ସ୍ୱର୍ଗଦ୍ୱାର ବନ୍ଦକୁ ମାସେ… : ହାଇକୋର୍ଟରେ ଗଡ଼ୁଛି ମାମଲା, ସାଯୁଜ୍ୟ ମୁକ୍ତି ଅପେକ୍ଷାରେ ମରଶରୀର

ପୁରୀ ଜିଲ୍ଲାରେ ବଢ଼ିଚାଲିଛି ସଂକ୍ରମଣ

ପୁରୀ : ସ୍ୱର୍ଗଦ୍ୱାରରେ ଶବ ସଂସ୍କାର ହେଲେ ସାଯୁଜ୍ୟ ମୁକ୍ତି ମିଳେ। ମଣିଷ ଆଉ ପୁନର୍ଜନ୍ମ ପାଏ ନାହିଁ। ଯୁଗ ଯୁଗରୁ ଏ ଧାର୍ମିକ ବିଶ୍ବାସକୁ ଆଧାର କରି ରାତି ଦିନ ୨୪ ଘଣ୍ଟା ପୁରୀ ସ୍ବର୍ଗଦ୍ବାରରେ ଶବ ଜଳୁଥାଏ। ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତିଦିନ ଶତାଧିକ ଶବ ସଂସ୍କାର ପାଇଁ ପୁରୀ ସ୍ବର୍ଗଦ୍ବାରକୁ ଆସିଥାଏ। ଆତ୍ମୀୟମାନେ ସ୍ବର୍ଗଦ୍ବାରରେ ନିଜ ସଂପର୍କୀୟଙ୍କ ଦାହ କରାଇ ପୁଣ୍ୟ କଲେ ବୋଲି ବିଚାର କରନ୍ତି। ଏପରିକି କିଛି ବ୍ୟକ୍ତିଙ୍କର ଏହା ମଧ୍ୟ ଶେଷ ଇଚ୍ଛାଥା‌ଏ। ଯାହା ଏବେ ଆଉ ପୂରଣ ହୋଇପାରୁନାହିଁ। କେବଳ ପୁରୀ ଜିଲ୍ଲାରେ ଜନ୍ମିତ ଲୋକଙ୍କୁ ଏ ସୌଭାଗ୍ୟ ମିଳୁଥିବା ବେଳେ ଅନ୍ୟମାନେ ଏଥିରୁ ବଂଚିତ ରହୁଛନ୍ତି।

କୋଭିଡ ସଂକ୍ରମଣ ବୃଦ୍ଧି ଯୋଗୁଁ ସ୍ୱର୍ଗଦ୍ୱାରକୁ ଏକ ମାସ ହେବ ବନ୍ଦ ରଖାଯାଇଛି। ସ୍ୱର୍ଗଦ୍ୱାର ପୁଣି କେବେ ଖୋଲିବ ତାହା ମଧ୍ୟ ଆଶଙ୍କା ଭିତରେ ରହିଛି। ଗତ ଜୁଲାଇ ୭ ତାରିଖ ଦିନ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ କୋଭିଡ ସଂକ୍ରମଣ ବଢ଼ୁଥିବା କାରଣରୁ ସ୍ବର୍ଗଦ୍ବାରରେ ବାହାର ଜିଲ୍ଲାର ଶବ ସଂସ୍କାର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଜୁଲାଇ ୮ ତାରିଖ ଦିନରୁ ଏହା କାର୍ଯ୍ୟକାରୀ କରାଗଲା। ଇତିମଧ୍ୟରେ ସ୍ବର୍ଗଦ୍ବାର ବନ୍ଦ ହେବାକୁ ମାସେ ପୂରିଥିଲେ ବି ଏବେ ଏଠାରେ ଅନ୍ୟ ଜିଲ୍ଲା ଲୋକଙ୍କୁ ଅନୁମତି ମିଳୁନାହିଁ। ସ୍ବର୍ଗଦ୍ବାରକୁ ନେଇ ହାଇକୋର୍ଟରେ ମାମଲା ବିଚାରାଧୀନ ଥିବାରୁ ଜିଲ୍ଲାପାଳ ଏ ନେଇ କିଛି ନିଷ୍ପତ୍ତି ନେଇପାରୁନାହାନ୍ତି। ଅର୍ଥାତ ଏବେ ହାଇକୋର୍ଟ ଚାହିଁଲେ ସ୍ବର୍ଗଦ୍ବାରରେ ଅନ୍ୟ ଜିଲ୍ଲାର ଶବକୁ ସଂସ୍କାର ପାଇଁ ଅନୁମତି ମିଳିବ ନହେଲେ ନାହିଁ।

