ପୁରୀ: ମହାପ୍ରଭୁ ଆଜି ମାଉସୀ ଘରକୁ ଯିବା ଲାଗି ବ୍ୟଗ୍ର। କାହିଁକି ନା ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଛି ରଥଟଣା। ତାଙ୍କ ଇଚ୍ଛା ନ ଥିଲେ କିଛି ବି ହୁଏ ନାହିଁ।  ପୂର୍ବରୁ ସ୍ଥିରୀକୃତ ହୋଇଥିଲା କି ଅପରାହ୍ନ ୪ଟା ସମୟରେ ରଥଟଣା ଆରମ୍ଭ ହେବ। କିନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ରଥଯାତ୍ରାର ସବୁ ନୀତିକାନ୍ତି ନିର୍ଦ୍ଧାରିତ ସମୟ ପୂର୍ବରୁ ଶୃଙ୍ଖଳିତ ଭାବେ ଶେଷ ହୋଇ ରଥଟଣା ଆରମ୍ଭ ହୋଇଯାଇଛି। ଅପରାହ୍ନ ପ୍ରାୟ ୨.୩୦ମିନିଟ୍‌ରେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥଟଣା ଆରମ୍ଭ ହୋଇଛି। କିଛି ସମୟ ଲାଗି ବର୍ଷା ହୋଇଥିଲେ ହେଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଉତ୍ସାହ ପୂର୍ବବତ୍‌ ଜାରି ରହିଥିଲା। ଶ୍ରୀଗୁଣ୍ଡିଚା ଅଭିମୁଖେ ଗଡ଼ିବା ଆରମ୍ଭ କରିଛି ତାଳଧ୍ୱଜ। ଘଣ୍ଟଘଣ୍ଟା, ହୁଳହୁଳି ଓ ଶଙ୍ଖ ଧ୍ୱନୀ ମଧ୍ୟରେ ଧୀରେଧୀରେ ଗଡ଼ିବାରେ ଲାଗିଛି ତାଳଧ୍ୱଜ। ରଥର ଚତୁଃପାର୍ଶ୍ୱରେ ପୁଲିସ ପକ୍ଷରୁ କର୍ଡନ କରାଯାଇଛି। ଫଳରେ ବିନା କୌଣସି ଅସୁବିଧାରେ ଚାଲିଛି ରଥଟଣା କାର୍ଯ୍ୟ।

Advertisment

ଅପରାହ୍ଣ ୩ଟା ୧୦ରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣା ଅାରମ୍ଭ ହୋଇଛି। ବଡ଼ଭାଇ ବଳଭଦ୍ରଙ୍କ ପରେ ମାଉସୀ ଘରକୁ ବାହାରିଛନ୍ତି ଭଉଣୀ ସୁଭଦ୍ରା।  ଦର୍ପଦଳନ ରଥ ଶ୍ରୀଗୁଣ୍ଡିଚା ଅଭିମୁଖେ ଗଡ଼ିବା ଆରମ୍ଭ କରିଛି। ଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଅପରାହ୍ଣ ୪ଟା ୧୦ ପାଖାପାଖି  ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଛି।