‘କରୋନା’ ପ୍ରଭାବ : ସ୍ବର୍ଗଦ୍ବାରରେ ୧୦କୁ ଖସିଲା ଶବଦାହ ସଂଖ୍ୟା

ପୁରୀ : ‘କରୋନା’ ଭୂତାଣୁର ପ୍ରଭାବ ସ୍ବର୍ଗଦ୍ବାର ଉପରେ ବି ପଡ଼ିଛି। ଯେଉଁଥିପାଇଁ ଏଠାରେ ଶବଦାହ ସଂଖ୍ୟା ହଠାତ୍ ୧୦ ତଳକୁ ଖସିଆସିଛି। ଗତକାଲି ବି ସମାନ ଅବସ୍ଥା ଦେଖିବାକୁ ମିଳିଥିଲା। ମାତ୍ର ୭/୮ଟି ଶବ ଦାହ ପାଇଁ ଆସିଥିଲା। ଆଜି ବି ସମାନ ସ୍ଥିତି ଦେଖିବାକୁ ମିଳିଛି। ବିଶେଷକରି ବାହାର ଜିଲ୍ଲାରୁ ଶବ ଦାହ ପାଇଁ ଆସୁ ନଥିବାରୁ ଏଭଳି ପରିସ୍ଥିତି ଦେଖାଦେଇଛି। ଧାର୍ମିକ ଭାବନା ସହ ଜଡ଼ିତ ସ୍ବର୍ଗଦ୍ବାରରେ ଏଭଳି ପରିବେଶ କେବେ‌ ବି ଦେଖିବାକୁ ମିଳିନଥିଲା। ଆଜି ସ୍ବର୍ଗଦ୍ବାରରେ ଏଭଳି ଖାଁ ଖାଁ ପରିବେଶ ସାଧାରଣରେ ଆଲୋଚନାର ବିଷୟ ପାଲଟିଛି।

ସ୍ବର୍ଗଦ୍ବାରକୁ ଦୈନିକ ୭୦ ରୁ ୮୦ଟି ଶବ ଦାହ ପାଇଁ ଆସିଥାଏ। ଅନେକ ସମୟରେ ଏହା ଶହେ ବି ଟପିଯାଏ। ସରକାରୀ ସୂତ୍ରରୁ ମିଳିଥିବା ତଥ୍ୟ ମୁତାବକ, ୨୦୧୫-୧୬ ଆର୍ଥିକ ବର୍ଷରେ ସ୍ବର୍ଗଦ୍ବାରରେ ୧୪ ହଜାର ୨୦୦ ଶବଦାହ ହୋଇଥିଲା। ସେହିଭଳି ୨୦୧୬-୧୭ ଆର୍ଥିକ ବର୍ଷରେ ୧୭ ହଜାର ୨୦୧ଟି, ୨୦୧୭-୧୮ ଆର୍ଥିକ ବର୍ଷରେ ୧୮ ହଜାର ୪୨୩ଟି, ୨୦୧୮-୧୯ ଆର୍ଥିକ ବର୍ଷ ୧୮ହଜାର ୨୨୯ଟି ଶବଦାହ ହୋଇଥିଲା। ୨୦୧୯-୨୦ ଆର୍ଥିକ ବର୍ଷରେ ଏହି ସଂଖ୍ୟା ୧୯ ହଜାର ଡେଇଁ ସାରିଥିଲା। ଶେଷ ଆଡ଼କୁ ଉଚ୍ଛେଦ କାରଣରୁ କିଛିଟା ପ୍ରଭାବ ପଡ଼ିଥିଲେ ମଧ୍ୟ ସେତେଟା ସଂଖ୍ୟା କମିନଥିଲା। କିନ୍ତୁ ‘କରୋନା’ ଏଥିରେ ସଂପୂର୍ଣ୍ଣ ରୋକ୍ ଲଗାଇ ଦେଇଛି। ଭୟରେ ଲୋକେ ଆଉ ଶବଦାହ ପାଇଁ ଆସୁନାହାନ୍ତି। କେବଳ ଜିଲ୍ଲା ଭିତର ଶବଦାହ ଯାହା ଆସୁଛି। ଅନେକ ସମୟରେ ଜିଲ୍ଲା ଭିତର ଶବ ବି ଦାହ ପାଇଁ ଆସୁନି। ଯେଉଁଥି ପାଇଁ ଏଠାରେ ଶବଦାହ ସଂଖ୍ୟା ୧୦କୁ ଖସି ଆସିଛି।

ସମ୍ବନ୍ଧିତ ଖବର