ପୁରୀ : ପୁରୀରେ ବଗଲା ଧର୍ମଶାଳାକୁ ବିସ୍ଥାପିତଙ୍କୁ ବିକ୍ରି କରିବାକୁ ନେଇ ଗତ ୧୮ ଦିନ ହେବ ଆନ୍ଦୋଳନ ଚାଲିଛି। ବଗଲା ଜମିକୁ ଫେରାଇ ଆଣିବା ଓ ଏଠାରେ ଗରିବଙ୍କ ପାଇଁ ଏକ ଧର୍ମଶାଳା ନିର୍ମାଣ କରିବାକୁ ଜୋରଦାର ଆନ୍ଦୋଳନ ଚାଲିଛି। ଏହି ପ୍ରସଙ୍ଗକୁ ଜନସାଧାରଣଙ୍କ ସମର୍ଥନ ମଧ୍ୟ ରହିଛି। ବଗଲା ଧର୍ମଶାଳା ପ୍ରସଙ୍ଗ ସହିତ ଭାବାବେଗ ଥିବା କାରଣରୁ ବିଜେପି ଏହି ଆନ୍ଦୋଳନକୁ ଆଗକୁ ନେଇଛି। ଏପରିସ୍ଥଳେ ସ୍ବର୍ଗଦ୍ବାରର ମୋଟ ୧୬ ଏକର ଜମିକୁ ହଡ଼ପ କରିଥିବା ନେତା, ବ୍ୟବସାୟୀ ମୂଳ ଶ୍ମଶାନ ଜମିକୁ ମଧ୍ୟ ଛାଡ଼ିନଥିବା ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ୧୬ ଏକର ପରିମିତ ସ୍ବର୍ଗଦ୍ବାର ଜମି ଏବେ ମାତ୍ର ୪୬ ଡେସିମିଲ୍ରେ ସୀମିତ ହୋଇ ରହିଛି। ଏବେ ସେହି ୪୬ ଡେସିମିଲ ଜମିର ଆଧୁନିକୀକରଣ ଚାଲୁଛି। ଯାହା ପର୍ଯ୍ୟାପ୍ତ ତଥା ଫଳପ୍ରଦ ହେବ ନାହିଁ ବୋଲି କୁହାଯାଉଛି। ସ୍ବର୍ଗଦ୍ବାର ଜମି ଦୁର୍ନୀତିକୁ ନେଇ ଏକ ବିସ୍ତୃତ ତଦନ୍ତ ରିପୋର୍ଟ ଥିଲେ ବି ଏହାକୁ ଗାଏବ କରି ଦିଆଯାଇଛି। ପ୍ରଭାବଶାଳୀ, ରାଜନେତା, ଅଫିସର ଓ ବ୍ୟବସାୟୀମାନେ ଏହି ଜମିକୁ ମାଡ଼ି ବସିଥିବାରୁ ସବୁ ତଥ୍ୟ ପ୍ରମାଣ ଥାଇ ବି ଏହି ଫାଇଲକୁ ଖୋଲାଯାଉନଥିବା ଅଭିଯୋଗ ହେଉଛି।
ତଥ୍ୟ ମୁତାବକ, ୧୮୯୯ ହାଲ ରେକର୍ଡରେ ବାଲିସାହି ମୌଜାରେ ଖାତା ନମ୍ବର ୩୩ରେ ମୋଟ ୩୦ ଏକର ୧୦୦ ଡେସିମିଲ, ୮୫୩ ନମ୍ବର ପ୍ଲଟରେ ୧୬ ଏକର ୪୦ ଡେସିମିଲ ଜମି ସ୍ବର୍ଗଦ୍ବାର ଶ୍ମଶାନ ଭାବେ ବ୍ୟବହୃତ ହେଉଥିଲା। ଏହି ଜମିର ମାଲିକାନା ଶ୍ରୀ ଜଗନ୍ନାଥ ମହାପ୍ରଭୁ, ମାର୍ଫତ ଶଙ୍କର ମଧୁସୂଦନ, ତୀର୍ଥ ସ୍ବାମୀ ଗୁରୁ ଦାମୋଦର ତୀର୍ଥସ୍ବାମୀ ଜାତି ବୈଷ୍ଣବ, ବାଲିସାହି ପୁରୀ ନାମରେ ରେକର୍ଡ ଥିଲା। ୧୯୮୯-୯୦ରେ ପ୍ରକାଶିତ ହାଲ ଖାତା ନମ୍ବର ୮୪୩, ପ୍ଲଟ ନମ୍ବର ୧୪୫୫ରେ ମାତ୍ର ୪୬ ଡେସମିଲ ୪ କଡ଼ି ଜମି ସ୍ବର୍ଗଦ୍ବାର ଶ୍ମଶାନ ଭାବେ ରେକର୍ଡ ହୋଇଥିବା ବେଳେ ଅବଶିଷ୍ଟ ୧୬ ଏକର ଜମି ବେଆଇନ ଭାବେ କିଛି ପ୍ରଭାବଶାଳୀ ହଡ଼ପ କରି ନେଇଥିଲେ। ଏ ନେଇ ଅଭିଯୋଗ ହେବା ପରେ ୨୦୧୧ରେ ଏହାର ତଦନ୍ତ କରାଯାଇଥିଲା। ସେତେବେଳେ ଉପଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟରୁ ଏକ ବଡ଼ଧରଣର ଜମି ଜାଲିଆତି ଧରାପଡ଼ିଥିଲା। ୨୦୧୧ରେ ରାଜସ୍ବ ପର୍ଷଦ ପୁରୀ ଜିଲ୍ଲାପାଳଙ୍କୁ ଏହାର ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ପୁରୀ ଜିଲ୍ଲାପାଳଙ୍କ ନେତୃତ୍ବରେ ଗଠିତ ଏକ କମିଟି ଏହାର ତଦନ୍ତ କରି କେନ୍ଦ୍ରାଞ୍ଚଳ ରାଜସ୍ବ କମିସନରଙ୍କୁ ଏ ନେଇ ରିପୋର୍ଟ ମଧ୍ୟ ଦେଇଥିଲେ। ସ୍ବର୍ଗଦ୍ବାର ଶ୍ମଶାନକୁ ଲାଗି ଖାତା ନମ୍ବର ୬୬୩, ପ୍ଲଟ ନମ୍ବର ୧୨୫୭, ୧୨୬୭ ଓ ୧୪୫୨ରେ ରହିଥିବା ଏକ ଏକର ୮୪୨ ଡେସିମିଲ ଜମି ଜାଲିଆତି କରି ରେକର୍ଡ କରାଯାଇଥିବା ଜଣାପଡ଼ିଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଭିତ୍ତି କରି ପୁରୀ ତହସିଲଦାର ପୁରୀ ସମୁଦ୍ରକୂଳ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ।
ଏ ସଂପର୍କରେ କ୍ରାଇମବ୍ରାଞ୍ଚ ଏସ୍ପିଙ୍କୁ ମଧ୍ୟ ଦାୟିତ୍ବ ଦିଆଯାଇଥିଲା। ସବୁ ପ୍ରକାର ତଥ୍ୟ ପ୍ରମାଣ ଥାଇବି ସ୍ବର୍ଗଦ୍ବାର ଜମି ମହାଦୁର୍ନୀତିକୁ ଚାପି ଦିଆଯାଇଛି। ୧୯୮୮ ମସିହାରେ ସ୍ବର୍ଗଦ୍ବାର ନାମରେ ରେକର୍ଡ ଜମିରୁ ଏବେ ଅଧା ଚଳୁ କରିଦିଆଯାଇଛି। ମୋଟ ଜମି ଉପରେ ସେବାୟତ ଓ ନେତାଙ୍କ ପରିବାର ବଡ଼ ବଡ଼ ହୋଟେଲ ଠିଆ କରିଛନ୍ତି। ସ୍ବର୍ଗଦ୍ବାର ନାମରେ ଥିବା ଏକ ଏକର ଜମିରୁ ଏବେ ୫୫ ଡେସିମିଲ ୩ କଡି ଜମି ଜବରଦଖଲରେ ରହିଛି। ସେଥିରୁ ୪୪ ଡେସିମିଲ ୭ କଡି ଜମିରେ ଏବେ ସ୍ବର୍ଗଦ୍ବାର ଆଧୁନିକୀକରଣ ଚାଲିଛି। ଅର୍ଥାତ ସରକାର ଏତିକି ଜମିରେ କି ବିକାଶ କରିବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ଏଥିପାଇଁ ୫ କୋଟି ଟଙ୍କା ଅନୁଦାନ ମଧ୍ୟ ଦେଇଛନ୍ତି।
ସ୍ବର୍ଗଦ୍ବାରରେ ବର୍ଷକୁ ପ୍ରାୟ ୨୦ ହଜାର ଲୋକଙ୍କ ଶବ ଦାହ କରାଯାଉଥିବା ତଥ୍ୟ ରହିଛି। ଆଗାମୀ ପଚାଶ ବର୍ଷକୁ ଦୃଷ୍ଟିରେ ରଖି ଯଦି ଏହାର ବିକାଶ ପରିକଳ୍ପନା କରାଯାଏ ତେବେ ଏତିକି ଜମି ପର୍ଯ୍ୟାପ୍ତ ନୁହେଁ। ଏଥି ପାଇଁ ଅତି କମରେ ୩ ରୁ ୫ ଏକର ଜମି ଆବଶ୍ୟକ ଥିବା କୁହାଯାଉଛି। ପାର୍କିଂ ଓ ଅନ୍ୟ ସୁବିଧା ପାଇଁ ସ୍ବର୍ଗଦ୍ବାର ସଂପ୍ରସାରଣ ଜରୁରୀ ଥିବାବେଳେ ସ୍ବର୍ଗଦ୍ବାର ଜମିକୁ ଚଂଚକତା କରି ନେଇଥିବା ଜମିକୁ ପ୍ରଶାସନ ନିଜ ଅକ୍ତିଆରକୁ ଆଣିବାକୁ କାହିଁକି ପଛଘୁଞ୍ଚା ଦେଉଛି ତାକୁ ନେଇ ସନ୍ଦେହ ଉପୁଜିଛି। ଏପରିକି ଏହି ତଦନ୍ତ ରିପୋର୍ଟକୁ ନଷ୍ଟ କରିଦେବା ପାଇଁ ଉଦ୍ୟମ କରାଯାଉଥିବା ଅଭିଯୋଗ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/swargdwar.png)