Mycitylinks

ସୂଚନା ମୁତାବକ ସ୍ବର୍ଗଦ୍ବାର ବନ୍ଦ ହେବା ପରେ ଏହାକୁ ନେଇ ଗତ ଜୁଲାଇ ୧୩ ତାରିଖ‌ରେ କଟକ ନେତାଜୀ ନଗରର ସଂଜୀବ କୁମାର ଚିନ୍ନାରା ନାମକ ଜଣେ ବ୍ୟକ୍ତି ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ମାନ୍ୟବର ହାଇକୋର୍ଟ ଜୁଲାଇ ୧୭ ତାରିଖରେ ଏହାର ପ୍ରାରମ୍ଭିକ ଶୁଣାଣି କରିବା ସହ କେନ୍ଦ୍ର ସରକାର, ବିପର୍ଯ୍ୟୟ ପରିଚାଳନା, ଏସ୍‌ଆର୍‌ସି ଓ ପୁରୀ ଜିଲ୍ଲାପାଳଙ୍କୁ ଏ ନେଇ ନୋଟିସ କରିଥିଲେ। ଆସନ୍ତା ଅଗଷ୍ଟ ୧୨ ତାରିଖରେ ଏହାର ପରବର୍ତ୍ତୀ ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସ୍ବର୍ଗଦ୍ବାରକୁ ଅନ୍ୟ ଜିଲ୍ଲାର ଲୋକଙ୍କୁ ସୁଯୋଗ ମିଳିବ କି ନାହିଁ ତାହା ଧାର୍ଯ୍ୟ ହେବ। ଅନ୍ୟପକ୍ଷରେ, ପୁରୀ ଜିଲ୍ଲାରୁ ସ୍ବର୍ଗଦ୍ବାରକୁ ଆସୁଥିବା ଶବ ଓ ଏହାର ସଂସ୍କାର ବେଳେ ନିୟମକୁ କଡ଼ାକଡ଼ି କରାଯାଇ ନାହିଁ । ସଂସ୍କାର ପୂର୍ବରୁ ମର ଶରୀରର କୋଭିଡ ପରୀକ୍ଷାକୁ ବାଧ୍ୟତାମୂଳକ କରାଯାଇନାହିଁ। ‌

ଏଭଳି କିଛି ଘଟଣା ମଧ୍ୟ ନଜରକୁ ଆସିଛି। ପୁରୀ ବଡଶଙ୍ଖ ଗଜପତି ନଗର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ପୁରୀର ଏକ ଘ‌ରୋଇ ମେଡିକାଲରେ ମୃତ୍ୟୁ ହୋଇଥିଲା। ତାଙ୍କ ଶବର ଅନ୍ତିମ ସଂସ୍କାର ପାଇଁ ସ୍ୱର୍ଗଦ୍ୱାର ନିଆଯାଇଥିଲା। ମାତ୍ର ମୃତ୍ୟୁ ‌ହେବାର ପରଦିନ ସଂପୃକ୍ତ ବ୍ୟକ୍ତିଙ୍କ ରିପୋର୍ଟ କରୋନା ପଜିଟିଭି ଆସିଥିଲା।

ଫଳରେ ସ୍ୱର୍ଗଦ୍ୱାରକୁ ଶବ ନେଇଥିବା ଶବ ବାହାକ ଓ ଅନ୍ୟମାନେ ସଙ୍ଗରୋଧରେ ରହିଥିଲେ। ଏହା ଏକମାତ୍ର ଉଦାହରଣ ହୋଇଥିଲେ ହେଁ ଏଭଳି ଅନେକ ଘଟଣା ଥିବ। ପୁରୀ ଜିଲ୍ଲାରେ ବି କରୋନା ସଂକ୍ରମଣ ହାର ଅନ୍ୟ ଜିଲ୍ଲା ଠାରୁ କମ ନାହିଁ। ସଂକ୍ରମଣ ଦୃଷ୍ଟିରୁ ସଂପୂର୍ଣ୍ଣ ବନ୍ଦ ନକରି ଅନ୍ୟ ଜିଲ୍ଲାକୁ ବାରଣ କରିଥିବାରୁ ଏହାକୁ ନେଇ ବିବାଦୀୟ ପରିସ୍ଥିତି ଉପୁଜିଛି।

ସମ୍ବନ୍ଧିତ ଖବର