ଶ୍ରୀମନ୍ଦିରରେ କରୋନା କଟକଣା, ଆସନ୍ତାକାଲିଠାରୁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ପୁରୀ: ଶ୍ରୀମନ୍ଦିରରେ ଲାଗିଲା କରୋନା ସଂକ୍ରମଣ ରୋକିବାକୁ କଟକଣା। ଆସନ୍ତାକାଲିଠାରୁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ହେବ । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ବରିଷ୍ଠ ସେବାୟତ ରାମଦାସ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ପୂର୍ବଭଳି ମହାପ୍ରଭୁଙ୍କ ନୀତିକାନ୍ତି ଜାରି ରହିବ । ସେବାୟତମାନେ ବଡ଼ ଦେଉଳରେ ବଡ ଠାକୁରଙ୍କ ସେବା କରିବେ । କିନ୍ତୁ ଭୂତାଣୁଠାରୁ ଦୂରେଇ ରହିବା ଉଦ୍ଦେଶ୍ୟରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ।

ଏ ନେଇ ଆଜି ସନ୍ଧ୍ୟାରେ ଛତିଶା ନିଯୋଗ ଏବଂ ଶ୍ରୀମନ୍ଦିର ପରିଚାଳନା ସମିତିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଏଥିରେ ଏହି ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାଯାଇଛି। କିନ୍ତୁ ଯାହା ଜଣାପଡ଼ୁଛି ମାର୍ଚ୍ଚ ୨୦ ତାରିଖରୁ ଏପ୍ରିଲ ୧ ତାରିଖ ଯାଏଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ।

ଏନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ଆଜି ଏକ ନିର୍ଦ୍ଦେଶନାମା ଜାରି କରି ଶ୍ରୀମନ୍ଦିରରେ ମାର୍ଚ୍ଚ ୨୦ ତାରିଖରୁ ଏପ୍ରିଲ ୧ ତାରିଖ ଯାଏଁ ସମସ୍ତ ପର୍ଯ୍ୟଟକ ଏବଂ ଭକ୍ତଙ୍କ ଦର୍ଶନକୁ ନିଷିଦ୍ଧ କରିଛନ୍ତି।

ସମ୍ବନ୍ଧିତ ଖବର