ପୁରୀ : ଶ୍ରୀମନ୍ଦିର ଭଳି ସ୍ବର୍ଗଦ୍ବାର କୋଟି କୋଟି ଓଡ଼ିଆ ତଥା ହିନ୍ଦୁ ଧର୍ମାବଲମ୍ବୀଙ୍କ ଧାର୍ମିକ ଭାବାବେଗ ସହ ଜଡ଼ିତ। ସ୍ବର୍ଗଦ୍ବାରରେ ଶବଦାହ କଲେ ମୃତବ୍ୟକ୍ତିଙ୍କ ସ୍ବର୍ଗପ୍ରାପ୍ତିର ଅଗାଧ ବିଶ୍ବାସ ରହିଛି। ଏହି ବିଶ୍ବାସର ସହ ଦୈନିକ ଶହ ଶହ ସଂଖ୍ୟାରେ ଶବ ସ୍ବର୍ଗଦ୍ବାରକୁ ଦାହ ପାଇଁ ଆସୁଛି। କିନ୍ତୁ ସ୍ବର୍ଗଦ୍ବାରରେ ସ୍ଥାନାଭାବ ଶବଦାହରେ ଅନ୍ତରାୟ ସୃଷ୍ଟି କରୁଛି। ଆତ୍ମୀୟସ୍ବଜନଙ୍କୁ ମୃତଦେହ ଧରି ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି।

Advertisment

ସ୍ବର୍ଗଦ୍ବାରର ସବୁଠୁ ବଡ଼ ସମସ୍ୟା ହେଲା ଜବରଦଖଲ। ବଡ଼ ବଡ଼ ହୋଟେଲ ମାଲିକ, ସେବାୟତ, ରାଜନେତାମାନେ ସ୍ବର୍ଗଦ୍ବାର ଜମିକୁ ମାଡ଼ି ବସିଛନ୍ତି। ଏହି ଜବରଦଖଲକୁ ଉଚ୍ଛେଦ ନ କରି ସରକାର ବିକାଶର ନକ୍ସା ଆଙ୍କିଛନ୍ତି। ଯେଉଁ ସ୍ବଳ୍ପ ଜାଗା ରହିଥିଲା, ସେଥିରୁ ଅଳ୍ପ କିଛି ଜାଗା ଦୈନନ୍ଦିନ ଶବଦାହ ପାଇଁ ଛାଡ଼ି ବାକି ଜାଗାରେ ବିକାଶ କାର୍ଯ୍ୟ କରାଯାଉଛି। ଯଦ୍ବାରା ସ୍ବର୍ଗଦ୍ବାରରେ ଶବଦାହର ସ୍ଥାନାଭାବ ଦେଖାଦେଇଛି। ଯେଉଁଥିପାଇଁ ଦୈନନ୍ଦିନ ଦାହ ପୂର୍ବରୁ ଶବକୁ ଧାଡ଼ିରେ ରହିବାକୁ ପଡ଼ୁଛି।

publive-image

ମିଳିଥିବା ସୂଚନା ମୁତାବକ, ୧୯୮୮ ମସିହାରେ ପୁରୀ ପୌରସଂସ୍ଥାକୁ ସ୍ବର୍ଗଦ୍ବାର ନାଁ’ରେ ଏକ ଏକର ଜମି ଦିଆଯାଇଥିଲା। କାଳକ୍ରମେ ଏହି ଜମିରୁ ଅର୍ଧାଧିକ ଜଣାଶୁଣା ସେବାୟତ, ରା‌ଜନେତା, ହୋଟେଲ ମାଲିକମାନେ ଜବରଦଖଲ କରି ନେଇଥିଲେ। ଏକ ଏକର ଜାଗାରୁ ୫୩୫ ଡେସିମିଲ୍ ଜାଗା ଜବରଦଖଲକୁ ଚାଲି ଯାଇଥିଲା। ଯେଉଁଠି ଏବେ ବି ବଡ଼ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ ଠିଆ ହୋଇଛି। କେଉଁଠି ହୋଟେଲ ତ’ କେଉଁଠି ଗେଷ୍ଟ ହାଉସ୍, ପୁଣି କେଉଁଠି ମଦ ଦୋକାନ। ମାତ୍ର ୪୬୫ ଡେସିମିଲ୍ ଜାଗାରେ ଅନ୍ତିମ ସଂସ୍କାର ସହ ଅନ୍ୟାନ୍ୟ କାର୍ଯ୍ୟ କରାଯାଉଛି। ଜବରଦଖଲକୁ ନେଇ ଅତୀତରେ ରାଜରାସ୍ତାକୁ ଓହ୍ଲାଇଥିଲେ ବିଭିନ୍ନ ସଂଗଠନ, ରାଜନୈତିକ ଦଳ। ସେ ସମୟରେ ରାଜ୍ୟସ୍ତରରେ ବି ଏହି ପ୍ରସଙ୍ଗ ସରକାରଙ୍କୁ ଦୋହଲାଇ ଦେବା ଭଳି ପରିସ୍ଥିତି ସୃଷ୍ଟି କରିଥିଲା।

