ମାଟିରେ ମିଶିଲା ୭୨ ଲକ୍ଷର ସ୍ୱର୍ଗଦ୍ୱାର ଚିମିନି, ୭୨ ଶବ ବି ଜଳିଲାନି

ପୁରୀ : ସ୍ବର୍ଗଦ୍ବାରର ବିକାଶ କରିବାକୁ ୫ ବର୍ଷ ତଳେ ୭୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଶବଦାହ ଚିମିନିକୁ ଜିଲ୍ଲା ପ୍ରଶାସନ ଆଜି ମାଟିରେ ମିଶାଇ ଦେଇଛି। ଯାହାକୁ ନେଇ ଚାରିଆଡ଼େ ସମାଲୋଚନାର ସ୍ବର ଉଠିଛି। ସରକାରୀ ଅର୍ଥ ଅପବ୍ୟୟର ଏହା ଜ୍ବଳନ୍ତ ଉଦାହରଣ ବୋଲି ସାଧାରଣରେ ମତପ୍ରକାଶ ପାଇଛି। କାରଣ ୭୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଚିମିନିରେ ଆଜି ପର୍ଯ୍ୟନ୍ତ ୭୨ଟି ଶବ ବି ଦାହହୋଇନି। ଅପର ପକ୍ଷେ ପ୍ରଶାସନ ଏହାକୁ ଭାଙ୍ଗି ଦେଇ ଲୁହା ଦରରେ ବିକ୍ରି କରିଦେବାକୁ ଯୋଜନା କରିଛି।

ଭଙ୍ଗା କାର୍ଯ୍ୟରେ ନିୟୋଜିତ ସଂସ୍ଥାକୁ ଏହା ଟେକିଦେବାକୁ ବସିଛି। ସ୍ବର୍ଗଦ୍ବାରରେ ୨୦୧୫ ମସିହାରେ ୭୨ ଲକ୍ଷ ଟଙ୍କା ବ୍ୟୟରେ ଏହି ଚିମିନି ନିର୍ମାଣ କରାଯାଇଥିଲା। ଯାହାର ପ୍ରମୁଖ ଲକ୍ଷ୍ୟ ଥିଲା ସ୍ବର୍ଗଦ୍ବାର ଓ ଏହାର ଆଖପାଖ ଅଞ୍ଚଳକୁ ପ୍ରଦୂଷଣମୁକ୍ତ କରିବା। ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ ପ୍ରଦୂଷଣକୁ ନେଇ ଚିନ୍ତାପ୍ରକଟ କରିବା ପରେ ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପର ନିର୍ମାଣ କରାଯାଇଥିଲା। ଯେହେତୁ ସ୍ବର୍ଗଦ୍ବାରକୁ ଦୈନିକ ବହୁ ସଂଖ୍ୟାରେ ଶବଦାହ ପାଇଁ ଆସେ, ସେହି ଦୃଷ୍ଟିରୁ ଶବଦାହରୁ ନିର୍ଗତ ଧୂଆଁକୁ ରୋକିବା ପାଇଁ ଏହି ଚିମିନି ସ୍ଥାପନ କରାଯାଇଥିଲା। ଚିମିନିର ପ୍ରମୁଖ ଉଦ୍ଦେଶ୍ୟ ରହିଥିଲା, ନିର୍ଗତ ଧୂଆଁର ପରିମାଣ କମାଇବା। ଆରମ୍ଭରୁ ଚିମିନ ସହାୟତାରେ ଶବଦାହ କାର୍ଯ୍ୟ ବି ଆରମ୍ଭ ହେଲା। କିନ୍ତୁ ପରବର୍ତ୍ତୀ ସମୟରେ ପ୍ରଶାସନର ଅଣଦେଖା କାରଣରୁ ଏହା ଅଚଳ ହୋଇପଡ଼ିଥିଲା। ଆଜି ପର୍ଯ୍ୟନ୍ତ ବି ଏହା ଅଚଳାବସ୍ଥାରେ ପଡ଼ି ରହିଥିଲା। ଏହାର ମରାମତି କଥା ବି କେହି ଚିନ୍ତା କଲେନି। ଶେଷରେ ସମୁଦ୍ରର ଲୁଣି ପବନ ମାଡ଼ରେ ଏଥିରେ କଳଙ୍କି ଲାଗିଥିଲା। ବଡ଼ ବଡ଼ ଲୁହା ଯନ୍ତ୍ରାଂଶ ଏଠାରେ ନିୟୋଜିତ କର୍ମଚାରୀ ଓ ଲୋକେ ଚୋରି କରି‌ ନେଲେ। ଶେଷରେ ଏହି ୭୨ ଲକ୍ଷ ଟଙ୍କାର ପ୍ରକଳ୍ପ ମାଟିରେ ମିଶିଛି। ଯେଉଁ ମହତ ଉଦ୍ଦେଶ୍ୟ ନେଇ ଏହି ପ୍ରକଳ୍ପ ନିର୍ମାଣ କରାଯାଇଥିଲା, ତାହା ପୁଣି ଥରେ ସ୍ବପ୍ନ ପାଲଟିଯାଇଛି। ଆଜି ଜେସିବି ଲଗାଇ ଏହି ପ୍ରକଳ୍ପକୁ ଭାଙ୍ଗି ଦିଆଯାଇଛି। ବଡ଼ ବଡ଼ ଲୁହା ଯନ୍ତ୍ରାଂଶ ସବୁକୁ ଉପାଡ଼ି ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର