ସୁପ୍ରିମକୋର୍ଟରେ ପହଞ୍ଚିଲା ଶ୍ରୀମନ୍ଦିର ମାମଲା, ଆସନ୍ତାକାଲି ଶୁଣାଣି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ପହଞ୍ଚିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା । ଏହା ଦ୍ବାରା ଶ୍ରୀଜଗନ୍ନାଥ ମନ୍ଦିରର ଐତିହ୍ୟ ନଷ୍ଟ ହେଉଥିବା ଦର୍ଶାଇ ସୁପ୍ରିମକୋର୍ଟରେ ପିଟିସନ ଦାଏର କରାଯାଇଛି । ଏହି ପ୍ରକଳ୍ପରେ ହସ୍ତକ୍ଷେପ କରିବାକୁ ଓଡ଼ିଶା ହାଇକୋର୍ଟ ମନା କରିବା ପରେ ତାହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏହି ସ୍ବତନ୍ତ୍ର ଲିଭ୍ ପିଟିସନ ଦାଖଲ କରାଯାଇଛି ।

ଜଷ୍ଟିସ ଭି.ଆର.ଗାଭାଇ ଓ ଜଷ୍ଟିମ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଜରୁରୀ ଶୁଣାଣି ପାଇଁ ଅନୁମତି ଦେବା ସହ ଆସନ୍ତାକାଲି ପାଇଁ ଏହାକୁ ତାଲିକାଭୁକ୍ତ କରାଯାଇଛି । ଖଣ୍ଡପୀଠ ଆମିକସ କ୍ୟୁରି ରଂଜିତ କୁମାର ଓ ରାଜ୍ୟ ସରକାରଙ୍କ ଓକିଲଙ୍କୁ ନୋଟିସ ଜାରି କରିବାକୁ ସୁପ୍ରିମକୋର୍ଟ ରେଜିଷ୍ଟ୍ରାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଡଭୋକେଟ ଗୌତମ ଦାସଙ୍କ ମାଧ୍ୟମରେ ଦାଏର କରାଯାଇଥିବା ଏହି ପିଟିସନରେ ଦର୍ଶାଇଛି କି ଓଡ଼ିଶା ସରକାର ’ଆନସିଏଣ୍ଟ ମନୁମେଣ୍ଟସ ଏଣ୍ଡ ଆର୍କିଓଲଜିକାଲ ସାଇଟ୍ସ ଏଣ୍ଡ ରିମେନ୍ସ ଆକ୍ଟ ୧୯୫୮ର ଧାରା ୨୦-କ’ର ଉଲ୍ଲଙ୍ଘନ କରି ଏହି ନିର୍ମାଣ କରାଯାଉଛନ୍ତି । ପିଟିସନକାରୀ ନିଜ ଆବେଦନରେ ଆହୁରି ମଧ୍ୟ  ଦର୍ଶାଇଛନ୍ତି ଯେ ଓଡ଼ିଶା ସରକାର କରୁଥିବା ନିର୍ମାଣ ବେଆଇନ ଓ ଏହା ଶ୍ରୀମନ୍ଦିରର ସୁରକ୍ଷାକୁ ବିପନ୍ନ କରୁଛି ।

ଏଏମଏସଏଆର ଆଇନ ୧୯୫୮ର ଧାରା ୨୦-କ ଅନୁସାରେ ସୁରକ୍ଷିତ ଘୋଷିତ ପ୍ରାଚୀନ ଭାସ୍କର୍ଯ୍ୟର ୧୦୦ ମିଟର ଅବଧି ମଧ୍ୟରେ କୌଣସି ନିର୍ମାଣ କରାଯାଇପାରିବ ନାହିଁ ।

ସମ୍ବନ୍ଧିତ ଖବର