୁ ଆଜି ସ୍ବର୍ଗଦ୍ବାରରେ ଶବଦାହ ସଂଖ୍ୟା ଆଶାତୀତ ହ୍ରାସ ପାଇଥିଲା। ପ୍ରତିଦିନ ଏଠାରେ ୭୦ ରୁ ୮୦ ଶବ ଦାହ ହେଉଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ସ୍ବର୍ଗଦ୍ବାରରେ ଶବ ଦାହ ସଂଖ୍ୟା ୧୦ ବି ଡେଇଁନଥିଲା।
ଅନ୍ୟ ପକ୍ଷରେ ଏହାକୁ ନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ କହିଛନ୍ତି, ଉଚ୍ଛେଦ ଯୋଗୁ ଶବ ଦାହ ଅଟକିବ ନାହିଁ। ଶବଦାହ ପ୍ରକ୍ରିୟାରେ କିଭଳି ବାଧା ନ ଉପୁଜିବ ସେଥିପ୍ରତି ଦୃଷ୍ଟି ଦିଆଯାଉଛି। ସେଥିପାଇଁ ପର୍ଯ୍ୟାୟ କ୍ରମେ ଉଚ୍ଛେଦ ଓ ବିକାଶ କରାଯିବାର ଯୋଜନା ହୋଇଛି। ଏଥି ପାଇଁ ସ୍ବର୍ଗଦ୍ବାରରେ ଶବ ଦାହ କରିବାକୁ ଚାହୁଁଥିବା ମୃତକଙ୍କ ପରିବାର ସେମାନଙ୍କ ଆତ୍ମୀୟଙ୍କ ଶବ ଆଣି ଏଠାରେ ବିନା ବାଧାରେ ଦାହ କରିପାରିବେ। ସ୍ବର୍ଗଦ୍ବାରରେ ଉଚ୍ଛେଦ ବେଳେ ଶବ ଦାହ ପ୍ରକ୍ରିୟା ସ୍ବାଭାବିକ ରହିବ ବୋଲି ଜିଲ୍ଲାପାଳ କହିଛନ୍ତି। ସ୍ବର୍ଗଦ୍ବାରରେ ଉଚ୍ଛେଦ କାମ ଆଜି ଦ୍ବିତୀୟ ଦିନରେ ସେଭଳି କିଛି ଅଗ୍ରଗତି ଘଟିନାହିଁ। ଯେତିକି ଉଚ୍ଛେଦ ହେବ ସେତିକି ସ୍ଥାନରେ ବିକାଶ ହେବା ପରେ ଅନ୍ୟ ଜାଗାରେ ଉଚ୍ଛେଦ ହେବ ବୋଲି ଜଣାପଡ଼ିଛି। ସେ ପଟେ ଶବଦାହ ପ୍ରକିୟାରେ ଯେଭଳି କିଛି ସମସ୍ୟା ନ ଉପୁଜେ ସେଥିପାଇଁ କର୍ମଚାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।