ଘଟଣାକୁ ନେଇ ତୁମ୍ବିତୋଫାନ ପରେ ସ୍ବର୍ଗଦ୍ବାର ଓ ଏହା ସଂଲଗ୍ନ ପ୍ରାୟ ୩୦ ଏକର ସରକାରୀ ଜମିର ମାପଚୁପ ଆରମ୍ଭ ହୋଇଥିଲା। ଏହି ଜମିକୁ ନେଇ ବିବାଦ ଦେଖାଦେବା ପରେ ଶ୍ରୀମନ୍ଦିର ପ୍ରଶାସନର ବି ନିଦ ଭାଙ୍ଗିଥିଲା। ସେ ସମୟରେ ଶ୍ରୀମନ୍ଦିର ପ୍ରଶାସନ ବି ନିଜ ଜାଗାକୁ ଦଖଲକୁ ନେବାକୁ ଉଦ୍ୟମ ଆରମ୍ଭ କରିଥିଲା। ପୁରୀ ତହସିଲଦାରଙ୍କ କୋର୍ଟରେ ଏହି ମାମଲାର ବିଚାର ହୋଇଥିଲା। କେଉଁ କେଉଁ ପ୍ରଭାବଶାଳୀ ବ୍ୟକ୍ତିମାନେ ଏହି ଜାଗାକୁ ଜବରଦଖଲରେ ରଖିଥିଲେ, ତାହାର ବି ଖୁଲାସା ହୋଇଥିଲା। ଏହି ପ୍ରସଙ୍ଗ ଏବେ ହଜିଯିବାକୁ ବସିଛି। ବହୁ ବାଦବିବାଦ ଭିତରେ ସରକାର ସ୍ବର୍ଗଦ୍ବାରର ବିକାଶ କଥା ଚିନ୍ତା କରିଛନ୍ତି ସତ, କିନ୍ତୁ ସ୍ବର୍ଗଦ୍ବାର ନାଁରେ ଥିବା ଜମିକୁ ପୁନଃ ଫେରାଇ ଆଣିବା ଦିଗରେ କାଣିଚିଆ ବି ଉଦ୍ୟମ ଆରମ୍ଭ କରିନାହାନ୍ତି। କାଳକ୍ରମେ ସ୍ବର୍ଗଦ୍ବାର ପ୍ରଶସ୍ତ ବଦଳରେ ସଂକୁଚିତ ହେବାରେ ଲାଗିଛି। ଏହା ଭିତରେ ସ୍ବର୍ଗଦ୍ବାରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୫ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା ପରେ ଓବିସିସି ଜରିଆରେ ବିକାଶ କାର୍ଯ୍ୟ ଜାରି ରହିଛି। କିନ୍ତୁ ଉନ୍ନୟନ କାର୍ଯ୍ୟରେ ବିଳମ୍ବ ଲୋକଙ୍କ ଯନ୍ତ୍ରଣା ବଢ଼ାଇବାରେ ଲାଗିଛି। ବିକାଶ କାର୍ଯ୍ୟ ପୂର୍ବରୁ ସ୍ବର୍ଗଦ୍ବାରରେ ଏକକାଳୀନ ପ୍ରାୟ ୫୦ଟି ଶବ ଦାହ ହୋଇ ପାରୁଥିଲା। କିନ୍ତୁ ଏବେ ଅଳ୍ପ କିଛି ସ୍ଥାନ ଦୈନନ୍ଦିନ ଶବଦାହ ପାଇଁ ଛାଡ଼ି ଅର୍ଧାଧିକ ଜାଗାରେ ଉନ୍ନୟନ କାର୍ଯ୍ୟ ଜାରି ରହିଛି। ଫଳସ୍ବରୂପ ଯେଉଁଠି ପ୍ରାୟ ୫୦ଟି ଶବ ଏକକାଳୀନ ଦାହ ହେଉଥିଲା, ସେଠି ଏବେ ଅତିବେଶିରେ ୧୬ଟି ଶବଦାହ ସମ୍ଭବ ହୋଇପାରୁଛି।

publive-image

କୋଭିଡ୍‌ କଟକଣା ବେଳେ ଏହି ବ୍ୟବସ୍ଥା ଚଳିଯାଉଥିଲା। କିନ୍ତୁ କୋଭିଡ୍‌ କଟକଣା ହଟିବା ପରେ ଶବଦାହ ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସ୍ଥିତିରେ ଦୈନିକ ୭୦ରୁ ୯୦ ପର୍ଯ୍ୟନ୍ତ ଶବ ଦାହ ପାଇଁ ଆସୁଛି। ଯାହା ଜଟିଳ ପରିସ୍ଥିତି ସୃଷ୍ଟି କରିଛି। ଲୋକେ ଶବକୁ ଧରି ଲମ୍ବାଧାଡ଼ିରେ ରହୁଛନ୍ତି। ଗୋଟିଏ ଗୋଟିଏ ଶବଦାହ ପାଇଁ ୨ରୁ ୩ ଘଣ୍ଟା ସମୟ ଲାଗିଯାଉଛି। ସେପଟେ ଯେଉଁଭଳି ଢ଼ଙ୍ଗରେ ସ୍ବର୍ଗଦ୍ବାରରେ ଶବଦାହ ପାଇଁ ବିକାଶ କାର୍ଯ୍ୟ କରାଯାଉଛି, ତାହା ବି ଆଗକୁ ସମସ୍ୟା ସୃଷ୍ଟି କରିବ ବୋଲି ଶବଦାହକମାନେ ମତ ଦେଇଛନ୍ତି।