ସ୍ବର୍ଗଦ୍ବାରର ହେବ ନବକଳେବର, ବିଜୁଙ୍କ ସମାଧି ଭାଙ୍ଗିବାକୁ ନବୀନଙ୍କ ଘୋଷଣା

ପ୍ରଥମ ପର୍ଯ୍ୟାୟରେ ୫ େକାଟି ଖର୍ଚ୍ଚ ହେବ, ୬ ମାସ ମଧ୍ୟରେ କାର୍ଯ୍ୟ ସାରିବାକୁ ନିର୍ଦେଶ

ଭୁବନେଶ୍ବର: ଶ୍ରୀମନ୍ଦିର ଚତୁଃପାର୍ଶ୍ବର ଉଚ୍ଛେଦ ଓ ବିକାଶ ପରେ ରାଜ୍ୟ ସରକାର ଏବେ ପୁରୀ ସ୍ବର୍ଗଦ୍ବାରର ନବ କଳେବର କରିବାକୁ ପାଗ ଭିଡ଼ିଛନ୍ତି। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦୁଇଟି ବଡ଼ ନିଷ୍ପତ୍ତି ହୋଇଛି। ପ୍ରଥମତଃ, ସ୍ବର୍ଗଦ୍ବାରର ବିକାଶ ହେବ ଓ ପ୍ରଥମ ପର୍ଯ୍ୟାୟରେ ଏଥିପାଇଁ ୫କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏହି ଖର୍ଚ୍ଚ ଭରଣା କରାଯିବ। ଦ୍ବିତୀୟତଃ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ ବିଜୁବାବୁଙ୍କ ସମାଧି ପୀଠକୁ ସ୍ବର୍ଗଦ୍ବାରରୁ ହଟାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଆଜି ଘୋଷଣା କରିଛନ୍ତି। ଦେଶରେ ପ୍ରମୁଖ ରାଜନୈତିକ ବ୍ୟକ୍ତିଙ୍କର ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ସମାଧିସ୍ଥଳ କରିବା ‌ନେଇ ପ୍ରତିଯୋଗିତା ଚାଲିଥିବାବେଳେ ନିଜ ବାପାଙ୍କର ସମାଧିକୁ ସ୍ବର୍ଗଦ୍ବାରର ବିକାଶ ପାଇଁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଦେବା ଘଟଣା ବିଭିନ୍ନ ମହଲକୁ ଆଚମ୍ବିତ କରିଛି। ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି, ବିଜୁ ବାବୁ କୋଟି କୋଟି ଓଡ଼ିଆଙ୍କ ହୃଦୟରେ ଅଛନ୍ତି। ସ୍ବର୍ଗଦ୍ବାରରେ ବିଜୁବାବୁଙ୍କ ଉଦ୍ଦେଶ୍ୟରେ ଯାହା କିଛି ଥିଲା, ସେ ସବୁ ଏବେ ଓଡ଼ିଶାବାସୀଙ୍କ ସେବାରେ ଲାଗିବ। ସ୍ବର୍ଗଦ୍ବାରକୁ ବିଶ୍ବାସର ପବିତ୍ର ଭୂମି ଭାବେ ବର୍ଣ୍ଣନା କରି ଏହାର ବିକାଶରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।

ଶ୍ରୀମନ୍ଦିର ଚତୁଃପାର୍ଶ୍ବର ବିକାଶ ସହିତ ପୁରୀକୁ ବିଶ୍ବସ୍ତରୀୟ ଐତିହ୍ୟ େକ୍ଷତ୍ରର ମାନ୍ୟତା ଦେବା ଲାଗି ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିପାଇଁ ପାଖାପାଖି ୫ହଜାର େକାଟି ଟଙ୍କାର ଅଟକଳ କରାଯାଇଛି। ଶ୍ରୀମନ୍ଦିର ସଂଲଗ୍ନ ଅଞ୍ଚଳକୁ ସରକାର ହାତକୁ ନେଇଛନ୍ତି। ଏବେ ଦ୍ବିତୀୟ ପର୍ଯ୍ୟାୟରେ ‘ଫନି’ରେ କ୍ଷତିଗ୍ରସ୍ତ ସ୍ବର୍ଗଦ୍ବାର ବିକାଶ ନିଷ୍ପତ୍ତି େହାଇଛି। ଫୋନିକ୍ସ ଫାଉଣ୍ଡେସନ ସହଯୋଗରେ ସ୍ବର୍ଗଦ୍ବାରର ବିକାଶ ହେବାକୁ ସ୍ଥିର େହାଇଛି। ଆଜି େଲାକସେବା ଭବନରେ ହୋଇଥିବା ବୈଠକ ପରେ ରାଜ୍ୟ ସରକାର କହିଛନ୍ତି, ସ୍ବର୍ଗଦ୍ବାରର ମଧ୍ୟ ସାମଗ୍ରିକ ବିକାଶ କରାଯିବ। ଏଥିରେ ଶବଦାହଠାରୁ ଆରମ୍ଭ କରି ଶବ ବାହକମାନଙ୍କ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ରହିବ। ସବୁ ଋତୁରେ ସୁବିଧାରେ େଯଭଳି ଶବ ଦାହ ହେବ, ସେ େନଇ ସରକାର ପଦକ୍ଷେପ ନେବେ। ଶବ ବାହକମାନଙ୍କ ସୁବିଧା ପାଇଁ ବିଶ୍ରାମ କକ୍ଷ ନିର୍ମାଣ କରାଯିବ। ଚାରିପାଖରେ ବ୍ୟାପକ ବୃକ୍ଷରୋପଣ ବି ହେବ। ଏହି କାମ ଆରମ୍ଭର ୬ମାସ ମଧ୍ୟରେ େଶଷ କରିବା ଲାଗି ମୁଖ୍ୟମନ୍ତ୍ରୀ ଆଜି ଅଧିକାରୀମାନଙ୍କୁ ସ୍ପଷ୍ଟ ନିର୍ଦେଶ ଦେଇଛନ୍ତି। ଆଜିର ବୈଠକରେ ପଞ୍ଚାୟତିରାଜ ମନ୍ତ୍ରୀ, କ୍ରୀଡ଼ାମନ୍ତ୍ରୀ, ଉନ୍ନୟନ କମିସନରଙ୍କ ସହିତ ବିଭିନ୍ନ ବିଭାଗର ସଚିବ, ପୁରୀ ଜିଲ୍ଲାପାଳ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, ବିଜୁବାବୁଙ୍କ ଦେହାନ୍ତ ପରେ ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସେ ସମୟର ଭାରତବର୍ଷର ସବୁ ପ୍ରମୁଖ ଦଳର ଶୀର୍ଷ ନେତୃତ୍ବ େଯାଗଦେଇଥିଲେ। ପରେ ବିଜେଡି ସରକାର କ୍ଷମତାକୁ ଆସିବା ପରେ ସେଠାରେ ବିଜୁବାବୁଙ୍କ ସମାଧି ନିର୍ମାଣ କରାଯାଇଥିଲା। କିନ୍ତୁ ସ୍ବର୍ଗଦ୍ବାରର ବିକାଶ କଥା େଯତେବେଳେ ଉଠୁଥିଲା, ସେତେବେଳେ ବିଜୁବାବୁଙ୍କ ସମାଧି ବି ବିତର୍କ ବଳୟକୁ ଆସୁଥିଲା। ଏପରିକି ଏହାକୁ ହଟାଇବା ପାଇଁ ବିଭିନ୍ନ ସମୟରେ ଦାବି ଉଠିଥିଲା। େଶଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ କଠୋର ନିଷ୍ପତ୍ତି ନେଇ ଆଜି ଏହାକୁ ଭାଙ୍ଗିବା ଲାଗି ଅନୁମତି େଦଇଛନ୍ତି। ଶାସନଗାଦିରେ ବସି ନିଜ ବାପାଙ୍କ ସମାଧି ଭାଙ୍ଗିବା ନବୀନଙ୍କର ଏକ ବଡ଼ ନିଷ୍ପତ୍ତି େବାଲି କୁହାଯାଉଛି। ସ୍ବର୍ଗଦ୍ବାରରେ ଥିବା ଅନ୍ୟ ସମାଧି ମଧ୍ୟ ଭଙ୍ଗାଯିବ େବାଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର